ଓଡିଆ ନ୍ୟୁଜ୍(ବ୍ୟୁରୋ): କଳାହାଣ୍ଡିର ପୁର୍ବତନ ସାଂସଦ ସୁବାସ ଚନ୍ଦ୍ର ନାୟକଙ୍କ ଆଜି ସକାଳେ ଦେହାନ୍ତ ଘଟିଛି । ଭବାନିପାଟଣା ଇରିଗେସନ କଲୋନି ସ୍ଥିତ ତାଙ୍କ ନିଜ ବାସଭବନ ରେ ଆଜି ଅସୁସ୍ଥତା ଅନୁଭବ କରିବାରୁ ତାଙ୍କୁ ତୁରନ୍ତ ଭବାନିପାଟଣା ମୁଖ୍ଯ ଚିକିତ୍ସାଳୟ କୁ ନିଆଯାଇଥିଲା। ସେଠାରେ ତାଙ୍କୁ ଡାକ୍ତର ପରିକ୍ଷା କରି ମୃତ ଘୋଷଣା କରିଥିଲେ ।ସେ 1947 ମସିହା ଅଗଷ୍ଟ 15 ତାରିଖ ଦିନ ଜନ୍ମଗ୍ରହଣ କରିଥିବା ବେଳେ ମୃତ୍ୟୁ ବେଳକୁତାଙ୍କୁ 75 ବର୍ଷ ହୋଇଥିଲା ।
ଶ୍ରୀ ନାୟକ 1991 ମସିହାରୁ 1995 ମସିହା ପର୍ଯ୍ୟନ୍ତ କଳାହାଣ୍ଡି ଜିଲ୍ଲାର ଲୋକସଭା ଆସନରୁ କଂଗ୍ରେସ ଦଳରୁ ନିର୍ବାଚିତ ହୋଇଥିଲେ । ଏହାପରେ ବିଭିନ୍ନ ଜନସେବା କ୍ଷେତ୍ର ରେ ସାମିଲ ହୋଇଥିଲେ । ସାଂସଦ ହେବା ପୁର୍ବରୁ ବିଭିନ୍ନ ଗଣମାଧ୍ୟମ କାର୍ଯ୍ୟ କରୁଥିଲେ । ତାଙ୍କର ଦୁଇ ପୁଅ ଓ ଗୋଟିଏ ଝିଅ ରହିଥିବା ବେଳେ ମୃତ୍ୟୁ ବେଳକୁ ତାଙ୍କ ଦୁଇ ପୁଅ ବାହାରେ ଥିବା ଜଣାପଡିଛି ।
କଳାହାଣ୍ଡିର ପୂର୍ବତନ ସାଂସଦ ତଥା ବରିଷ୍ଠ ବିଜେପି ନେତା ଶ୍ରୀ ସୁବାଷ ଚନ୍ଦ୍ର ନାୟକଙ୍କ ବିୟୋଗରେ ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି ଗଭୀର ଶୋକ ବ୍ୟକ୍ତ କରିଛନ୍ତି । ଅବିଭକ୍ତ କଳାହାଣ୍ଡି ଜିଲ୍ଲାର ବିକାଶ ପାଇଁ ସ୍ୱର୍ଗତ ନାୟକଙ୍କ ଭୁମିକା ସର୍ବଦା ଚିରସ୍ମରଣୀୟ ହୋଇରହିବ । ଜଣେ ଭଦ୍ର, ସରଳ, ନମ୍ର, ମେଳାପୀ ସ୍ୱାଭବର ସ୍ୱର୍ଗତଃ ନାୟକ ସାମ୍ବାଦିକ ଏବଂ ସମାଜସେବୀ ଭାବେ ବେଶ୍୍ ପରିଚିତ ଥିଲେ । ତାଙ୍କ ବିୟୋଗ ରାଜ୍ୟ ରାଜନୀତି ପାଇଁ ଏକ ଅପୁରଣୀୟ କ୍ଷତି ବୋଲି ଶ୍ରୀ ମହାନ୍ତି ଶୋକବ୍ୟକ୍ତ କରିଛନ୍ତି । ସ୍ୱର୍ଗତଃ ଆତ୍ମାର ସଦଗତି କାମନା କରିବା ସହିତ ଏଭଳି ଦୁଃଖଦ ସମୟରେ ସ୍ୱର୍ଗତଃ ନାୟକଙ୍କ ପରିବାର, ବନ୍ଧୁଜନଙ୍କୁ ପ୍ରଭୁ ଶ୍ରୀ ଜଗନ୍ନାଥ ସାହସ ପ୍ରଦାନ କରିବାକୁ ଶ୍ରୀ ମହାନ୍ତି ପ୍ରାର୍ଥନା କରିଛନ୍ତି ।