ଗ୍ରାମ୍ୟ ରୋଜଗାର ସେବକଙ୍କର ମଧ୍ୟ ପଞ୍ଚାୟତରୁ ପଞ୍ଚାୟତକୁ ହୋଇପାରିବ ବଦଳି, ଜିଲ୍ଲାପାଳଙ୍କ ରହିଛି କ୍ଷମତା:ହାଇକୋର୍ଟ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଗ୍ରାମ ରୋଜଗାର ସେବକ(ଜିଆର୍‌ଏସ୍‌)ଙ୍କୁ ଜିଲ୍ଲା ଭିତରେ ଗୋଟିଏ ଗ୍ରାମପଞ୍ଚାୟତରୁ ଅନ୍ୟ ଗ୍ରାମପଞ୍ଚାୟତକୁ ବଦଳି ପାଇଁ ଜିଲ୍ଲାପାଳଙ୍କର କ୍ଷମତା ରହିଛି। ଜିଲ୍ଲାପାଳ ଜାରି କରିଥିବା ଜିଆର୍‌ଏସ୍‌ଙ୍କ ବଦଳି ନିର୍ଦ୍ଦେଶ ଆଇନର ଉଲ୍ଲଂଘନ କରୁନାହିଁ। ଜିଆର୍‌ଏସ୍‌ଙ୍କ ବଦଳି ସଂପର୍କିତ ନିୟମାବଳୀ ଓ ନିର୍ଦ୍ଦେଶନାମାକୁ ଚାଲେଞ୍ଜ କରି ଦାୟର ମାମଲା ଉପରେ ମୁଖ୍ୟ ବିଚାରପତି ଡକ୍ଟର ଜ‌ଷ୍ଟିସ ଏସ.ମୁରଲୀଧର ଓ ଜଷ୍ଟିସ ଚିତ୍ତରଂଜନ ଦାଶଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ରାୟ ପ୍ରଦାନ କରିଛନ୍ତି। ଏଥିସହିତ ସମସ୍ତ ଦାୟର ମାମଲାକୁ ଖାରଜ କରିଦେଇଛନ୍ତି ହାଇକୋର୍ଟ। କେତେକ ଜିଆର୍‌ଏସ୍‌ଙ୍କ ବଦଳି ପ୍ରସଙ୍ଗରେ ଜାରି କରାଯାଇଥିବା ଅନ୍ତରୀଣ ରହିତାଦେଶକୁ ବି ହଟାଇ ଦେଇଛନ୍ତି।

ମାମଲାର ଶୁଣାଣି ସମୟରେ ସରକାରଙ୍କ ତରଫରୁ ଦର୍ଶାଯାଇଥିଲା ଯେ ମନରେଗା ଆଇନର ଧାରା-୧୮ ଅନୁସାରେ ପ୍ରଶାସନିକ ଆବଶ୍ୟକତା ଦୃଷ୍ଟିରୁ ଜିଆର୍‌ଏସ୍‌ଙ୍କୁ ଜିଲ୍ଲା ଭିତରେ ବଦଳି ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇପାରିବେ। ମନରେଗା କାର୍ଯ୍ୟ ପଞ୍ଚାୟତ ସ୍ତରରେ କାର୍ଯ୍ୟକାରୀ ହେଉଥିବାବେଳେ ଏଥିରେ ଜିଆର୍‌ଏସ୍‌ ସହଯୋଗ କରୁଛନ୍ତି। ମ‌ନରେଗା ଆଇନ ଅନୁସାରେ ଜିଆର୍‌ଏସ୍‌ଙ୍କ ନିୟୋଜନ କରାଯାଉଥିବାବେଳେ ଏହି ପ୍ରସଙ୍ଗ ଗ୍ରାମ ପଞ୍ଚାୟତ ଆଇନ ଅନ୍ତର୍ଗତ ବୋଲି ଭ୍ରାନ୍ତ ଧାରଣା ରହିଛି। ରାଜ୍ୟରେ ପ୍ରାୟ ୬ ହଜାରରୁ ଅଧିକ ଜିଆର୍‌ଏସ୍‌ କାର୍ଯ୍ୟ କରୁଥିବା ବେଳେ ସେମାନଙ୍କ ମଧ୍ୟରୁ ଅଧିକାଂଶଙ୍କୁ ହଠାତ୍‌ ବଦଳି କରାଯାଇଥିଲା। ଏପରି ନିଷ୍ପତ୍ତିକୁ ଚାଲେଞ୍ଜ କରି ଓଡ଼ିଶା ଗ୍ରାମ ରୋଜଗାର ସେବକ ସଂଘ ସହିତ ଅନ୍ୟମାନେ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ।

Leave A Reply

Your email address will not be published.