ଓଡିଆ ନ୍ୟୁଜ୍(ବ୍ୟୁରୋ): ଉତ୍ତରପଶ୍ଚିମ ବଙ୍ଗୋପସାଗର ଓ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ସକ୍ରିୟ ରହିଛି ଘୂର୍ଣ୍ଣିବଳୟ । ଆଗାମୀ ୨୪ ଘଣ୍ଟାରେ ଏହା ଘନୀଭୂତ ହୋଇ ଲଘୁଚାପରେ ପରିଣତ ହେବ । ପରବର୍ତ୍ତୀ ୨୪ ଘଣ୍ଟାରେ ଲଘୁଚାପ ଆହୁରି ଘନୀଭୂତ ହେବା ସମ୍ଭାବନା ରହିଛି । ଲଘୁଚାପ ପ୍ରଭାବରେ ମୌସୁମୀ ସକ୍ରିୟ ହେବ । ଫଳରେ ଆସନ୍ତା ୧୦ ତାରିଖ ଯାଏ ବର୍ଷା ଲାଗି ରହିବ । ୨୪ ଘଣ୍ଟାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ପାଇଁ ୧୦ ଜିଲ୍ଲା ବଲାଙ୍ଗିର, ବୌଦ୍ଧ, କଳାହାଣ୍ଡି, କନ୍ଧମାଳ, ଗଞ୍ଜମ, ଖୋର୍ଦ୍ଧା, ପୁରୀ, ଜଗତସିଂହପୁର, କୋରାପୁଟ ଓ ମାଲକାନଗିରିକୁ ଅରେଞ୍ଜ ଓ୍ଵାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ।
ଏହାସହ ୧୪ ଜିଲ୍ଲାକୁ ୟେଲୋ ଓ୍ଵାର୍ଣ୍ଣିଂ ଦିଆଯାଇଛି । ଆସନ୍ତାକାଲିଠୁ ବଢ଼ିବ ବର୍ଷା ପରିମାଣ । ୧୧ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ । ୭ରୁ ୨୦ ସେଣ୍ଟିମିଟର ପର୍ଯ୍ୟନ୍ତ ବର୍ଷା ହେବାର ମଧ୍ୟ ଆଶଙ୍କା ରହିଛି । ୮ ଓ ୯ ତାରିଖରେ ଲଘୁଚାପର ସର୍ବାଧିକ ପ୍ରଭାବ ରହିବ । ୮ ତାରିଖରେ ୧୧ ଜିଲ୍ଲାରେ ପ୍ରବଳ ବର୍ଷା ଏବଂ ୩ ଜିଲ୍ଲା ଗଞ୍ଜାମ, ପୁରୀ, ଜଗତସିଂହପୁରରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ପୂର୍ବାନୁମାନ କରାଯାଇଛି । ସେହିଭଳି ୯ ତାରିଖରେ ଓଡ଼ିଶାରେ ଅଧିକ ପ୍ରଭାବ ପରିଲକ୍ଷିତ ହେବ । ବଲାଙ୍ଗିର, ବରଗଡ଼, ସୋନପୁର, ବୌଦ୍ଧ, ସମ୍ବଲପୁର, ଦେବଗଡ଼, ଅନୁଗୁଳ, କଳାହାଣ୍ଡି, ଝାରସୁଗୁଡ଼ା, ଯାଜପୁରରେ ଅଧିକ ବର୍ଷା ହେବ । ସମୁଦ୍ର ଅଶାନ୍ତ ରହିଥିବାରୁ ୧୧ ତାରିଖ ପର୍ଯ୍ୟନ୍ତ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମଧ୍ୟ ନଯିବାକୁ ବାରଣ କରାଯାଇଛି ।