ଓଡିଆ ନ୍ୟୁଜ୍(ବ୍ୟୁରୋ): କଟକ ସଦର ଅଞ୍ଚଳରେ ଦୁଇ ନାବାଳିକା ଭଉଣୀଙ୍କୁ ଦୁଷ୍କର୍ମ ଘଟଣାରେ ଅଭିଯୁକ୍ତ ବଡ଼ବାପା ହରିଶ୍ଚନ୍ଦ୍ର ବାରିକ କଟକ ପୋକସୋ କୋର୍ଟରେ ଦୋଷୀ ସାବ୍ୟସ୍ତ ହୋଇଛି। ଦୋଷୀ ହରିଶ୍ଚନ୍ଦ୍ର ବାରିକକୁ ଆଜୀବନ ସଶ୍ରମ କାରାଦଣ୍ଡ ନିର୍ଦ୍ଦେଶ ଦେଇଛନ୍ତି କଟକ ପୋକସୋ ଅଦାଲତ। ଜୀବନ ଥିବା ପର୍ଯ୍ୟନ୍ତ ଦୋଷୀ ଜେଲରେ ରହିବାକୁ ନିର୍ଦ୍ଦେଶ ଦିଆଯାଇ ଥିବା ବେଳେ ୧୦ ହଜାର ଟଙ୍କା ଜୋରିମାନା ନିର୍ଦ୍ଦେଶ ଦେଇଛନ୍ତି ଅଦାଲତ। କଟକ ସଦର ଉରାଳି ଅଞ୍ଚଳରେ ୨୦୨୦ମସିହା ନଭେମ୍ବର ୧୬ ତାରିଖରେ ଏହି ବହୁ ଚର୍ଚ୍ଚିତ ଦୁଷ୍କର୍ମ ଘଟଣା ଘଟିଥିଲା। ସେହି ଗ୍ରାମର ଦୁଇ ନାବାଳିକା ଭଉଣୀଙ୍କୁ ନଦୀକୁ ଗାଧୋଇବାକୁ ଡାକି ନେଇ ଦୁଷ୍କର୍ମ କରିଥିଲା ବଡ଼ବାପା। ଜଣେ ନାବାଳିକା ୧୨ ବର୍ଷର ହୋଇଥିବା ବେଳେ ଅନ୍ୟ ଜଣେ ନାବାଳିକା ୭ ବର୍ଷର ବୋଲି ଜଣାପଡିଛି। ସେହିଦିନ ଘଟଣା ସମ୍ପର୍କରେ ନାବାଳିକା ଦୁହେଁ ବାପା ମାଙ୍କୁ ଜଣାଇବା ପରେ କଟକ ସଦର ଥାନାରେ ଅଭିଯୋଗ ହୋଇ ମାମଲା ରୁଜ୍ଜୁ ହୋଇଥିଲା।
ସେହି ମାସ ୧୮ ତାରିଖରେ ଅଭିଯୁକ୍ତକୁ ଗିରଫ କରିଥିଲା ସଦର ଥାନା ପୋଲିସ। ସେବେଠାରୁ ଅଭିଯୁକ୍ତ ଜଣଙ୍କ ଜେଲରେ ରହି ଆସୁଛି। ୨୦୨୧ ମସିହା ଜାନୁଆରୀ ୧୩ ତାରିଖରେ ସଦର ଥାନା ପୋଲିସ ଦୁଷ୍କର୍ମ ଘଟଣାରେ ଚାର୍ଜସିଟ ଦାଖଲ କରିଥିଲା। ଏହି ନାବାଳିକା ଦୁଇ ଭଉଣୀଙ୍କ ଘଟଣାରେ ୧୭ ଜଣ ସାକ୍ଷୀ ଓ ୧୫ ଟି ତଥ୍ୟ ପ୍ରମାଣ ଆଧାରରେ କଟକ ସ୍ୱତନ୍ତ୍ର ପୋକସୋ ଅଦାଲତ ଅଭିଯୁକ୍ତକୁ ଦୋଷୀ ସାବ୍ୟସ୍ତ କରିବା ସହ ଦଣ୍ଡ ବିଧାନ କରିଛନ୍ତି। ଏହା ସହ ଏହି ଦୁଇ ନାବାଳିକା ଭଉଣୀଙ୍କୁ ୩ ଲକ୍ଷ ଲେଖାଏଁ ୬ ଲକ୍ଷ ଟଙ୍କାର କ୍ଷତିପୂରଣ ନିର୍ଦ୍ଦେଶ ଦେଇଛନ୍ତି ପୋକସୋ କୋର୍ଟ। ଜିଲା ଆଇନସେବା ପ୍ରାଧିକରଣ ଜରିଆରେ ଏହି କ୍ଷତିପୂରଣ ପ୍ରଦାନ କରିବାକୁ ନିର୍ଦ୍ଦେଶ ରହିଛି। ସରକାରଙ୍କ ପକ୍ଷରୁ ଏହି ମାମଲା ସରକାରୀ ଓକିଲ ରମେଶ ଚନ୍ଦ୍ର ମହାନ୍ତି ପରିଚାଳନା କରୁଥିଲେ।