ପଂଚାୟତ ପାଇଁ ୧ କୋଟି ଟଙ୍କାର ପୁରସ୍କାର ଘୋଷଣା କରି ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ କରିଛି ବିଜେଡି, ସିଇଓ ବାଡ ସାଜି କ୍ଷେତ ଖାଉଛନ୍ତି: ବିଜେପି

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଧାମନଗର ଉପନିର୍ବାଚନରେ ଭୋଟରଙ୍କୁ ପ୍ରଭାବିତ କରିବା ପାଇଁ ବିଜୁ ଜନତା ଦଳ ଖୋଲାଖୋଲି ଭାବେ ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ କରିଚାଲୁଛି । ନିର୍ବାଚନ ପରିଚାଳନା ଦାୟୀତ୍ୱରେ ଥିବା ରାଜ୍ୟ ନିର୍ବାଚନ ଅଧିକାରୀ ବିଭିନ୍ନ ବେଆଇନ କାର୍ଯ୍ୟରେ ଶାସକ ବିଜେଡିକୁ ଘଂଟ ଘୋଡାଇବା ସହିତ ନିଜେ ଆଚରଣ ବିଧି ଉଲ୍ଲଂଘନ କରୁଛନ୍ତି । ନିଜେ ସିଇଓ ବାଡ ସାଜି, କ୍ଷେତ ଖାଇବା ଭଳି କାର୍ଯ୍ୟରେ ବ୍ୟସ୍ତ ଥିବା କାରଣରୁ ଧାମନଗର ଉପନିର୍ବାଚନ ଅବାଧ, ମୁକ୍ତ ଓ ନିରପେକ୍ଷ ହେବା ନେଇ ବିରାଟ ସନ୍ଦେହ ସୃଷ୍ଟି ହୋଇଛି । ଶାସକ ବିଜେଡି ନେତା, ମନ୍ତ୍ରୀ ଓ କର୍ମୀମାନଙ୍କ ଚାପରେ ସରକାରୀ କର୍ମଚାରୀମାନେ ବିଜେଡି ସପକ୍ଷରେ ଭୋଟ କରାଇବା ଦାୟୀତ୍ୱରେ ନିୟୋଜିତ ଅଛନ୍ତି । ଏହି ପ୍ରସଙ୍ଗରେ ବିଜେପି ତରଫରୁ ସିଇଓ, ଭଦ୍ରକ ଜିଲ୍ଲାପାଳ ତଥା ରିଟର୍ଣ୍ଣିଂ ଅଫିସରଙ୍କୁ ତଥ୍ୟ ଓ ପ୍ରମାଣ ସହିତ ବାରମ୍ବାର ଅଭିଯୋଗ କରାଯିବା ସତ୍ୱେ କୈାଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ ।

ଏସଏଚଜି ଗୃପ ଜରିଆରେ ଟଙ୍କା ବାଂଟିବାର ପ୍ରମାଣ ଦିଆଯିବା ସତ୍ୱେ ସିଇଓ କିମ୍ବା ଜିଲ୍ଲାପାଳ କୈାଣସି କାର୍ଯ୍ୟାନୁଷ୍ଠାନ ନେଲେ ନାହିଁ । ଅନ୍ୟ ପଟେ ନିଜ ଆଡୁ କୈାଣସି ତତ୍ପରତା କିମ୍ବା ପଦକ୍ଷେପ ଗ୍ରହଣ କରୁନଥିବା ଉଭୟ ସିଇଓ ଓ ଜିଲ୍ଲାପାଳ ପ୍ରଛଦ୍ଦପଟରେ ରହି ଶାସକ ବିଜେଡି ସପକ୍ଷରେ ଏଭଳି ବେଆଇନ କାର୍ଯ୍ୟକୁ ପ୍ରୋତ୍ସାହିତ କରୁଛନ୍ତି । ଏହା ଅତ୍ୟନ୍ତ ଚିନ୍ତାଜନକ । ଧାମନଗର ନିର୍ବାଚନ ପାଇଁ ଅନୁଷ୍ଠିତ କାର୍ଯ୍ୟକର୍ତା ସମ୍ମିଳନୀରେ ରାଜ୍ୟ ଗ୍ରାମ ଉନ୍ନୟନ ମନ୍ତ୍ରୀ ଶ୍ରୀ ପ୍ରୀତିରଂଜନ ଘଡାଇ, ରାଜ୍ୟସଭା ସାଂସଦ ସୁଲତା ଦେଓ, ଖଦି ବୋର୍ଡ ଅଧ୍ୟକ୍ଷ ଏବଂ ଅନ୍ୟାନ୍ୟ ସ୍ଥାନୀୟ ନେତୃବୃନ୍ଦଙ୍କ ଉପସ୍ଥିତିରେ ପ୍ରତ୍ୟେକ ପଂଚାୟତ ପାଇଁ ୧ କୋଟି ଟଙ୍କାର ପୁରସ୍କାର ଘୋଷଣା କରାଯାଇଛି । ଏହାର ଭିଡିଓ ବର୍ତମାନ ହାଟରେ ପଡି ଦାଣ୍ଡରେ ବୁଲୁଛି, ତଥାପି ଉଭୟ ସିଇଓ ଏବଂ ଜିଲ୍ଲାପାଳ ନୀରବ । ନିଜ କର୍ତବ୍ୟ ଓ ଦାୟୀତ୍ୱରୁ ଓହରି ଯାଇ ଉଭୟ ସିଇଓ ଓ ଜିଲ୍ଲାପାଳ ଶାସକ ବିଜେଡି ସପକ୍ଷରେ କାର୍ଯ୍ୟ କରିବା ସପୂର୍ଣ୍ଣ ଅଗଣତାନ୍ତ୍ରୀକ ଓ ଆଇନବିରୋଧୀ ବୋଲି ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି କହିଛନ୍ତି ।

ଶାସକ ବିଜେଡିର ଖୋଲାଖୋଲି ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ ଏବଂ ସିଇଓ ଓ ଜିଲ୍ଲାପାଳଙ୍କ ପକ୍ଷପାତିତା ବିରୁଦ୍ଧରେ ଆଜି ରାଜ୍ୟ ସଭାପତି ଶ୍ରୀ ମହାନ୍ତିଙ୍କ ନେତୃତ୍ୱରେ ଏକ ଉଚ୍ଚ ପ୍ରତିନିଧି ଦଳ ସିଇଓଙ୍କୁ ଭେଟିଛନ୍ତି । ଏହା ପରେ ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ମହାନ୍ତି କହିଛନ୍ତି ଯେ, ଗଣମାଧ୍ୟମରେ ପ୍ରସାରିତ ଭିଡିଓ ସମେତ ସମସ୍ତ ତଥ୍ୟ ଓ ପ୍ରମାଣ ସିଇଓଙ୍କୁ ପ୍ରଦାନ କରାଯାଇଛି । ସିଇଓ ନିଜ କ୍ଷମତାର ବ୍ୟବହାର କରି ଆଇପିସି ଧାରା ୧୭୧-ବି, ୧୭୧-ସି, ୧୭୧-ଇ, ୧୭୧-ଏଫ୍ ଏବଂ ଲୋକପ୍ରତିନିଧି ଆଇନ ୧୯୫୧ର ଧାରା ୧୨୩ ଅନୁଯାୟୀ ଦୃଷ୍ଟାନ୍ତମୁଳକ କାର୍ଯ୍ୟାନୁଷ୍ଠାନ ପାଇଁ ଦାବୀ କରାଯାଇଛି ବୋଲି ଶ୍ରୀ ମହାନ୍ତି କହିଛନ୍ତି । ଏଥିସହ ଭୋଟରଙ୍କୁ ଲାଂଚ ଦେବା ପାଇଁ ପ୍ରବର୍ଥାଉଥିବା ଉପସ୍ଥିତ ମନ୍ତ୍ରୀ, ସାଂସଦ ଓ ନେତାଙ୍କ ବିରୋଧରେ ମାମଲା ଦାୟର କରିବା ସହିତ ଆଗାମୀ ଦିନରେ ନିର୍ବାଚନ ପ୍ରଚାର କାର୍ଯ୍ୟରୁ ସେମାନଙ୍କୁ ବାଦ୍ ଦେବା ପାଇଁ ଦାବୀ କରାଯାଇଛି । ଆସନ୍ତା ୪୮ ଘଂଟା ଭିତରେ ସିଇଓ କୈାଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକଲେ ଭାରତୀୟ ଜନତା ପାର୍ଟୀ ତରଫରୁ ଆଇନ ଅନୁଯାୟୀ ପଦକ୍ଷେପ ନିଆଯିବା ସହିତ ନିର୍ବାଚନ କମିଶନଙ୍କ ଦୃଷ୍ଟି ଆକର୍ଷଣ ମଧ୍ୟ କରାଯିବ ବୋଲି ଶ୍ରୀ ମହାନ୍ତି କହିଛନ୍ତି ।

Leave A Reply

Your email address will not be published.