ଓଡିଆ ନ୍ୟୁଜ୍(ବ୍ୟୁରୋ): ଓଡ଼ିଶାକୁ ସ୍ୱତନ୍ତ୍ର ଫୋକସ୍ ରାଜ୍ୟର ମାନ୍ୟତା ଦାବି ଉଠାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନୂଆଦିଲ୍ଲୀଠାରେ ଆଜି ନୀତି ଆୟୋଗ ବୈଠକରେ ଯୋଗଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଓଡ଼ିଶା ସବୁବେଳେ ପ୍ରାକୃତିକ ଦୁର୍ବିପାକ ଦ୍ୱାରା କବଳିତ । ପ୍ରତିବର୍ଷ ବନ୍ୟା ଓ ବାତ୍ୟାରେ ରାଜ୍ୟର ଆର୍ଥିକ ସ୍ଥିତି ଦୋହଲି ଯାଉଛି । ତେଣୁ ଓଡ଼ିଶାକୁ ସ୍ୱତନ୍ତ୍ର ଫୋକସ୍ ରାଜ୍ୟର ମାନ୍ୟତା ମିଳୁ । ଏଥିସହ ପ୍ରାକୃତିକ ବିପର୍ଯ୍ୟୟ ପ୍ରଶମନ ପାଇଁ ସ୍ୱତନ୍ତ୍ର ପାଣ୍ଠି ଯୋଗାଇବାକୁ ମୁଖ୍ୟମନ୍ତ୍ରୀ ଦାବି କରିଛନ୍ତି ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ନୀତି ଆୟୋଗର ସପ୍ତମ ପରିଳାଚନା ପରିଷଦ ବୈଠକରେ ଯୋଗଦେଇଥିବା ମୁଖ୍ୟମନ୍ତ୍ରୀ ଓଡ଼ିଶାର ବିଭିନ୍ନ ସମସ୍ୟା ପ୍ରତି ଦୃଷ୍ଟି ଆକର୍ଷଣ କରିଥିଲେ । ଏଥିରେ ରାଜ୍ୟ ସ୍ୱାର୍ଥ ସମ୍ବଳିତ ଅନେକ ଦାବି ରଖିଥିଲେ ।
ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଟେଲିକମ୍, ରେଲୱେ ଓ ବ୍ୟାଙ୍କିଙ୍ଗ କ୍ଷେତ୍ରରେ ଓଡ଼ିଶା ପଛରେ ରହିଛି । ତେଣୁ ରାଜ୍ୟକୁ ସ୍ୱତନ୍ତ୍ର ଧ୍ୟାନ ଦେବା ଦରକାର । ସେହିଭଳି ପ୍ରଧାନମନ୍ତ୍ରୀ ଆବାସ ଯୋଜନା ପ୍ରସଙ୍ଗ ରଖିଥିଲେ । କେବିକେ ଜିଲ୍ଲା ସମେତ ଅଧିକାଂଶ ଆଦିବାସୀ ଅଞ୍ଚଳ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରୁ ବଞ୍ଚିତ ହୋଇଛନ୍ତି । ଯୋଜନାରେ ଥିବା ଅସାମଞ୍ଜସ୍ୟ ତୁରନ୍ତ ଦୂର କରିବାକୁ ମୁଖ୍ୟମନ୍ତ୍ରୀ ଦାବି କରିଥିଲେ । ଟେକ୍ନୋଲୋଜି ଓ ନ୍ୟାୟିକ ଢ଼ାଞ୍ଚାରେ ଏଏସଆଇ ଓ ଆମସାର୍ ରୂପାନ୍ତରଣ ପାଇଁ ମଧ୍ୟ ଦାବି କରିଥିଲେ । ଏହାଦ୍ୱାରା କୋଣାର୍କ ଭଳି ଐତିହ୍ୟସ୍ଥଳୀକୁ ସୁରକ୍ଷିତ ରଖାଯାଇପାରିବ ବୋଲି କହିଥିଲେ ।
ଫସଲବୀମା ଯୋଜନାରେ ଥିବା ତ୍ରୁଟି ବିଚ୍ୟୁତି ସମ୍ପର୍କରେ ମୁଖ୍ୟମନ୍ତ୍ରୀ କେନ୍ଦ୍ରର ଦୃଷ୍ଟି ଆକର୍ଷଣ କରିଥିଲେ । ଏହାକୁ ତୃଣମୂଳସ୍ତରରେ କାର୍ଯ୍ୟକାରିବା ଦରକାର ବୋଲି କହିଥିଲେ । କେତେକ କ୍ଷେତ୍ରରେ ପ୍ରକୃତ ଚାଷୀ ଏହାର ସୁବିଧା ପାଇପାରୁନାହାନ୍ତି । ନୀତି ଆୟୋଗ ଏହାର ଅନୁଧ୍ୟାନ କରି ପଦକ୍ଷେପ ନେବାକୁ ମୁଖ୍ୟମନ୍ତ୍ରୀ ଦାବି କରିଥିଲେ । ରାଜ୍ୟ ଗୋଷ୍ଠୀ କ୍ରୀଡ଼ାରେ ଭାରତର ପ୍ରଦର୍ଶନକୁ ମୁଖ୍ୟମନ୍ତ୍ରୀ ପ୍ରଶଂସା କରିବା ସହ ଦେଶକୁ ଗୌରବାନ୍ୱିତ କରୁଥିବା କ୍ରୀଡ଼ାବିତଙ୍କୁ ଶୁଭେଚ୍ଛା ଜଣାଇଥିଲେ ।
ରାଷ୍ଟ୍ରପତି ଭବନର କଲଚରାଲ୍ ସେଣ୍ଟରଠାରେ ନୀତି ଆୟୋଗର ବୈଠକ ଅନୁଷ୍ଠିତ ହୋଇଥିଲା । ବିହାର ଓ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀଙ୍କୁ ଛାଡ଼ିଦେଲେ ଅନ୍ୟ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ଯୋଗଦେଇଥିଲେ ।