ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଭାବିଥିଲେ ରାତାରାତି କୋଟିପତି ହୋଇଯିବେ । କୋଟିପତିର ନିଶା ଏତେ ଜୋରରେ ମନ ଭିତରେ ଥିଲା ଯେ ବହୁ ଷଡଯନ୍ତ୍ର ରଚି ହାତେଇଥିଲେ ୪ କୋଟି ଟଙ୍କା । ହେଲେ ଯେମିତି ଖରାପ ବାଟରେ ପାଇଥିବା ଧାନ କେବେ ସାଇତି ରଖିହୁଏନି ସେହିପରି ସେମାନଙ୍କ କଳାକାରନାମା ପୋଲିସ ସ୍କାନର ରେ ଆସିଥିଲା ।
ସୂଚନା ଅନୁଯାୟୀ, ମହାରାଷ୍ଟ୍ରରୁ ଓଡିଶା ଆସି ଓଡ଼ିଆଙ୍କୁ ଚୁନା ଲଗାଇଛନ୍ତି ଦୁଇ ଭାଇ । ଲକ୍ଷେ କିମ୍ବା ଦୁଇ ଲକ୍ଷ ନୁହେଁ, ରାଜଧାନୀରେ ଚୁନା ଲଗାଇଛନ୍ତି ପାଖାପାଖି ୪ କୋଟି ଟଙ୍କା । ପାଖାପାଖି ୫୦ ଜଣ ଲୋକଙ୍କ ଠାରୁ ଏହି ଠକ ଜଣଙ୍କ ଟଙ୍କା ଚଳୁ କରି ଗାୟବ ହୋଇଯାଇଛନ୍ତି । ବିଭିନ୍ନ ପ୍ରକାର ପ୍ଲାନରେ ଚୁନା ଲାଗାଇଥିବା ଏହି ଦୁଇ ଭାଇଙ୍କ ନାଁ ହେଉଛି ସନ୍ଦୀପ ଶରଦ ଶାହା ଓ ସଚିନ ଶରଦ ଶାହା ।
ସିସିଟିଭି ଲଗାଇବା ଆଳରେ ବିଭିନ୍ନ ଡିଲର ପଏଣ୍ଟ ରୁ କୋଟିକୋଟି ଟଙ୍କା ଠକି ନେଇଛନ୍ତି ଏହି ଫ୍ରଡ଼ ବ୍ରଦର୍ସ । ନିଟ ପରୀକ୍ଷା ବେଳେ ପରୀକ୍ଷା କେନ୍ଦ୍ରରେ ସିସିଟିଭି ଲଗାଇବାକୁ କହି କୋଟି କୋଟି ଟଙ୍କା ଚଳୁ କରିଥିଲେ ଶାହା ବ୍ରଦର୍ସ । ଡିଲର ପଏଣ୍ଟକୁ ଦେଇଥିବା କୋଟି କୋଟି ଟଙ୍କାର ଚେକ ମଧ୍ୟ ବାଉଁସ୍ ହୋଇଛି । ଚେକି ବାଉଁସ ହେବା ପରେ ୪୦ ରୁ ଉର୍ଦ୍ଧ୍ବ ଡିଲର ଖଣ୍ଡଗିରି ଥାନାର ଦ୍ୱାରସ୍ତ ହୋଇଛନ୍ତି । ତେବେ ସେ ରହୁଥିବା ଖଣ୍ଡଗିରି ସ୍ଥିତ ଘରୁ ଦୁଇ ଭାଇ କେଉଁ ଆଡେ ଫେରାର ହୋଇଯାଇଛନ୍ତି । କେବଳ ସିସିଟିଭି ନୁହେଁ, ଲିଜ ରେ ନେଇଥିବା ଏକ କଲ୍ୟାଣ ମଣ୍ଡପର ବୁକିଂ ଟଙ୍କା ଚଳୁ କରିଦେଇଛନ୍ତି ଦୁଇ ଭାଇ । ଏହାଛଡା ସୁନ୍ଦରପଦାରେ ଥିବା ଆପାର୍ଟମେଂଟ ବିକିବାକୁ କହି ଅନେକଙ୍କୁ ଠକିଛନ୍ତି ଏହି 420 ଶାହା ବ୍ରଦର୍ସ ।