ଦୁଇଦିନିଆ ଓଡ଼ିଶା ଗସ୍ତରେ ବିଜେପି ଜାତୀୟ ସଭାପତି ଜେପି ନଡ୍ଡା: ଜନତା ମଇଦାନ ଶକ୍ତିକେନ୍ଦ୍ର ସମାବେଶରେ ଉଦ୍ବୋଧନ ଦେଇ କର୍ମୀଙ୍କୁ କଲେ ଚାର୍ଜ
ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି ବିଜେପି ଜାତୀୟ ସଭାପତି ଜେପି ନଡ୍ଡା। ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ଭବ୍ୟ ସ୍ୱାଗତ କରାଯାଇଛି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ବହୁ ବରିଷ୍ଠ ନେତା ତାଙ୍କୁ ପାଛୋଟି ନେଇଥିଲେ। ପାରମ୍ପରିକ ବାଦ୍ୟ ଓ ଗୀତର ତାଳେ ତାଳେ ତାଙ୍କୁ ସ୍ୱାଗତ କରାଯାଇଛି। ବିମାନବନ୍ଦରରୁ ବିଶାଳ ବାଇକ୍ ଶୋଭାଯାତ୍ରାରେ ବିଜେପି ରାଜ୍ୟ କାର୍ଯ୍ୟାଳୟକୁ ପାଛୋଟି ନେଇଥିଲେ ନେତା ଓ କର୍ମୀ । ପରେ ଜନତା ମଇଦାନ କାର୍ଯ୍ୟକ୍ରମରେ ଶକ୍ତିକେନ୍ଦ୍ର ସମ୍ମିଳନୀରେ ଯୋଗ ଦେଇଥିଲେ। ଭୁବନେଶ୍ୱରରେ ଜନତା ମଇଦାନ ଶକ୍ତିକେନ୍ଦ୍ର ସମାବେଶରେ ଉଦ୍ବୋଧନ ଦେଇ ୨୦୨୪ରେ ଡବଲ ଇଞ୍ଜିନ ସରକାର ଗଠନ ପାଇଁ ଆହ୍ଵାନ ଦେଇଛନ୍ତି। ଆୟୁଷ୍ମାନ ଯୋଜନାରୁ ୫୦ଲକ୍ଷ ଓଡ଼ିଆ ବଞ୍ଚିତ ହୋଇଥିବା ସେ ଅଭିଯୋଗ କରିଛନ୍ତି। ସେହିପରି ମନରେଗା ଦୁର୍ନୀତି ନେଇ ମଧ୍ୟ ଅଭିଯୋଗ କରିଛନ୍ତି। ବିଜେପି ବିଶ୍ୱର ବୃହତ ଦଳ ବୋଲି ସେ କହିଛନ୍ତି। ଏତେ ବଡ଼ ପାର୍ଟି କେଉଁଠି ନାହିଁ। ଭାରତୀୟ ଜନତା ପାର୍ଟି ବିଚାରକୁ ନେଇ ଚାଲିଛି। ଏହାସହ ସେ କଂଗ୍ରେସକୁ କଡ଼ା ସମାଲୋଚନା କରିଛନ୍ତି। ଭାରତୀୟ ଜାତୀୟ କଂଗ୍ରେସରେ ନା ଜାତୀୟ ଅଛି ନା ଭାରତୀୟ ଅଛି ବୋଲି କହିଛନ୍ତି ଜେ ପି ନଡ୍ଡା। କଂଗ୍ରେସ ଏବେ ଭାଇଭଉଣୀଙ୍କ ପାର୍ଟି ହୋଇଯାଇଛି। ପରିବାର ରାଜନୀତିକୁ କଡ଼ା ସମାଲୋଚନା କରିଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ।
ବିଜେପି ସମାବେଶରେ ୨୫ ହଜାରରୁ ଅଧିକ କାର୍ଯ୍ୟକର୍ତ୍ତା ଯୋଗଦେଇଛନ୍ତି। ଦ୍ୱିତୀୟ ଦିନରେ ସବୁ ଜିଲ୍ଲାର ଜିଲ୍ଲା ସଭାପତି, ପଦାଧିକାରୀ, ବିଧାୟକ, ସାଂସଦ, ପୂର୍ବତନ ବିଧାୟକ ଓ ସାଂସଦଙ୍କ ସହ ବିଭିନ୍ନ ପର୍ଯ୍ୟାୟରେ ବୈଠକ କରିବେ । ଏହାସହ ସାଙ୍ଗଠନିକ ବୈଠକ ଓ ସଂଯୁକ୍ତ ମୋର୍ଚ୍ଚାର ସମାବେଶ ହେବ ।

ବିଜେପିର ବିଚାରଧାରାଠାରୁ ଆରମ୍ଭ କରି ମୋଦି ସରକାରଙ୍କ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକ୍ରମ ସମ୍ପର୍କରେ ନଡ୍ଡା ଲମ୍ବା ଭାଷଣ ରଖିଥିଲେ । ତାଙ୍କ ରାଷ୍ଟ୍ରୀୟ ଦଳର ଶକ୍ତି କେତେ ତାହାର ହିସାବ ଦେଇ କଂଗ୍ରେସକୁ ଆଗ ଟାର୍ଗେଟ୍ କରିଥିଲେ । ଭାରତୀୟ ଜାତୀୟ କଂଗ୍ରେସ ଏବେ ଆଉ ଭାରତୀୟ, ଜାତୀୟ କି କଂଗ୍ରେସ ହୋଇ ରହିନାହିଁ । ବରଂ ଭାଇଭଉଣୀଙ୍କ ପାର୍ଟି ହୋଇଯାଇଛି ବୋଲି କଟାକ୍ଷ କରିଥିଲେ । ସେହିଭଳି ଓଡ଼ିଶାରେ ବିଜେଡି ସମେତ ବିଭିନ୍ନ ଆଞ୍ଚଳିକ ଦଳଗୁଡ଼ିକରେ ପରିବାର ରାଜନୀତି ଚାଲିଛି ବୋଲି ଆକ୍ଷେପ କରିଥିଲେ ।ଭାଷଣ ଶେଷ ଆଡକୁ ସେ ଓଡ଼ିଶା ସରକାରଙ୍କ କଥା କହିଥିଲେ । ରାଜ୍ୟ ସରକାର ଆକଣ୍ଠ ଭ୍ରଷ୍ଟାଚାର, ଦୁର୍ନୀତିରେ ବୁଡିଛି । ସ୍ୱାସ୍ଥ୍ୟସେବାରେ ପଛରେ ପଡ଼ିଛି । ଆୟୁଷ୍ମାନ ଯୋଜନା ଲାଗୁ କରୁ ନ ଥିବାରୁ ୫୦ ଲକ୍ଷ ଲୋକଙ୍କୁ ଏହି ସୁବିଧାରୁ ବଞ୍ଚିତ କରାଯାଇଛି । ମନରେଗାରେ ମିଥ୍ୟା ବିଲ୍ କରି ଟଙ୍କା ହଡ଼ପ କରାଯାଉଛି । ପିଏମ ଆବାସ ଯୋଜନାରେ ବିଜୁ ପକ୍କା ଘର ପୋଷ୍ଟର ଲାଗୁଛି । ମହାପ୍ରଭୁଙ୍କ ରତ୍ନଭଣ୍ଡାର ସୁରକ୍ଷିତ ନାହିଁ । ରକ୍ଷକ ଏଠି ଭକ୍ଷକ ସାଜିଛି । ୩ ମନ୍ତ୍ରୀ ହତ୍ୟା ମାମଲାରେ ସଂପୃକ୍ତ ଅଛନ୍ତି । ଏଭଳି ସରକାରକୁ ଫିଙ୍ଗି ଦେଇ ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ଆଣିବାକୁ ନଡ୍ଡା ଆହ୍ୱାନ ଦେଇଥିଲେ ।
ବିଜେଡି ସରକାରକୁ ସମୁଦ୍ରରେ ଫିଙ୍ଗି ଦିଅ, ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ବିଜେପିର ପୁରୁଣା ସ୍ଲୋଗାନ୍ । ଗତ ନିର୍ବାଚନରେ ଖୋଦ୍ ଅମିତ୍ ଶାହା ଅତ୍ୟନ୍ତ କଟୁ ଭାଷାରେ ବିଜେଡିକୁ ସମାଲୋଚନା କରି ଏହି ଆହ୍ୱାନ ଦେଉଥିଲେ । ମାତ୍ର ଭୋଟରଙ୍କ ଉପରେ ଏହାର ପ୍ରଭାବ ପଡ଼ିଲା ନାହିଁ । ଆଜି ଆଗାମୀ ନିର୍ବାଚନର ପ୍ରସ୍ତୁତିପର୍ବରେ ନଡ୍ଡାଙ୍କର ଅନୁରୂପ ଆହ୍ୱାନରୁ କେବଳ ଔପଚାରିକତାର ଗନ୍ଧ ବାରିଛନ୍ତି ରାଜନୈତିକ ସମୀକ୍ଷକ । ତାଙ୍କ ଭାଷଣରେ ରାଜ୍ୟ ସରକାରଙ୍କୁ ସମାଲୋଚନାର ଦାଢ଼ ନ ଥିଲା କି ସ୍ୱରରେ ଦମ୍ଭ ନ ଥିଲା ।
ଆଉ ଏକ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଯେ ଏଠି କଂଗ୍ରେସ ବିରୋଧରେ ନୁହେଁ, ବିଜେଡି ବିରୋଧରେ ଲଢ଼େଇ କରିବ ବିଜେପି । ମାତ୍ର ନଡ୍ଡା ତାଙ୍କ ଭାଷଣରେ କଂଗ୍ରେସକୁ ଶାଣିତ ଆକ୍ରମଣ କରିଥିଲା ବେଳେ ବିଜେଡି ସରକାରଙ୍କୁ ଲୋକଦେଖାଣିଆ ଆକ୍ରମଣ କରିଥିବା କୁହାଯାଉଛି ।
ଏହି ସଭାରେ ଭାଷଣ ଦେଇଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନାଁ ନେଇ ନ ଥିଲେ । ସେ କହିଥିଲେ, ରାଜ୍ୟ ସରକାର ଧ୍ରୁତରାଷ୍ଟ ସାଜିଛି । ରାଜ୍ୟ ସରକାର ମହିଳା ସଶକ୍ତିକରଣର ଡିଣ୍ଡିମ ପିଟୁଥିବା ବେଳେ ଗତ ଦୁଇବର୍ଷରେ ପୁରୁଷଙ୍କ ତୁଳନାରେ ମହିଳାଙ୍କ ସଂଖ୍ୟା କମିଛି । ମୁଣ୍ଡପିଛା ଆୟ ଅଧିକ ଦର୍ଶଉଥିବା ବେଳେ ବାହାର ରାଜ୍ୟକୁ ଲୋକ ଦାଦନ ଖଟିବାକୁ ଯାଉଛନ୍ତି । ରାଜ୍ୟ ସରକାର ଆତ୍ମପ୍ରଚାରରେ ବ୍ୟସ୍ତ । ନିଜର ସ୍ୱାର୍ଥ ପାଇଁ ଜନକଲ୍ୟାଣ ଭୁଲି ଯାଇଛନ୍ତି । ଓଡ଼ିଶାରେ ବିଜେପିକୁ ମଜବୁତ କରିବାକୁ ଆମକୁ ଦୃଢ଼ ପରିଶ୍ରମ କରିବାକୁ ପଡ଼ିବ ବୋଲି ଧର୍ମେନ୍ଦ୍ର କହିଥିଲେ ।