ଓଡ଼ିଆ ନ୍ୟୁଜ୍(ବ୍ୟୁରୋ: ପାରାଦୀପରେ ପ୍ରସ୍ତାବିତ ଷ୍ଟିଲ ପ୍ଲାଣ୍ଟ ପ୍ରସଂଗକୁ ବିରୋଧ କରି ଦାୟର ମାମଲାରେ ଜାତୀୟ ଗ୍ରିନ୍ ଟ୍ରିବୁନାଲ ଜବାବ ତଲବ କରିଛନ୍ତି। ପ୍ରସ୍ତାବିତ ଷ୍ଟିଲ ପ୍ଲାଣ୍ଟକୁ ମିଳିଥିବା ୨୦୨୨, ଏପ୍ରିଲ ୧୨ର ପରିବେଶ ମଞ୍ଜୁରୀ ବିରୋଧରେ ଦାୟର ମାମଲାରେ କେନ୍ଦ୍ର ସରକାର, ଜେଏସଡବ୍ଲୁ ଷ୍ଟିଲ, ଉତ୍କଳ ଷ୍ଟିଲ ଲିମିଟେଡ୍, ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ, ଓଡ଼ିଶା କୋଷ୍ଟାଲ ଜୋନ୍ ମ୍ୟାନେଜମେଣ୍ଟ ଅଥରିଟିକୁ ଚାରି ସପ୍ତାହ ଭିତରେ ଜବାବ ଦାଖଲ ପାଇଁ ଏନଜିଟି ନିର୍ଦ୍ଦେଶ ଦେଇଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ସେପ୍ଟେମ୍ବର ୧୪କୁ ଧାର୍ଯ୍ୟ କରାଯାଇଛି। ଜେଏସଡବ୍ଲୁ ଷ୍ଟିଲ ପକ୍ଷରୁ ପାରାଦୀପ ନିକଟରେ ୧୩.୨ ଏମଟିପିଏ କ୍ଷମତାର ଗ୍ରିନଫିଲ୍ଡ ଇଣ୍ଟିଗ୍ରେଟେଡ ଷ୍ଟିଲ ପ୍ଲାଣ୍ଟ, କ୍ରୁଡ୍ ଷ୍ଟିଲ, ସିମେଣ୍ଟ ଗ୍ରାଇଣ୍ଡିଂ ୟୁନିଟ ଓ କ୍ୟାପଟିଭ ପାୱାର ପ୍ଲାଣ୍ଟ ପ୍ରତିଷ୍ଠା ପାଇଁ ଦିଆଯାଇଥିବା ପ୍ରସ୍ତାବକୁ ସରକାର ଗ୍ରହଣ କରିଥିଲେ। ଏହି ପ୍ରକଳ୍ପ ପାଇଁ ୨୦୨୨, ଏପ୍ରିଲ ୧୨ରେ ପରିବେଶ ମଞ୍ଜୁରୀ ପ୍ରଦାନ କରାଯାଇଥିଲା।
ଏହି ପ୍ରକଳ୍ପ ସହିତ ଜଟାଧାରୀ ମୁହାଣରେ ସବୁ ଋତୁକୁ ସୁହାଉଥିବା ମଲ୍ଟି କାର୍ଗୋ ଗ୍ରିନ ଫିଲ୍ଡ ଜେଟ୍ଟି ଜଡିତ। ଏହି ନୂଆ ପ୍ରକଳ୍ପ ପ୍ରତିଷ୍ଠା ହେଉଥିବା ସ୍ଥାନ ନିକଟରେ ପୂର୍ବରୁ ବହୁ ଶିଳ୍ପ ସଂସ୍ଥା ରହିଛି। ଏଭଳି ସ୍ଥିତିରେ ନୂଆ ପ୍ରକଳ୍ପ ଦ୍ବାରା ପରିବେଶ ଉପରେ ପଡିବାକୁ ଥିବା ପ୍ରଭାବ ଆକଳନ କରାଯିବା କଥା। କିନ୍ତୁ ଏପରି କରା ନଯାଇ ନିୟମ ଉଲ୍ଲଂଘନ କରି ପରିବେଶ ମଞ୍ଜୁରୀ ପ୍ରଦାନ କରାଯାଇଛି ବୋଲି ଆବେଦନକାରୀ ଦର୍ଶାଇଛନ୍ତି।