ଲାଇଫଟାଇମ ଆଚିଭମେଣ୍ଟ ଆୱାର୍ଡ ପରେ କାଲି ଫେରିବେ ମୁଖ୍ୟମନ୍ତ୍ରୀ, ସ୍ୱାଗତ ଅପେକ୍ଷାରେ ବୁଥ, ପଞ୍ଚାୟତ ସ୍ତରରୁ ଆରମ୍ଭ କରି ବିଧାୟକ,ସାଂସଦ

0

ଓଡିଆ ନ୍ୟୁଜ୍(ବ୍ୟୁରୋ):  ଆଓ୍ଵାର୍ଡ ପାଇଲେ, ପ୍ରଶଂସା ବି ସାଉଁଟିଲୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପୂର୍ବତନ ପ୍ରଧାନବିଚାରପତି ଏନ.ଭି.ରମଣାଙ୍କ ଭୁରି ଭୁରି ପ୍ରଶଂସା । ଓଡ଼ିଶାକୁ ସବୁ କ୍ଷେତ୍ରରେ କିଭଳି ରୂପାନ୍ତରିତ ହୋଇଛି ତାହାର ଉଦାହରଣ ରଖିଛନ୍ତି ଜଷ୍ଟିସ ଅନଙ୍ଗ ପଟ୍ଟନାୟକ। ଲଗାତର ଭାବେ ଦେଶରେ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ହୋଇ ଆସୁଥିବା ନବୀନଙ୍କ ସଫଳତା ପାଇଁ ବିଧାୟକ, ସାଂସଦ ବେଶ ଉଲ୍ଲସିତ। ଜାତୀୟ ସ୍ତରରେ ନବୀନଙ୍କ ଉପଲବ୍ଧିକୁ ସ୍ୱୀକୃତି ସହ ତାଙ୍କ କାମକୁ ପ୍ରଶଂସା ପରେ କାଲି ଭୁବନେଶ୍ୱର ଫେରୁଛନ୍ତି ମୁଖ୍ୟମନ୍ତ୍ରୀ। ଏଥିପାଇଁ ବଡ଼ ଆୟୋଜନ କରିଛି ବିଜେଡି।

ରାଜ୍ୟର ବିଭିନ୍ନ ପ୍ରାନ୍ତରରୁ ୫୦ ହଜାରରୁ ଅଧିକ ବିଜେଡି କର୍ମୀ ଏଥିରେ ସାମିଲ ହେବେ । କୋଭିଡ୍ ପରେ ପ୍ରଥମ ଥର ପାଇଁ ବିଜେଡିର ଏହି ବିରାଟ ଆୟୋଜନକୁ ଦୃଷ୍ଟିରେ ରଖି ପୁଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ହୋଇଛି । ୩୦ ପ୍ଲାଟୁନ୍ ପୁଲିସ ଫୋର୍ସଙ୍କୁ ସୁରକ୍ଷା କାର୍ଯ୍ୟରେ ନିୟୋଜିତ କରାଯିବ ।
ମଙ୍ଗଳବାର ଦିନ ପ୍ରାୟ ୧୧ଟାରେ ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବେ । ପୁରୁଣା ବିମାନବନ୍ଦର ଗେଟ୍ ଦେଇ ମୁଖ୍ୟମନ୍ତ୍ରୀ ବାହାରିବା ବେଳେ ବିଜେଡିର ବିଧାୟକ ଓ ସାଂସଦମାନେ ମୁଖ୍ୟମନ୍ତ୍ରୀଙ୍କୁ ପାଛୋଟି ଆଣିବେ । ସେମାନଙ୍କ ଗହଣରେ ମୁଖ୍ୟମନ୍ତ୍ରୀ ସେଠାରୁ ଏକ ସ୍ୱତନ୍ତ୍ର ବସ୍ ରେ ନବୀନ ନିବାସ ଅଭିମୁଖେ ବାହାରିବେ । ବିମାନବନ୍ଦର ପ୍ରବେଶପଥରେ ଥିବା ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ମୁଖ୍ୟମନ୍ତ୍ରୀ ମାଲ୍ୟାର୍ପଣ କରିବା ପରେ ନବୀନ ନିବାସ ଯାଏ ତାଙ୍କୁ ପଟୁଆରରେ ନିଆଯିବ ।
ପୁରୁଣା ବିମାନବନ୍ଦରରୁ ନବୀନ ନିବାସ ଯାଏ ବିରାଟ ହୋର୍ଡିଂ ଛାଇ ହୋଇଯାଇଛି । ଏଥିସହ ଏକାଧିକ ମଞ୍ଚ ପ୍ରସ୍ତୁତ କରାଯାଇଛି । ସେହି ମଞ୍ଚରେ ମୁଖ୍ୟମନ୍ତ୍ରୀଙ୍କୁ ସ୍ୱାଗତପୂର୍ବକ ଗୋଟିପୁଅ, ଯୋଡ଼ିଶଙ୍ଖ, ଢ଼େମସା, ସମ୍ବଲପୁରୀ ଭଳି ପାରମ୍ପରିକ ନୃତ୍ୟ ଏବଂ ବାଜା ପରିବେଷଣ କରାଯିବ ।
ଏହି ସ୍ୱାଗତ ସମ୍ବର୍ଦ୍ଧନା ପର୍ବରେ ସାମିଲ ପାଇଁ ରାଜ୍ୟର ବିଭିନ୍ନ ପ୍ରାନ୍ତରରୁ କର୍ମୀ ଆସୁଛନ୍ତି । ବିଧାୟକମାନଙ୍କ ଉପରେ ଏହି ଦାୟିତ୍ୱ ନ୍ୟସ୍ତ କରାଯାଇଛି । କାଲି ସକାଳ ୭ଟା ସୁଦ୍ଧା ସମସ୍ତେ ଭୁବନେଶ୍ୱରରେ ପହଞ୍ଚିବା ପାଇଁ କୁହାଯାଇଛି । ୫୦ ହଜାର କର୍ମୀଙ୍କୁ ଏହି ସ୍ୱାଗତ ପର୍ବରେ ସାମିଲ କରିବାକୁ ଯୋଜନା ହୋଇଥିଲେ ମଧ୍ୟ ସଂଖ୍ୟା ଲକ୍ଷେ ଛୁଇଁଯିବ ବୋଲି କୁହାଯାଉଛି ।
ମୁଖ୍ୟମନ୍ତ୍ରୀଙ୍କର ଏହି ବିଶାଳ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ପାଇଁ ପୁଲିସ ପକ୍ଷରୁ ଆବଶ୍ୟକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ସମୁଦାୟ ୩୦ ପ୍ଲାଟୁନ୍ ପୁଲିସ ଫୋର୍ସଙ୍କୁ ବିଭିନ୍ନ ଜାଗାରେ ମୁତୟନ କରାଯିବ । ସହରରେ ଟ୍ରାଫିକ୍ ନିୟନ୍ତ୍ରଣକୁ ପୁଲିସ ଅଧିକ ଗୁରୁତ୍ୱ ଦେଇଛି । ଅତିରିକ୍ତ ତିନୋଟି ଜାଗାରେ ଟ୍ରାଫିକ୍ ନିୟନ୍ତ୍ରଣ ପାଇଁ ଗାଡ଼ି ପାର୍କି ବ୍ୟବସ୍ଥା କରାଯାଇଛି । ଆସନ୍ତାକାଲି ବିମାନରେ ଯାତ୍ରା କରିବାକୁ ଥିବା ଲୋକମାନେ ଧାର୍ଯ୍ୟ ସମୟର ୩ ଘଣ୍ଟା ପୂର୍ବରୁ ବିମାନବନ୍ଦରରେ ପହଞ୍ଚି ଯିବାକୁ କମିଶନରେଟ୍ ପୁଲିସ ପକ୍ଷରୁ ଅନୁରୋଧ କରାଯାଇଛି ।

 

 

Leave A Reply

Your email address will not be published.