ବିକୃତ ଗଣେଶ ମୂର୍ତ୍ତିମାମଲା ହାଇକୋର୍ଟରେ ପହଞ୍ଚିଲା, ପୋଲିସ ମୂର୍ତ୍ତି କାରିଗରଙ୍କୁ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଛି
ଓଡିଆ ନ୍ୟୁଜ୍(ବ୍ୟୁରୋ): ବିକୃତ ଗଣେଶ ମୂର୍ତ୍ତିକୁ ନେଇ ବିବାଦ ଉପୁଜିବା ପରେ ଏହି ମାମଲା ହାଇକୋର୍ଟରେ ପହଞ୍ଚିଛି । ବିକୃତ ମୂର୍ତ୍ତି ନିର୍ମାଣ କରିଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପୋଲିସ ତାଗିଦ କରିବା ପରେ ଏହାକୁ ଚାଲେଞ୍ଜ କରି ହାଇକୋର୍ଟର ଦ୍ବାରସ୍ଥ ହୋଇଛନ୍ତି ଶିଳ୍ପୀ କୁମ୍ଭାରସାହିର ମୂର୍ତ୍ତି କାରିଗର ନାରାୟଣ ମୁଦୁଲି । ପୋଲିସ ମୂର୍ତ୍ତି କାରିଗରଙ୍କୁ ନିର୍ଯାତନା ଦେଇଥିବାର ସେ ମାମଲାରେ ଦର୍ଶାଇଛନ୍ତି । କିଛି କାରୀଗରଙ୍କୁ ଥାନାରେ କିଛି ଘଣ୍ଟା ଅଟକ ରଖାଯାଇଛି । ଏପରିକି ପୋଲିସ କାରୀଗରଙ୍କୁ ଧମକ ଦେଇଥିବାର ମାମଲାରେ ଉଲ୍ଲେଖ କରାଯାଇଛି । ପରବର୍ତ୍ତୀ ସମୟରେ ଆଉ ବିକୃତ ମୂର୍ତ୍ତି ତିଆରି କରିବେ ନାହିଁ ବୋଲି ଏକ ଅଣ୍ଡରଟେକିଂ ଦେଇ କାରିଗରମାନଙ୍କୁ ଛଡାଯାଇଛି । ତେବେ ପୋଲିସ ଭୟରେ କାରୀଗରମାନେ ସାଧା କାଗଜରେ ଦସ୍ତଖତ ଦେବାକୁ ବାଧ୍ୟ ହୋଇଥିଲେ ବୋଲି ଆବେଦନରେ ଦର୍ଶାଯାଇଛି ।
ଯେଉଁ ବିକୃତ ଗଣେଶକୁ ନେଇ ପୋଲିସ ତାଗିଦ କରୁଛି, ତାହା ପୂର୍ବରୁ ଅନେକ ମଣ୍ଡପରେ ପୂଜା କରାଯାଉଥିଲା । ଏହା କୌଣସି ଧାର୍ମିକ ଭାବନାକୁ ଆଘାତ ଦେଉ ନାହିଁ ବୋଲି ମୂର୍ତ୍ତି କାରିଗର ଆବେଦନରେ ଦର୍ଶାଇଛନ୍ତି । ଏହାସହିତ ଆବେଦନକାରୀ ପୋଲିସ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ କୋର୍ଟଙ୍କୁ ପ୍ରାର୍ଥନା କରିଛନ୍ତି । ଏହି ମାମଲାରେ ରାଜ୍ୟ ଗୃହ ସଚିବ, ପୋଲିସ ମହାନିର୍ଦ୍ଦେଶକ, କଟକ ଡିସିପି, ପୁରୀଘାଟ ଥାନା ଅଧିକାରୀ ଓ କଟକ ଜିଲ୍ଲାପାଳଙ୍କୁ ପକ୍ଷଭୁକ୍ତ କରାଯାଇଛି । ଉଲ୍ଲେଖଯୋଗ୍ୟ, ମାତ୍ର ଦିନ କେଇଟା ପରେ ଗଣେଶ ଚତୁର୍ଥୀ । ବିଭିନ୍ନ ମଣ୍ଡପରେ ପୂଜା ପାଇବେ ଗଜାନନ । ଦୁଇ ବର୍ଷର କୋରୋନା କଟକଣା ପରେ ଭକ୍ତମାନେ ସିଧାସଳଖ ଯାଇ ଠାକୁରଙ୍କୁ ଦର୍ଶନ କରିପାରିବେ। ଆଧ୍ୟାତ୍ମିକ ମନୋଭାବ ନେଇ ଶୃଙ୍ଖଳିତ ଭାବେ ପାଳନ କରିବା ଉପରେ କମିଶନରେଟ ପୋଲିସ ଗୁରୁତ୍ବାରୋପ କରିଛି । ଏପରି ମୂର୍ତ୍ତି ଗଢୁଥିବା ବ୍ୟକ୍ତିଙ୍କ ବିରୁଦ୍ଧରେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଡିସିପି ସୂଚାଇ ଦେଇଛନ୍ତି।