ଓଟିଏମ ପୁନରୁଦ୍ଧାର ମାମଲା: ଅଫିସିଆଲ ଲିକୁଡେଟରଙ୍କ ରାଜ୍ୟ ସରକାର ୧୧୫ କୋଟି ଦାଖଲ କରିବା ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ
ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଓଟିଏମ ପୁନରୁଦ୍ଧାର ପ୍ରସଙ୍ଗକୁ ନେଇ ହାଇକୋର୍ଟରେ ଦାଖଲ ମାମଲାର ଶୁଣାଣି କରି ଅଫିସିଆଲ ଲିକୁଡେଟରଙ୍କ ନିକଟରେ ରାଜ୍ୟ ସରକାର ୧୧୫ କୋଟି ଦାଖଲ କରିବା ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏକ ମାସ ମଧ୍ୟରେ ଏହି ୧୧୫ କୋଟି ଦାଖଲ କରିବାକୁ ନିର୍ଦ୍ଦେଶ ରହିଛି। ରାଜ୍ୟ ସରକାର ପୂର୍ବରୁ ୩୦ କୋଟି ଓ ଇଡ଼କୋ ପକ୍ଷରୁ ୫ କୋଟି ଏମିତି ୩୫ ଦାଖଲ ହୋଇଥିଲା।
ଅକ୍ଟୋବର ୧୫ ତାରିଖ ସୁଦ୍ଧା ବକେୟା ୧୧୫ କୋଟି ରାଜ୍ୟ ସରକାର ଦାଖଲ କରିବେ ବୋଲି ନିର୍ଦ୍ଦେଶ ଦିଆଯାଇଛି। ଅଫିସିଆଲ ଲିକ୍ୟୁଡେଟରଙ୍କୁ ଅତିରିକ୍ତ ସତ୍ୟପାଠ ଦାଖଲ କରିବାକୁ ପୂର୍ବ ତାରିଖରେ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିବା ବେଳେ ସେ ଏହି ସତ୍ୟପାଠ ଆଜି ଦାଖଲ କରିଥିଲେ। ଶ୍ରମିକଙ୍କ ପ୍ରାପ୍ୟ ଏବଂ ଦେୟ ସମ୍ପର୍କରେ ଦାଖଲ ହୋଇଥିବା ଏହି ସତ୍ୟପାଠରେ ରାଜ୍ୟ ସରକାର ଅତିରିକ୍ତ ୧୧୫ କୋଟି ଦାଖଲ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେବାକୁ ସତ୍ୟପାଠରେ ପ୍ରାର୍ଥନା କରିଛନ୍ତି ଓଟିଏମର ଅଫିସିଆଲ ଲିକୁଡେଟର ।
ପୂର୍ବରୁ ମାମଲାର ଶୁଣାଣି କରି କୋର୍ଟ ଜଣେ ଚାଟାର୍ଡ ଆକାଉଣ୍ଟଟାଣ୍ଟ ନିଯୁକ୍ତି କରିବାକୁ ନିର୍ଦ୍ଦେଶ ଦେଇଥିଲେ। ତଦନୁଯାୟୀ ଚାଟାର୍ଡ ଆକାଉଣ୍ଟାଣ୍ଟ ନିଯୁକ୍ତି କରାଯାଇଛି। ଓଟିଏମ ପାଇଁ ରାଜ୍ୟ ସରକାର ପ୍ରାଥମିକ ପର୍ଯ୍ୟାୟରେ ୩୦ କୋଟି ଟଙ୍କା ଡିପୋଜିଟ କରିଥିବା ନେଇ ଆଡଭୋକେଟ ଜେନେରାଲ ହାଇକୋର୍ଟଙ୍କୁ ଅବଗତ କରାଇଥିଲେ। ସେହିପରି ଇଡକୋ ମଧ୍ୟ ୫ କୋଟି ଟଙ୍କା ଡିପୋଜିଟ କରିଥିବା ଜଣାପଡିଛି। ଓଟିଏମକୁ ରାଜ୍ୟସରକାର ଟେକଓଭର କରନ୍ତୁ ବୋଲି ଆବେଦନକାରୀ ହାଇକୋର୍ଟରେ ଏକ ମାମଲା ଦାୟର କରିଛନ୍ତି। ଆସନ୍ତା ଅକ୍ଟୋବର ୧୮ ତାରିଖରେ ହାଇକୋର୍ଟରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ ବୋଲି ଧାର୍ଯ୍ୟ କରାଯାଇଛି।