ମିଶନ ୧୨୦ ନେଇ ୨୦୨୪ ନିର୍ବାଚନରେ ଓହ୍ଲାଇବ ବିଜେପି: ଜିଲ୍ଲା ସଭାପତି,ପଦାଧିକାରୀ, ବିଧାୟକ, ସାଂସଦମାନଙ୍କୁ ଗୁରୁମନ୍ତ୍ର ଦେବେ ନଡ୍ଡା
ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଜେପି ନଡ୍ଡାଙ୍କ ଦୁଇ ଦିନିଆ ଓଡିଶା ଗସ୍ତକୁ ନେଇ ବିଜେପିର ବରିଷ୍ଠ ନେତା ପ୍ରଦୀପ ପୁରୋହିତଙ୍କ ପ୍ରତିକ୍ରିୟା। ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ଦୁଇ ଦିନିଆ ଓଡିଶା ଗସ୍ତ ଦଳ ପାଇଁ ଓଡିଶା ବହୁ ଗୁରୁତ୍ୱପୂର୍ଣ୍ଣ। ଭାରତୀୟ ଜନତା ପାର୍ଟି ମିଶନ ୧୨୦ ନେଇ ୨୦୨୪ ନିର୍ବାଚନରେ ଓହ୍ଲାଇବ।
ଜେପି ନଡ୍ଡାଙ୍କୁ ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନବନ୍ଦରେ ବିଜେପି ପକ୍ଷରୁ ଭବ୍ୟ ସ୍ୱାଗତ କରାଯିବ। ପରେ ବିରାଟ ଶୋଭାଯାତ୍ରାରେ ରାଷ୍ଟ୍ରୀୟ ଅଧ୍ୟକ୍ଷ ପାର୍ଟି କାର୍ଯ୍ୟାଳୟକୁ ଆସିବେ | ରାଜ୍ୟ କାର୍ଯ୍ୟାଳୟରୁ ଜନତା ମଇଦାନ ଯିବେ । ସେଠାରେ ଦିନ ୧୧ଟା ବେଳେ ଓଡ଼ିଶାର ପ୍ରତ୍ୟେକ ପଞ୍ଚାୟତ ଶକ୍ତି କେନ୍ଦ୍ରର ତିନି ଜଣ ପ୍ରମୁଖ କର୍ମକର୍ତ୍ତାଙ୍କୁ ନେଇ ସମ୍ମିଳନୀ ରହିଛି | ସେଠାରେ ଜେପି ନଡ୍ଡା ଶକ୍ତି କେନ୍ଦ୍ରର ପ୍ରମୁଖ ମାନଙ୍କୁ ସମ୍ବୋଧିତ କରିବେ। ତାହା ପରେ ରାଜ୍ୟ କାର୍ଯ୍ୟାଳୟରେ ବିଭିନ୍ନ ବୈଠକ ରହିଛି । ଯେଉଁଥିରେ ସମସ୍ତ ଜିଲ୍ଲାର ଜିଲ୍ଲା ସଭାପତି,ପଦାଧିକାରୀ, ବିଧାୟକ, ସାଂସଦ, ପୂର୍ବତନ ବିଧାୟକ ଓ ସାଂସଦ, ପ୍ରଭାରୀ ମାନଙ୍କ ସହ ଭିନ୍ନ ଭିନ୍ନ ପର୍ଯ୍ୟୟରେ ବୈଠକ କରିବେ।
ଏହା ସହ ସାଙ୍ଗଠନିକ ବୈଠକ ବି ହେବ। ସେହିଦିନ ରାତିରେ ପୁରୀ ଗସ୍ତ କରିବେ ଜେପି ନଡ୍ଡା । ୩୦ ତାରିଖ ସକାଳେ ମହାପ୍ରଭୁ ଜଗନ୍ନାଥଙ୍କ ଦର୍ଶନ କରିବେ। ସେଠାରୁ ସିଧାସଳଖ ଭଦ୍ରକ ଧାମନଗର ଯିବେ। ଦିବଙ୍ଗତ ନେତା ବିଷ୍ଣୁ ସେଠୀଙ୍କ ପରିବାରଙ୍କୁ ଭେଟିବେ ଜେପି ନଡ୍ଡା। ଧାମନଗରରୁ ଫେରିବା ପରେ ଦିନ ୧୧ ଟା ବେଳେ ୭ ମୋର୍ଚ୍ଚାର ଜିଲ୍ଲା କମିଟିର ସମସ୍ତ ସଦସ୍ୟଙ୍କ ସହ ଆଲୋଚନା କରିବେ | ଏହି ବୈଠକ ବି ଜନତା ମଇଦାନରେ ହେବ, ଯାହା କି ସଂଯୁକ୍ତ ମୋର୍ଚ୍ଚର ସମାବେଶ ହେବ। ସେହି ଦିନ ସନ୍ଧ୍ୟାରେ ହିଁ ପ୍ରତ୍ୟାବର୍ତ୍ତନ କରିବାର କାର୍ଯ୍ୟକ୍ରମ ରହିଛି।