ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଧାମନଗର ଉପ ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେଡି । ଅବନ୍ତୀ ଦାସ ବିଜେଡିରୁ ପ୍ରାର୍ଥି ହେବେ । ଏନେଇ ଦଳ ପକ୍ଷରୁ ଘୋଷଣା କରାଯାଇଛି । ଗତ ପଞ୍ଚାୟତ ନିର୍ବାଚନରେ ସମିତିସଭ୍ୟ ଭାବେ ଜିତିଥିଲେ ଅବନ୍ତୀ ଦାସ ।ତାଙ୍କ ପାଖରେ ମିଶନ ଶକ୍ତି ଏସଏଚଜିରେ ଦୀର୍ଘ ଅଭିଜ୍ଞତା ରହିଛି। ତେବେ ଆଜି କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ଘୋଷଣା କରାଯାଇଥିବା ବେଳେ ଏହା ପୂର୍ବରୁ ବିଜେପି ମଧ୍ୟ ପ୍ରାର୍ଥୀ ଘୋଷଣା କରିସାରିଥିଲା। ବିଜେପି ତରଫରୁ ଦିବଂଗତ ବିଧାୟକ ବିଷ୍ଣୁ ସେଠୀଙ୍କ ପୁଅ ସୂର୍ଯ୍ୟବଂଶୀ ସୁରଜ ପ୍ରାର୍ଥୀ ହୋଇଥିବା ବେଳେ ବାବା ହରେକୃଷ୍ଣ ସେଠୀଙ୍କୁ କଂଗ୍ରେସ ପ୍ରାର୍ଥୀ କରିଛି।
ପ୍ରକାଶ ଯୋଗ୍ୟ ଯେ, ନଭେମ୍ବର ୩ ତାରିଖରେ ଧାମନଗର ଉପନିର୍ବାଚନ ପାଇଁ ଭୋଟ ହେବ। ଆଜି ରାଜ୍ୟର ପ୍ରମୁଖ ୩ ଦଳ ନିଜ ନିଜର ପ୍ରାର୍ଥୀ ଘୋଷଣା ପରେ ନିର୍ବାଚନ ଲଢେଇ ଜୋରଦାର ହେବ ବୋଲି ଅନୁମାନ କରାଯାଉଛି। ଶାସକ ଦଳ ବ୍ୟତୀତ ଉଭୟ ବିରୋଧୀ ଦଳ ଧାମନଗର ଉପ ନିର୍ବାଚନରେ ବିଜୟ ଲାଭ କରିବେ ବୋଲି ଦାବି କରୁଛନ୍ତି। ତେବେ ବିଜେପି ଏଠାରେ ନିଜ ଆସନକୁ ସୁରକ୍ଷିତ ରଖିବାରେ ସଫଳ ହୋଇପାରୁଛି ନା ବାଲେଶ୍ଵର ଉପ ନିର୍ବାଚନ ଭଳି ବିଜେଡ଼ି ହାତକୁ ଏହି ଆସନ ଯାଉଛି, ନା କଂଗ୍ରେସ ଏଠାରେ ଉଭୟ ଦଳକୁ ଚକମା ଦେଇ ବାଜିମାତ କରୁଛି, ତାହା ଦେଖିବା ବାକି ରହିଲା।