ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍ ନେଇ ହାଇକୋର୍ଟରେ ପୁଣି ଏକ ଜନସ୍ୱାର୍ଥ ମାମଲା, ଜାଣନ୍ତୁ ଆବେଦନକାରୀ କଣ ଦର୍ଶାଇଛନ୍ତି
ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ହାଇ ସିକୁରିଟ ନମ୍ବର ପ୍ଲେଟ ବା ଏଚଏସଆରପିକୁ ନେଇ ବଢୁଛି ଅଡ଼ୁଆ। କେନ୍ଦ୍ର ସରକାରଙ୍କ ପରିଵହନ ମନ୍ତ୍ରଣାଳୟର ନିର୍ଦ୍ଦେଶ ଅନୁଯାୟୀ ସାରା ଦେଶରେ ନମ୍ବର ପ୍ଲେଟକୁ ହାଇ ସିକୁରିଟ କରାଯାଉଛି। ପବିତ୍ର ମୋହନ ଖଟୁଆଙ୍କ ଆବେଦନର ଶୁଣାଣି କରି ହାଇକୋର୍ଟ ସବୁ ପ୍ରକାର ନମ୍ବର ପ୍ଲେଟ ପାଇଁ ଏକ ମାସର ସମୟ ବୃଦ୍ଧି କରିଥିଲେ। ଯାହାକି ୨୦୨୩ ଜାନୁଆରୀ ୩୧ ତାରିଖରେ ଶେଷ ହେବାକୁ ଯାଉଛି। ଗାଡି ନମ୍ବର ଶେଷରେ ୧,୨,୩,୪ ଥିଲେ ଶେଷ ତାରିଖ ଅକ୍ଟୋବର ୩୧। ଗାଡି ନମ୍ବର ଶେଷରେ ୫ଓ ୬ ଥିଲେ ଶେଷ ତାରିଖ ନଭେମ୍ବର ୩୦। ଗାଡି ନମ୍ବର ଶେଷରେ ୭ଓ ୮ ଥିଲେ ଶେଷ ତାରିଖ ଡ଼ିସେମ୍ବର ୩୧। ଗାଡି ନମ୍ବର ଶେଷରେ ୯ ଓ ୦ ଥିଲେ ଶେଷ ତାରିଖ ଜାନୁଆରୀ ୩୧। କିନ୍ତୁ ଏହା ଭିତରେ ସମସ୍ତ ଗାଡି ଏଚଏସଆରପି କରିବା ସମ୍ଭବ ମନେ ହେଉ ନାହିଁ। ଯାହାକି ରାଜ୍ୟ ସରକାରଙ୍କ କମର୍ସ ଓ ଟ୍ରାନ୍ସପୋର୍ଟ ଡିପାର୍ଟମେଂଟ ପକ୍ଷରୁ ପରିବହନ କମିଶନରଙ୍କୁ ହୋଇଥିବା ଚିଠିରେ ସ୍ପଷ୍ଟ ହୋଇଛି। ରାଜ୍ୟରେ ୨୦୧୯ ଏପ୍ରିଲ ୧ ତାରିଖ ପୂର୍ବରୁ ଥିବା ଗାଡି ଗୁଡିକର ନମ୍ବର ପ୍ଲେଟ ପରିବର୍ତ୍ତନ ଆବଶ୍ୟକ ପଡୁଛି। ଏଭଳି ଅନେକ ଗାଡି ରହିଛି ଯେଉଁ ଗାଡି ନିର୍ମାଣ କରିଥିବା କମ୍ପାନୀଗୁଡିକ ବନ୍ଦ ହୋଇ ସାରିଲାଣି।
ଏଭଳି ଗାଡି ଗୁଡିକର ନମ୍ବର ପ୍ଲେଟ ପରିବର୍ତ୍ତନ ବେଶୀ ସମସ୍ୟା ଦେଖା ଦେଇଛି। ସରକାରଙ୍କ ପକ୍ଷରୁ ହୋଇଥିବା ଚିଠିରେ ପରିଵହନ କମିଶନର ରାଜ୍ୟରେ ଥିବା ପୁରୁଣା ଗାଡିର ହିସାବ କରି ଏବଂ ହାଇ ସିକୁରିଟ ନମ୍ବର ପ୍ଲେଟ ପ୍ରସ୍ତୁତ କରୁଥିବା ପ୍ରସ୍ତୁତକାରୀଙ୍କ କ୍ଷମତାକୁ ଆକଳନ କରି ସେହି ଅନୁସାରେ ଡେଡ଼ ଲାଇନ ଫିକ୍ସ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଇତିମଧ୍ୟରେ ହାଇକୋର୍ଟରେ ହାଇ ସିକୁରିଟ ନମ୍ବର ପ୍ଲେଟ ସମୟ ବୃଦ୍ଧି ନେଇ ଆଉ ଏକ ଜନସ୍ବାର୍ଥ ମାମଲା ରୁଜ୍ଜୁ ହୋଇଛି। ପବିତ୍ର ମୋହନ ପ୍ରଧାନଙ୍କ ପକ୍ଷରୁ ହୋଇଥିବା ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ୨୬ ତାରିଖରେ ହେବ ବୋଲି ଧାର୍ଯ୍ୟ କରାଯାଇଛି।