୩ବର୍ଷ ପରେ ସ୍ୱାୟତ୍ତ ଶାସନ ଦିବସ ପାଳନ କଲା BMC, ରାଜଧାନୀବାସୀଙ୍କ ସମସ୍ୟା ପୁରଣ ଦିଗରେ ଶପଥ ନେଲେ କର୍ପୋରେଟର

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ):ସ୍ୱାୟତ୍ତ ଶାସନ ଦିବସ ପାଳନ କରୁଛି ଭୁବନେଶ୍ୱର ମହାନଗର ନିଗମ। ଦୀର୍ଘ 3ବର୍ଷ ପରେ ନିର୍ବାଚିତ ଜନପ୍ରତିନିଧିଙ୍କ ଦ୍ୱାରା ଏହି ଉତ୍ସବ ପାଳନ କରାଯାଉଛି। ଆଜି ପୂର୍ବାହ୍ଣ ସାଢ଼େ 8ଟା ସମୟରେ ବିଏମସି କାର୍ଯ୍ୟାଳୟ ପରିସରରେ ମେୟର ସୁଲୋଚନା ଦାସଙ୍କ ଦ୍ୱାରା ପତାକା ଉତ୍ତୋଳନ କରାଯାଇଥିଲା। ପରେ ମେୟର ଓ କମିଶନରଙ୍କ ଉପସ୍ଥିତିରେ ଆୟୋଜିତ ସ୍ୱତନ୍ତ୍ର ବୈଠକରେ ସମସ୍ତ କର୍ପୋରେଟର ଓ ଅଧିକାରୀ ଉପସ୍ଥିତ ରହି ଭୁବନେଶ୍ବରର ସର୍ବାଙ୍ଗୀନ ଉନ୍ନତି ସହ କିଭଳି ରାଜଧାନୀବାସୀଙ୍କୁ ଉନ୍ନତ ମୌଳିକ ସୁବିଧା ଯୋଗାଇ ଦିଆଯିବ ସେଥିନେଇ ଆଲୋଚନା କରିବା ସହ ସେଗୁଡିକୁ କିଭଳି କାର୍ଯ୍ୟକାରୀ କରାଯିବ ସେଥିପାଇଁ ଶପଥ ନେଇଥିଲେ। 3ଦିନ ଧରି ସ୍ୱାୟତ୍ତ ଶାସନ ଦିବସ ପାଳନ କରାଯିବାକୁ ଥିବାବେଳେ ଆଜି ସନ୍ଧ୍ୟାରେ ସୂଚନା ଭବନରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ଏଥିରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଉଷା ଦେବୀ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ। ଅନ୍ୟମାନଙ୍କ ମଧ୍ୟରେ ଭୁବନେଶ୍ୱରର 3ଜଣ ବିଧାୟକ ମଧ୍ୟ ଉପସ୍ଥିତ ରହିବେ। ଆସନ୍ତା କାଲି ଓ ଶୁକ୍ରବାର ଦୁଇଦିନ ବିଭିନ୍ନ ୱାର୍ଡରେ ପ୍ରାୟ 61କୋଟି ଟଙ୍କାର 40ରୁ ଅଧିକ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରି ରାଜଧାନିବାସୀଙ୍କୁ ଭେଟି ଦେଵ ବିଏମସି। ପ୍ରକଳ୍ପ ଗୁଡିକ ମଧ୍ୟରେ ମୁଖ୍ୟତଃ ଡ୍ରେନେଜ, ରାସ୍ତାଘାଟ, ଆଲୋକୀକରଣ, ପାର୍କ ଓ ଜଳାଶୟ ଗୁଡିକର ଉନ୍ନତିକରଣ କରାଯିବ। ସ୍ମାର୍ଟସିଟିକୁ କିଭଳି ଅଧିକ ସ୍ଵଛ, ନିର୍ମଳ ଓ ସୁନ୍ଦର ଭାବେ ଗଢି ତୋଳାଯାଇ ପାରିବ ସେଦିଗରେ କାର୍ଯ୍ୟ କରାଯିବ ଏବଂ ଏଥିପାଇଁ ସହରବାସୀଙ୍କ ସହଯୋଗ ଓ ସହଭାଗୀତା କାମନା କରିଛନ୍ତି ଉଭୟ ମେୟର ଓ କମିଶନର। ସ୍ୱାୟତ୍ତ ଶାସନ ଦିବସ ପାଳନ ଅବସରରେ ବିଏମସି ପକ୍ଷରୁ ମେଗା ରକ୍ତଦାନ ଶିବିର ଆୟୋଜନ କରି ଏକ ହଜାର ୟୁନିଟ ରକ୍ତ ସଂଗ୍ରହ କରିବାକୁ ଲକ୍ଷ୍ୟ ରଖାଯାଇଛି।

 

Leave A Reply

Your email address will not be published.