ଭୁବନେଶ୍ୱରରେ ପାଣିମିଟର ପାଇଁ ବେଆଇନ୍‍ ଭାବେ ଟଙ୍କା ନେଇ ବନ୍ଧା ହେଲେ ଯୁବକ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ):  ରାଜ୍ୟ ଗୃହ ଓ ନଗର ଉନ୍ନୟନ ବିଭାଗର ‘ଜିରୋ ଟଲେରାନ୍ସ’ ଯୋଗୁଁ ୱାଟକୋ ନାଁରେ ବେଆଇନ୍‍ ଭାବେ ଅର୍ଥ ଆଦାୟ କରୁଥିବା ଜଣେ ଯୁବକକୁ ଗିରଫ କରିଛି ଚନ୍ଦ୍ରଶେଖରପୁର ପୁଲିସ୍‍ । ସମ୍ପୃକ୍ତ ଯୁବକ ଏଭଳି ଅର୍ଥ ଆଦାୟ କରୁଥିବାର ଅଭିଯୋଗ ବିଭାଗ ନିକଟରେ ପହଞ୍ଚିବା ପରେ ଏ କ୍ଷେତ୍ରରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିବା ଜଣାଯାଇଛି ।

ଗୃହ ଓ ନଗର ଉନ୍ନୟନ ବିଭାଗ ସୂତ୍ରରୁ ଜଣାଯାଇଛି ଯେ ଚନ୍ଦ୍ରଶେଖରପୁର ଡିଷ୍ଟ୍ରିକ୍ଟ ସେଣ୍ଟରର ପ୍ଲଟ ନମ୍ବର ୩୧୭/ଏ ରେ ଦ୍ୱିତୀୟ ପାଣି ମିଟର ଲଗାଇବାପାଇଁ ପ୍ଲଟ ମାଲିକଙ୍କ ଠାରୁ ସତ୍ୟଦୀପ ମହାନ୍ତି ୪୨୦୦ ଟଙ୍କା ନେଇଥିଲେ । ଏହି ଅର୍ଥ ୱାଟକୋ ପାଇଁ ଆଦାୟ ହେଉଥିବା ଦର୍ଶାଇଥିଲେ । ଦ୍ୱିତୀୟ ପାଣିମିଟର ଲଗାଇବା ଓ ଏଭଳି ଅର୍ଥ ଆଦାୟ ସମ୍ପୂର୍ଣ୍ଣ ବେଆଇନ୍‍ ବୋଲି ଜାଣିବାପରେ ଘର ମାଲିକ ତୁରନ୍ତ ଏ ସଂକ୍ରାନ୍ତରେ ନୀଳାଦ୍ରୀବିହାରର ଥିବା ୱାଟ୍‍କୋ ଡିଭିଜନକୁ ଅବଗତ କରିଥିଲେ ।

ବିଭାଗ ନିକଟରେ ଏଭଳି ବେଆଇନ୍‍ ଅର୍ଥ ଆଦାୟର ଖବର ପହଞ୍ଚିବା ପରେ ତୁରନ୍ତ ଚନ୍ଦ୍ରଶେଖପୁର ଥାନାରେ ଅଭିଯୋଗ ଦରଜ ପାଇଁ ୱାଟ୍‍କୋ କର୍ତ୍ତୃପକ୍ଷଙ୍କୁ କୁହାଯାଇଥିଲା । ମାମଲା ରୁଜୁ ପରେ ଥାନା ପକ୍ଷରୁ ଏ ନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସହିତ ସମ୍ପୃକ୍ତ ଯୁବକଙ୍କୁ ଗତକାଲି ଗିରଫ କରି ଜେଲ୍‍ ପଠାଇଛନ୍ତି । ଉଲ୍ଲେଖନୀୟ ଯେ ଗିରଫ ହୋଇଥିବା ସତ୍ୟଦୀପ ମହାନ୍ତି ଚନ୍ଦ୍ରଶେଖରପୁର ଅଞ୍ଚଳରେ ୱାଟକୋ ପ୍ରତ୍ୟେକ ଘରେ ପାଣି ମିଟର ଲଗାଇବା କାମ ନେଇଥିବା ଠିକାଦାର ପ୍ରମୋଦ କୁମାର ରାଉତଙ୍କ ନିକଟରେ କାର୍ଯ୍ୟ କରୁଥିଲେ ।

Leave A Reply

Your email address will not be published.