ନିର୍ବାଚନ ପ୍ରକ୍ରିୟା ଶେଷ ହେବା ଯାଏ ଧାମନଗରରେ ଏସ୍‌ଏଚ୍‌ଜି ଗ୍ରୁପର ବ୍ୟାଙ୍କ ଆକାଉଂଟକୁ ଫ୍ରିଜ କରାଯାଉ, ସିଇଓଙ୍କ ନିକଟରେ ଫେରାଦ ହେଲା ବିଜେପି

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ):   ସରକାରୀ କର୍ମକର୍ତାମାନଙ୍କୁ ଶାସକ ବିଜୁ ଜନତା ଦଳର କାର୍ଯ୍ୟକର୍ତା ଭାବେ ବ୍ୟବହାର କରି ବିଜେଡି ସପକ୍ଷରେ ଭୋଟ୍ ଦେବାକୁ ଜନସାଧାରଣଙ୍କୁ ପ୍ରବର୍ତାଇବା ଗଣତନ୍ତ୍ର ପାଇଁ ଆଦୌ ଶୁଭଙ୍କର ନୁହେଁ । ଭୋଟରଙ୍କୁ ପ୍ରଭାବିତ କରିବା ପାଇଁ ଶାସକ ବିଜେଡି ଅତୀତରେ ପୋଲିସ, ଆମ୍ବୁଲାନ୍ସର ସହାୟତାରେ ଟଙ୍କା ବାଂଟୁଥିବାର ଅନେକ ନଜୀର ଅତୀତରେ ଦେଖିବାକୁ ମିଳିଛି । ବର୍ତମାନ ଆଉ ଗୋଟିଏ ପାଦ ଆଗେଇ ଆସି ସ୍ୱୟଂସହାୟକ ଗୋଷ୍ଠୀଙ୍କ (ଏସ୍‌ଏଚ୍‌ଜି) ସହାୟତାରେ ଅନୈତିକ ଉପାୟରେ ବ୍ୟାପକ ଟଙ୍କା ବାଂଟୁଛି ଶାସକ ବିଜେଡି । ଧାମନଗର ଉପନିର୍ବାଚନରେ ମଧ୍ୟ ସମାନ ପନ୍ଥା ଆପାଣାଇଥିବା ଶାସକ ବିଜେଡି ଏସ୍‌ଏଚ୍‌ଜି ଗ୍ରୁପ ମାଧ୍ୟମରେ ଟଙ୍କା ବାଂଟିବାର ପ୍ରୟାସ ଆରମ୍ଭ କରିଦେଇଛି ବିଜେଡି । ଏହା ଦ୍ୱାରା ଅବାଧ, ମୁକ୍ତ ଓ ନିରପେକ୍ଷ ନିର୍ବାଚନ ଆଦୌ ସମ୍ଭବ ନୁହେଁ । ତେଣୁ ନିର୍ବାଚନ ପ୍ରକ୍ରିୟା ଶେଷ ହେବା ଯାଏଁ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ସମସ୍ତ ଏସ୍‌ଏଚ୍‌ଜି ଗ୍ରୁପର ବ୍ୟାଙ୍କ ଆକାଉଂଟକୁ ଫ୍ରିଜ କରାଯିବାକୁ ବିଜେପି ତରଫରୁ ରାଜ୍ୟ ମୁଖ୍ୟ ନିର୍ବାଚନ ଆୟୋଗଙ୍କ ନିକଟରେ ଦାବି କରାଯାଇଛି । ରାଜ୍ୟ ସାଧାରଣ ସଂପାଦକ ଡ.ଲେଖାଶ୍ରୀ ସାମନ୍ତସିଂହାରଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଆଜି ମୁଖ୍ୟ ନିର୍ବାଚନ ଆୟୋଗଙ୍କୁ ଭେଟିଛନ୍ତି ।
ନିର୍ବାଚନମଣ୍ଡଳୀରେ କାର୍ଯ୍ୟରତ ଏମ୍‌ବିକେ, ସିଆରପି ଭଳି ସରକାରୀ କର୍ମଚାରୀମାନଙ୍କୁ ଶାସକ ବିଜେଡି କ୍ଷମତାର ଅପବ୍ୟବହାର କରି ଭୋଟରଙ୍କୁ ଟଙ୍କା ବାଂଟିବାର କାର୍ଯ୍ୟରେ ନିୟୋଜିତ କରୁଛି । ଶାସକ ବିଜେଡି ମିଶନଶକ୍ତି ଜରିଆରେ ଏମ୍‌ବିକେ ଓ ସିଆରପିମାନଙ୍କୁ ଲଗାଇ ସ୍ୱୟଂ ସହାୟିକା ଗୋଷ୍ଠୀମାନଙ୍କ ସମ୍ମିଳନୀ କରାଇ ଭୋଟ୍ ପାଇଁ ପ୍ରଭାବିତ କରୁଛି । ଗତ ପଂଚାୟତ, ପୌର ନିର୍ବାଚନ ଓ ବ୍ରଜରାଜନଗର ସମୟରେ ଏଭଳି ଅନେକ ଘଟଣାମାନ ସାମ୍ନାକୁ ଆସିଥିଲା ଏବଂ ଏ ସଂପର୍କରେ ରାଜ୍ୟ ନିର୍ବାଚନ କମିଶନଙ୍କୁ ଅବଗତ କରାଯାଇଥିଲେ ସୁଦ୍ଧା କିଛି ସୁଫଳ ମିଳିଲା ନାହିଁ । ବରଂ ନିରବଦ୍ରଷ୍ଟା ସାଜି ଶାସକ ବିଜେଡି ସପକ୍ଷରେ ଭୋଟ୍ କରାଇବା କାର୍ଯ୍ୟରେ ଏସ୍‌ଏଚ୍‌ଜି କର୍ମଚାରୀଙ୍କୁ ଅଧିକ ପ୍ରୋତ୍ସାହିତ କରାଯାଇଥିଲା । ଯାହାକି ସଂପୂର୍ଣ୍ଣ ବେଆଇନ ଓ ନିର୍ବାଚନ ଆଚରଣ ବିଧିର ଖୋଲାଖୋଲି ଉଲ୍ଲଂଘନ । ଅବାଧ, ମୁକ୍ତ ଓ ନିରପେକ୍ଷ ନିର୍ବାଚନ ପରିଚାଳନା ଦାୟୀତ୍ୱ ହେଉଛି ନିର୍ବାଚନ ଆୟୋଗଙ୍କର ଏବଂ ନିଜ ସ୍ୱଚ୍ଛତା ବଜାୟ ରଖିବା ପାଇଁ ଆୟୋଗ ତୁରନ୍ତ ବିହୀତ ପଦକ୍ଷେପ ଗ୍ରହଣ କରିବାକୁ ଡ.ଲେଖାଶ୍ରୀ ଦାବି କରିଛନ୍ତି ।

Leave A Reply

Your email address will not be published.