କେନ୍ଦ୍ରାପଡା ଉପକାରାଗାରରେ ବିଚାରଧୀନ କଏଦୀଙ୍କ ମୃତ୍ୟୁ ଘଟଣା: ପରିବାରକୁ ୧୦ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ
ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): କେନ୍ଦ୍ରାପଡା ଉପକାରାଗାରରେ ବିଚାରଧୀନ କଏଦୀଙ୍କ ମୃତ୍ୟୁ ଘଟଣାରେ ତାଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ଓଡିଶା ହାଇକୋର୍ଟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଆବେଦନକାରୀ ମୃତକଙ୍କ ପୁଅ ରାଜେନ୍ଦ୍ର ବେହେରାଙ୍କ ଆବେଦନର ଶୁଣାଣି କରି ହାଇକୋର୍ଟଙ୍କ ବିଚାରପତି ଜଷ୍ଟିସ ଅରିନ୍ଦମ ସିହ୍ନାଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ନିର୍ଦ୍ଦେଶ ଦେଇଛନ୍ତି। ୪ ସପ୍ତାହ ମଧ୍ୟରେ ଏହି କ୍ଷତିପୂରଣ ଅର୍ଥ ପ୍ରଦାନ ପାଇଁ ନିର୍ଦ୍ଦେଶ ଦିଆଯାଇଛି।
୪ ସପ୍ତାହ ମଧ୍ୟରେ କ୍ଷତିପୂରଣ ଅର୍ଥ ପ୍ରଦାନ ନ କଲେ ୨୦୨୧ ଜାନୁଆରୀ ୨ ତାରିଖରୁ ବାର୍ଷିକ ୫ ପ୍ରତିଶତ ହାରରେ ସୁଧ ଦେଇ କ୍ଷତିପୂରଣ ପ୍ରଦାନ କରାଯିବ ବୋଲି ନିର୍ଦ୍ଦେଶରେ ସ୍ପଷ୍ଟ ହୋଇଛି। କେନ୍ଦ୍ରାପଡା ସଦର ଥାନା ଅଞ୍ଚଳରେ ଏକ ଘରୋଇ ହିଂସା ଘଟଣାରେ ଗିରଫ ହୋଇ ଜେଲ ଯାଇଥିବା ପୂର୍ଣ୍ଣଚନ୍ଦ୍ର ବେହେରା ଗତ ୨୦୨୧ ଜାନୁଆରୀ ୨ ତାରିଖରେ କେନ୍ଦ୍ରାପଡା ସବଜେଲରେ ମୃତ୍ୟୁବରଣ କରିଥିଲେ।
ତାଙ୍କ ପରିବାର ପକ୍ଷରୁ ଏହା ଏକ ହାଜତ ମୃତ୍ୟୁ ବୋଲି ଅଭିଯୋଗ କରାଯିବା ସହ କ୍ଷତିପୂରଣ ପାଇଁ ଗତ ଫେବୃଆରୀ ମାସରେ ହାଇକୋର୍ଟରେ ଏକ ମାମଲା ରୁଜ୍ଜୁ କରାଯାଇଥିଲା। ଏହି ମାମଲାରେ ରାଜ୍ୟ ସରକାର, ପୋଲିସ ଡିଜି, କେନ୍ଦ୍ରାପଡା ସବଜେଲ ଅଧିକ୍ଷକ, କେନ୍ଦ୍ରାପଡା ସଦର ଥାନା ଆଇଆଇସିଙ୍କୁ ପକ୍ଷଭୁକ୍ତ କରାଯାଇଥିଲା।