ଆଜି ଜାତୀୟ ଜଙ୍ଗଲ ଶହୀଦ ଦିବସ: ରାଜ୍ୟସ୍ତରୀୟ ବନବାହିନୀ ଶହୀଦ ସ୍ମାରକ ଉନ୍ମୋଚିତ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ):  ଜାତୀୟ ଜଙ୍ଗଲ ଶହୀଦ ଦିବସ ଅବସରରେ ଓଡ଼ିଶାର ବଣଜଙ୍ଗଲ ଓ ବନ୍ୟଜନ୍ତୁଙ୍କ ସୁରକ୍ଷା ସମୟରେ ପ୍ରାଣ ହରାଇଥିବା ଅମର ଶହୀଦଙ୍କ୍‌ ଅମ୍ଳାନ ସ୍ମୃତି ଉଦ୍ଦେଶ୍ୟରେ ଆଜି ପୂର୍ବାହ୍ନରେ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଶ୍ରୀ ପ୍ରଦିପ କୁମାର ଅମାତ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ଉଦ୍ଭିଦ ସମ୍ବଳ କେନ୍ଦ୍ରଠାରେ ରାଜ୍ୟସ୍ତରୀୟ ବନବାହିନୀ ଶହୀଦ ସ୍ମାରକର ଉନ୍ମୋଚନ କରିବା ସହିତ ଶହୀଦ ମାନଙ୍କୁ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଛନ୍ତି ।

ବଣଜଙ୍ଗଲ ଓ ବନ୍ୟଜନ୍ତୁଙ୍କ ସୁରକ୍ଷା ସମୟରେ ଶହୀଦ ହୋଇଥିବା ଆମ ରାଜ୍ୟର ୨୧ ଜଣ ଜଙ୍ଗଲ ବିଭାଗର ଅଧିକାରୀ ଓ କ୍ଷେତ୍ର କର୍ମଚାରୀଙ୍କ  ନାମ ଏହି ସ୍ମାରକରେ ଉଲ୍ଲେଖ ହୋଇଛି । ଜଙ୍ଗଲ ବିଭାଗର କ୍ଷେତ୍ର କର୍ମଚାରୀମାନେ ଜଙ୍ଗଲକୁ ସୁରକ୍ଷା ଦେବାବେଳେ ଅନେକ ଆହ୍ୱାନର ସମ୍ମୁଖୀନ ହୁଅନ୍ତି । ମାନବ-ବନ୍ୟଜନ୍ତୁ ବିବାଦ ଓ ଜଙ୍ଗଲରେ ଅଗ୍ନି ସଂଯୋଗ ଭଳି ପ୍ରତିକୂଳ ପରିସ୍ଥିତିରେ ବିଭାଗୀୟ କ୍ଷେତ୍ର କର୍ମଚାରୀମାନେ ଅସାଧାରଣ ସାହସ ଦେଖାଇ ଜଙ୍ଗଲ ଓ ବନ୍ୟଜନ୍ତୁଙ୍କ ଅନେକ ମାତ୍ରାରେ ସୁରକ୍ଷିତ କରି ରଖିବାରେ ସମର୍ଥ ହୋଇଛନ୍ତି ବୋଲି ଶ୍ରୀ ଅମାତ ପ୍ରକାଶ କରିଛନ୍ତି ।

ଜଙ୍ଗଲ ଓ ବନ୍ୟଜନ୍ତୁ  ସୁରକ୍ଷା ନିମନ୍ତେ ସମାଜର ପ୍ରତ୍ୟେକ ବର୍ଗର ନାଗରିକଙ୍କୁ ଅଧିକରୁ ଅଧିକ ସଚେତନ କରିବା ସହିତ ଜଙ୍ଗଲ ସୁରକ୍ଷା ନିୟମକୁ ଅଧିକ କଡ଼ାକଡ଼ି ଭାବେ କାର୍ଯ୍ୟକାରୀ କରିବାକୁ ପଡ଼ିବ । କାରଣ ପ୍ରକୃତିର ସନ୍ତୁଳନ ବଜାୟ ରଖିବାକୁ ହେଲେ ଜଙ୍ଗଲ ଓ ବନ୍ୟଜନ୍ତୁଙ୍କ ସୁରକ୍ଷା ଅପରିହାର୍ଯ୍ୟ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସବୁବେଳେ କହି ଆସିଛନ୍ତି ଯେ ପ୍ରାକୃତିକ ସଂପଦ ହେଉଛି ସବୁଠାରୁ ଶ୍ରେଷ୍ଠ ସଂପଦ । ଏଗୁଡ଼ିକୁ ସୁରକ୍ଷିତ ରଖିବା ଆମ ସମସ୍ତଙ୍କର ଉତ୍ତରଦାୟିତ୍ୱ । ପୃଥିବୀକୁ ସୁନ୍ଦର କରି ରଖିବାକୁ ହେଲେ ପ୍ରକୃତିକୁ ସବୁଜମୟ କରି ରଖିବାକୁ ପଡ଼ିବ ବୋଲି ମନ୍ତ୍ରୀ ଶ୍ରୀ ଅମାତ ପ୍ରକାଶ କରିଛନ୍ତି ।

ଏହି କାର୍ଯ୍ୟକ୍ରମରେ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସତ୍ୟବ୍ରତ ସାହୁ, ପ୍ରଧାନ ମୁଖ୍ୟ ବନସଂରକ୍ଷକ ଏବଂ ଜଙ୍ଗଲ ବାହିନୀର ମୁଖ୍ୟ ଶ୍ରୀ ଦେବୀଦତ୍ତ ବିଶ୍ୱାଳ, ପ୍ରଧାନ ମୁଖ୍ୟ ବନସଂରକ୍ଷକ ସୁଶ୍ରୀ ପୁସା ଜେଡ୍‌. ମେକ୍ରୋ, ପ୍ରଧାନ ମୁଖ୍ୟ ବନସଂରକ୍ଷକ (ବନ୍ୟଜନ୍ତୁ) ଶ୍ରୀ ସୁଶୀଲ କୁମାର ପୋପଲି, ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ସଦସ୍ୟ ସଚିବ ଶ୍ରୀ ଏମ୍‌. ମୁରୁଗେସାନ୍‌, ଏବଂ ମାନ୍ୟବର ମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଡ. ପ୍ରଦୀପ କୁମାର ରାଉତ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.