ବିଭିନ୍ନ ପୋଲିସ ଷ୍ଟେସନ ଭିତରେ କେତେ ସଂଖ୍ୟକ ଗାଡି ପଡି ରହିଛି ? ତଥ୍ୟ ରଖିବାକୁ ସରକାରଙ୍କୁ ହାଇକୋର୍ଟ ଦେଲେ ଅଧିକ ମହଲତ

0

ଓଡିଆ ନ୍ୟୁଜ୍(ବ୍ୟୁରୋ):  ରାଜ୍ୟର ବିଭିନ୍ନ ପୋଲିସ ଷ୍ଟେସନ ଭିତରେ କେତେ ସଂଖ୍ୟକ ଗାଡି ପଡି ରହିଛି ସେ ନେଇ ତଥ୍ୟ ରଖିବାକୁ ସରକାରଙ୍କୁ ହାଇକୋର୍ଟ ଅଧିକ ମହଲତ ପ୍ରଦାନ କରିଛନ୍ତି। ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ.ମୁରଲୀଧୀର ଓ ଜଷ୍ଟିସ ଆର.କେ.ପଟ୍ଟନାୟକଙ୍କୁ ନେଇ ଗଠିତ ଖଣ୍ଡପୀଠରେ ମାମଲାର ଶୁଣାଣି ସମୟରେ ମେ ୫ର ନିର୍ଦ୍ଦେଶ ଅନୁସାରେ ସତ୍ୟପାଠ ମାଧ୍ୟମରେ ତଥ୍ୟ ରଖିବାକୁ ଆଜି ସରକାରଙ୍କ ତରଫରୁ ଅଧିକ ସମୟ ଆବଶ୍ୟକ ବୋଲି ଦର୍ଶାଯାଇଥିଲା। କେତେକ ଥାନାରୁ ତଥ୍ୟ ମିଳିଥିବା ବେଳେ ଆଉ କେତେକ ଥାନାର ତଥ୍ୟ ହସ୍ତଗତ ହୋଇ ନାହିଁ ବୋଲି ସରକାରଙ୍କ ତରଫରୁ ଅବଗତ କରାଯାଇଥିଲା।

ହାଇକୋର୍ଟ ମାମଲାର ଶୁଣାଣି କରି ସେପ୍ଟେମ୍ବର ୧୯ ସୁଦ୍ଧା ସତ୍ୟପାଠ ଦାଖଲ ପାଇଁ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଆଶିଷରଂଜନ ମହାନ୍ତିଙ୍କ ମାମଲାର ହାଇକୋର୍ଟ ଶୁଣାଣି କରି ଜବତ ଗାଡି ଜିମାରେ ଛାଡିବା ବା ବିକ୍ରି କରିବା ପ୍ରସଂଗରେ ଗୁରୁତ୍ବପୂର୍ଣ୍ଣ ରାୟ ଜାନୁଆରି ୩୧ରେ ପ୍ରଦାନ କରିଥିଲେ। ଜବତ ଗଡି ଗୁଡିକରୁ କେତେକ କେହି ଦାବିଦାର ନଥିବା ଶୁଣାଣି ସମୟରେ ସ୍ପଷ୍ଟ ହୋଇଥିଲା। ଜବତ ଗାଡି ଗୁଡିକ ଉପଯୁକ୍ତ ବ୍ୟକ୍ତି ବା ସଂସ୍ଥାର ଜିମାରେ ଛାଡିବା ଉପରେ ହାଇକୋର୍ଟଙ୍କ ରାୟରେ ଗୁରୁତ୍ବାରୋପ କରାଯାଇଥିଲା।

ଗାଡି ମାଲିକ ବା ମାଲିକଙ୍କ ଦ୍ବାରା ଅନୁମତିପ୍ରାପ୍ତ ବ୍ୟକ୍ତିଙ୍କ ଜିମାରେ ଜବତ ଗାଡି ସର୍ତ୍ତପୂରଣ ପରେ ଛାଡି ଦିଆଯାଇ ପାରିବ ବୋଲି ହାଇକୋର୍ଟ କହିଥିଲେ। ଯଦି ଜବତର କେହି ଦାବି ନ କରନ୍ତି ତେବେ ଏହାର ସାଧାରଣରେ ନିଲାମ ପାଇଁ ନିର୍ଦ୍ଦେଶ ଦିଆଯାଇ ପାରିବ। ଜବତ ଗାଡ଼ି ଜିମା ନେବା ପାଇଁ ବିଚାରାଧୀନ ସମସ୍ତ ଦରଖାସ୍ତ ଉପରେ ଅଦାଲତ‌ ତିନି ମାସ ଭିତରେ ନିର୍ଦ୍ଦେଶ ପ୍ରଦାନ କରିବେ। ଏହି ପ୍ରସଂଗରେ ସବୁ ମ‌ାଜିଷ୍ଟ୍ରେଟ ପାଳନ କରିବାକୁ ଥିବା ଏସଓପି ସଂକ୍ରାନ୍ତରେ ସମସ୍ତ ଜିଲ୍ଲା ଜଜଙ୍କୁ ଅବଗତ କରିବାକୁ ହାଇକୋର୍ଟ ରେଜିଷ୍ଟ୍ରିକୁ ନିର୍ଦ୍ଦେଶ ଦିଆଯାଇଥିଲା।

Leave A Reply

Your email address will not be published.