ବର୍ଷା ଦିନ ହେଲେ ଝାଡ଼ାବାନ୍ତି ରୋଗ ବଢେ, କିନ୍ତୁ ଏବେ ଦକ୍ଷିଣ ଓଡ଼ିଶାରେ ସ୍ଥିତି ନିୟନ୍ତ୍ରଣାଧୀନ ଅଛି: ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ
ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ବର୍ଷା ଦିନ ହେଲେ ଝାଡ଼ାବାନ୍ତି ରୋଗ ବଢେ । ଦକ୍ଷିଣ ଓଡିଶାର ଜିଲ୍ଲା ଗୁଡ଼ିକରେ ବିପଦ ଅଧିକ ଥାଏ । କାଶୀପୁର, କୋରାପୁଟ ଓ ନବରଙ୍ଗପୁର ଆଦି ଅଞ୍ଚଳରେ ଯେଉଁ ଝାଡ଼ାବାନ୍ତି ବ୍ୟାପିଛି ସେ ସବୁ ପଡୋଶୀ ଜିଲ୍ଲା । ତେଣୁ ଲୋକଙ୍କ ମଧ୍ୟରେ ଯିବା ଆସିବା ଲାଗି ରୁହେ । ନବରଙ୍ଗପୁର ଓ କୋରାପୁଟରେ ସ୍ଥିତି ନିୟନ୍ତ୍ରଣ ଭିତରେ ଅଛି । କାଶୀପୁରରେ ସଂଖ୍ୟା କମି ଆସିଲାଣି । ହସ୍ପିଟାଲରେ ରୋଗୀଙ୍କ ସଂଖ୍ୟା 7 – 8କୁ ଆସିଗଲାଣି । ଯେଉଁଠି ଅଧିକ ହେଉଥିଲା ସେ ସବୁ ଅଞ୍ଚଳରେ ଏବେ ସଂକ୍ରମିତଙ୍କ ସଂଖ୍ୟା ଅଧିକ ନାହିଁ ବୋଲି ଜନ ସ୍ବାସ୍ଥ୍ୟନିର୍ଦ୍ଦେଶକ କହିଛନ୍ତି ।
ସେ କହିଛନ୍ତି ବିଭିନ୍ନ ଅଞ୍ଚଳରୁ ଗୋଟିଏ ଗୋଟିଏ କେସ ଚିହ୍ନଟ ହେଉଛି । ତେଣୁ ବର୍ତ୍ତମାନ ପରିସ୍ଥିତି ନିୟନ୍ତ୍ରଣାଧିନ ରହିଛି । ଯେହେତୁ ଦୂଷିତ ଜଳରୁ ଝାଡ଼ାବାନ୍ତି ବ୍ୟାପୁଛି । ସେଥିପାଇଁ ପ୍ରଶାସନ ପକ୍ଷରୁ ଟ୍ୟାଙ୍କରରେ ସ୍ୱଚ୍ଛ ପାନୀୟ ଜଳ ଯୋଗାଇ ଦିଆଯାଉଛି । ଅଙ୍ଗନବାଡି ମାନଙ୍କରରେ ପାଣି ଗରମ କରି ଦିଆଯାଉଛି । ପାଣିରେ ପକାଇ ପିଇବା ପାଇଁ ସରକାରଙ୍କ ତରଫରୁ ଲୋକଙ୍କୁ ହାଲୋଜେନ ବଟିକା ଯୋଗାଇ ଦିଆଯାଇଛି । ଖାଇବା ପୂର୍ବରୁ ଏବଂ ଶୌଚ ପରେ ହାତ ଧୋଇବା ପାଇଁ ସାବୁନ ମଧ୍ୟ ଦିଆଯାଇଛି । ଏହାସହ ସଚେତନତା ବୃଦ୍ଧି କରିବା ପାଇଁ କାଶୀପୁର ଅଞ୍ଚଳରେ 4ଟି ଗାଡି ବୁଲି ମାଇକ ମାଧ୍ୟମରେ ସଚେତନତା କରାଯାଉଛି । ଲୋକଙ୍କୁ ଲିଫଲେଟ ବଣ୍ଟାଯାଉଛି । ଆଶା ଓ ସ୍ବାସ୍ଥ୍ଯ କର୍ମୀ ମାନେ ଘରକୁ ଘର ବୁଲି ସଚେତନ କରୁଛନ୍ତି ।