ଏମ୍ସ ହସ୍ପିଟାଲରେ ସ୍ୱତନ୍ତ୍ର ହ୍ୟାଣ୍ଡ କ୍ଲିନିକ୍ ଉଦଘାଟିତ, ମଙ୍ଗଳବାର ଦିନ ଅଢ଼େଇଟାରୁ ସାଢ଼େ ଚାରିଟା ପର୍ଯ୍ୟନ୍ତ କାର୍ଯ୍ୟ କରିବ
ଓଡିଆ ନ୍ୟୁଜ୍(ବ୍ୟୁରୋ): ଏମ୍ସ ଭୁବନେଶ୍ୱରର ବର୍ଣ୍ଣସ ଏବଂ ପ୍ଲାଷ୍ଟିକ୍ ସର୍ଜରୀ ବିଭାଗରେ ହାତ ସମ୍ବନ୍ଧୀୟ ବିଭିନ୍ନ ସମସ୍ୟାର ସାମଗ୍ରୀକ ଯତ୍ନ ନେବା ଉଦ୍ଦେଶ୍ୟରେ ଏକ ସ୍ୱତନ୍ତ୍ର ହ୍ୟାଣ୍ଡ(ହାତ) କ୍ଲିନିକ୍ କାର୍ଯ୍ୟ ଆରମ୍ଭ କରିଛି। ଜାତୀୟ ହ୍ୟାଣ୍ଡ ସର୍ଜରୀ ଦିବସ (୨୩ ଅଗଷ୍ଟ) ଅବସରରେ ଅର୍ଥୋପେଡିକ୍ ଏବଂ ପିଏମଆର ବିଭାଗର ମିଳିତ ସହଯୋଗରେ ଏହି ସ୍ୱତନ୍ତ୍ର ହ୍ୟାଣ୍ଡ କ୍ଲିନିକ୍ ଉଦଘାଟିତ ହୋଇଛି। ଏହି କ୍ଲିନିକ୍ ବର୍ଣ୍ଣସ୍ ଏବଂ ପ୍ଲାଷ୍ଟିକ୍ ସର୍ଜରୀ ଓପିଡିରେ ପ୍ରତ୍ୟେକ ମଙ୍ଗଳବାର ଦିନ ଅଢ଼େଇଟାରୁ ସାଢ଼େ ଚାରିଟା ପର୍ଯ୍ୟନ୍ତ କାର୍ଯ୍ୟ କରିବ।
ରାଜ୍ୟରେ ପ୍ରଥମ କରି ଏପରି କ୍ଲିନିକ୍ କାର୍ଯ୍ୟ ଆରମ୍ଭ କରିଛି। ସବୁ ବୟସ ବର୍ଗର ବ୍ୟକ୍ତିଙ୍କର ହାତ ସହିତ ଜଡ଼ିତ ବିଭିନ୍ନ ରୋଗର ସମ୍ପୂର୍ଣ୍ଣ ଚିକିତ୍ସା କ୍ଷେତ୍ରରେ ଏହା ବିଶେଷ ଭୂମିକା ଗ୍ରହଣ କରିବ। ଆଜିର ବ୍ୟସ୍ତବହୁଳ ଜୀବନରେ ହାତର ଭୂମିକା ଅନସ୍ବୀକାର୍ଯ୍ୟ। ତେଣୁ ସଠିକ ଢ଼ଙ୍ଗରେ ଏହାର ଯତ୍ନ ନେବା ମଧ୍ୟ ଗୁରୁତ୍ୱପୂର୍ଣ୍ଣ। ଏହି କ୍ଲିନିକ ଉପରୋକ୍ତ ଆବଶ୍ୟକତା ଗୁଡ଼ିକୁ ପୂରଣ କରିବାରେ ସହାୟକ ହେବାନେଇ ଏମ୍ସ ପକ୍ଷରୁ କୁହାଯାଇଛି।
ଏହି ଅବସରରେ ଏମ୍ସ ଭୁବନେଶ୍ୱର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ପ୍ରଫେସର (ଡ) ଆଶୁତୋଷ ବିଶ୍ୱାସ ଏପରି କ୍ଲିନିକ୍ ଆରମ୍ଭ କରିଥିବାରୁ ତିନି ବିଭାଗର ଡାକ୍ତରମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ରାଜ୍ୟରେ ପ୍ରଥମ କୁହାଯାଉଥିବା ଏପରି ସ୍ୱତନ୍ତ୍ର ହ୍ୟାଣ୍ଡ କ୍ଲିନିକ୍ ନିଶ୍ଚିତ ଭାବରେ ସମସ୍ତ ବୟସ ବର୍ଗର ଲୋକଙ୍କୁ ଟେଣ୍ଡନ୍ ଏବଂ ସ୍ନାୟୁ ଆଘାତ, ଭଙ୍ଗା, ସ୍ଥାନାନ୍ତର ଏବଂ ଷ୍ଟ୍ରେନ୍, ଆମ୍ପ୍ୟୁଟେସନ୍, କାର୍ପାଲ୍ ଟନେଲ୍ ସିଣ୍ଡ୍ରୋମ୍, ଆଣ୍ଠୁଗଣ୍ଠି ବାଟ(ରିମାଟଏଡ୍ ଆର୍ଥ୍ରାଇଟିସ୍) ଏବଂ ଅନ୍ୟାନ୍ୟ ହାତ ସମସ୍ୟାର ସମାଧାନ କରିବାରେ ସାହାଯ୍ୟ କରିବ। ଏମ୍ସ ଭୁବନେଶ୍ୱର ମେଡିକାଲ୍ ଅଧୀକ୍ଷକ ଡ. ଏସ୍ ଏନ ମହାନ୍ତି ଏହି ହ୍ୟାଣ୍ଡ କ୍ଲିନିକ୍ ଆରମ୍ଭ ନେଇ ଖୁସି ବ୍ୟକ୍ତ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ବର୍ଣ୍ଣସ୍ ଆଣ୍ଡ୍ ପ୍ଲାଷ୍ଟିକ୍ ସର୍ଜରୀ ବିଭାଗ ମୁଖ୍ୟ ଡ. ସଞ୍ଜୟ ଗିରି, ଅର୍ଥୋପେଡିକ୍ ବିଭାଗ ମୁଖ୍ୟ ଡ. ବିଷ୍ଣୁ ପାତ୍ର ଏବଂ ପିଏମଆର ବିଭାଗ ମୁଖ୍ୟ ଡ. ଜଗନ୍ନାଥ ସାହୁ ଉପସ୍ଥିତ ରହି ରୋଗୀଙ୍କ ଚିକିତ୍ସା କରିଥିଲେ।