ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ରକ୍ତରଂଜିତ କଳିଙ୍ଗ ଯୁଦ୍ଧର ମୁକସାଖୀ ଧଉଳି । ସମ୍ରାଟ ଅଶୋକଙ୍କୁ ଚଣ୍ଡାଶୋକରୁ ଧର୍ମାଶୋକରେ ପରିଣତ କରିଥିଲା ଦୟା ନଦୀ । ଦୟା ନଦୀ ଓ ଧଉଳି ପାହାଡ ଉପରେ ପ୍ରତିଷ୍ଠା ହୋଇଛି ଶାନ୍ତିର ପ୍ରତୀକ ତଥା ବିଶ୍ବ ଐତିହ୍ୟ ଧଉଳି ଶାନ୍ତିସ୍ତୁପ । ଯାହାକୁ ପୁରିଛି ୫୦ବର୍ଷ । ଏହି ଅବସରରେ ଆୟୋଜିତ ହୋଇଛି ସ୍ବର୍ଣ୍ଣ ଜୟନ୍ତୀ ଉତ୍ସବ । ଯାହାକୁ ଉଦ୍ଘାଟନ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଉତ୍ସବରେ ସାମିଲ ହୋଇଥିଲେ ଦେଶବିଦେଶରୁ ଶତାଧିକ ବୌଦ୍ଧ ସାଧୁସନ୍ଥ।
ଶାନ୍ତିର ନାହିଁ କୌଣସି ବିକଳ୍ପ । ସବୁ ସ୍ତରରେ ଏହାର ରହିଛି ସ୍ବତନ୍ତ୍ର ମୂଲ୍ୟ । ଆସନ୍ତୁ ସମସ୍ତେ ମିଶି ଭବିଷ୍ୟତ ପିଢୀଙ୍କ ଲାଗି ଏକ ସୁରକ୍ଷିତ ବିଶ୍ବ ଗଠନ କରିବା । ଧଉଳିସ୍ତୁପର ସ୍ବର୍ଣ୍ଣ ଜୟନ୍ତୀ ଉତ୍ସବରେ ମୁଖ୍ୟ ଅଥିତି ଭାବେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆହ୍ବାନ ଦେଇଥିଲେ । ଦୟା ନଦୀ କୁଳରେ ରକ୍ତ ରଂଜିତ ଯୁଦ୍ଧ ଓ ତାହା ପରେ ଶାନ୍ତି ଧଉଳି ଇତିହାସକୁ ସ୍ମରଣ କରୁଛି । ଧଉଳି ଭଳି ବୀରଭୁମି ସମ୍ରାଟ ଅଶୋକଙ୍କୁ ଚଣ୍ଡାଶୋକରୁ ଧର୍ମାଶୋକରେ ପରିଣତ କରିଥିଲା । ଶାନ୍ତିସ୍ତୁପ ଆଧୁନିକ ସ୍ଥପତ୍ୟର ଅନବଦ୍ୟ ସୃଷ୍ଟି ଏବଂ ଏହା ଭାରତ ଓ ଜାପାନ ମଧ୍ୟରେ ଥିବା ବନ୍ଧୁତାର ମୁକସାଖୀ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ଧଉଳି ଓ ଏହାର ପାରିପାର୍ଶ୍ବିକ ଅଞ୍ଚଳର ବିକାଶ ପାଇଁ ୨୧୩କୋଟି ଟଙ୍କାର ଅନୁଦାନ ରାଜ୍ୟ ସରକାର କରିଛନ୍ତି । ଖୁବ୍ଶୀଘ୍ର ବିଭିନ୍ନ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ହେବାକୁ ଥିବା ବେଳେ ଧଉଳିରେ ରୋପ-ଓ୍ବେ ମଧ୍ୟ ଆରମ୍ଭ ହେବ ବୋଲି ସୂଚନା ଦେଇଛନ୍ତି ଏକାମ୍ର ବିଧାୟକ ତଥା ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ।
୧୯୭୨ମସିହାରେ ଜାପାନର ଫୁଜି ବୌଦ୍ଧ ଗୁରୁଙ୍କ ଶିଷ୍ୟଙ୍କ ଦ୍ବାରା ନିର୍ମାଣ ହୋଇଥିଲା ଧଉଳି ଶାନ୍ତିସ୍ତୁପ । ଇତି ମଧ୍ୟରେ ଶାନ୍ତିସ୍ତୁପକୁ ବିତିଯାଇଛି ଦିର୍ଘ ୫୦ବର୍ଷ । ରାଜ୍ୟ ସରକାରଙ୍କ ସହଯୋଗ ଓ ଆର୍ଥିକ ଅନୁଦାନ ଫଳରେ ଶାନ୍ତିସ୍ତୁପକୁ ମିଳିପାରିଛି ନୂଆରୁପ । ଯେଉଁଥିପାଇଁ ରାଜ୍ୟ ସରକାରଙ୍କୁ ଭୁୟସୀ ପ୍ରସଂଶା କରିଛନ୍ତି ସମସ୍ତେ । ସ୍ବର୍ଣ୍ଣ ଜୟନ୍ତୀ ଅବସରରେ ଜାପାନ, ଆମେରିକା, କାଜାକିସ୍ଥାନ, ଶ୍ରୀଲଙ୍କା, ଚୀନ୍ ଓ ୟୁକ୍ରେନ୍ ଆଦି ବିଭିନ୍ନ ଦେଶରୁ ଶତାଧିକ ବୌଦ୍ଧ ସନ୍ୟାସୀ ଓ ଭିକ୍ଷୁ ସାମିଲ ହୋଇଥିଲା । ବୌଦ୍ଧ ଧର୍ମର ଲୋଟସ ମନ୍ତ୍ର ଉଚ୍ଚାରଣରେ ପ୍ରକମ୍ପିତ ହୋଇଥିଲା ସମଗ୍ର ଅଞ୍ଚଳ । ଧଉଳି ଶାନ୍ତିସ୍ତୁପ ବିଶ୍ବ ଐତିହ୍ୟର ମାନ୍ୟତା ପାଇବା ସହ ସମଗ୍ର ବିଶ୍ବ ପାଇଁ ଶାନ୍ତି ଓ ମୈତ୍ରୀର ବାର୍ତ୍ତା ବହନ କରୁଥିବା କହିଛନ୍ତି ଦେଶ ବିଦେଶରୁ ଆସିଥିବା ବୌଦ୍ଧ ସନ୍ୟାସୀ ।
ପିସ୍ ପାଗୋଡା ବା ଶାନ୍ତିସ୍ତୁପର ସାମଗ୍ରିକ ବିକାଶ ଉପରେ ରହିଛି ରାଜ୍ୟ ସରକାରଙ୍କ ନଜର । ଏହା ବିଶ୍ବସ୍ତରରେ ମାନ୍ୟତା ପାଇଥିବାରୁ ଏହା ପର୍ଯ୍ୟଟକଙ୍କୁ ବେଶ୍ ଆକର୍ଷିତ କରିଥାଏ । ସ୍ବର୍ଣ୍ଣ ଜୟନ୍ତୀ ଅବସରରେ ଏହାର ନବୀକରଣ ଓ ମରାମତି କରାଯାଇଥିବା ବେଳେ ଦିବ୍ୟାଙ୍ଗ ଓ ବରିଷ୍ଠ ନାଗରିକଙ୍କ ସୁବିଧା ପାଇଁ ଲିଫ୍ଟର ବ୍ୟବସ୍ଥା କରାଯାଇଛି । ଦିର୍ଘ ଦିନ ଧରି ବନ୍ଦ ଥିବା ଲାଇଟ୍ ଆଣ୍ଡ ସାଉଣ୍ଡ ସୋ ଆଜି ଠାରୁ ପୁଣି ଆରମ୍ଭ କରାଯାଉଥିବା କହିଛନ୍ତି ପର୍ଯ୍ୟଟନ ମନ୍ତ୍ରୀ । ସେପଟେ ଶାନ୍ତିସ୍ତୁପର ସ୍ବର୍ଣ୍ଣ ଜୟନ୍ତୀ ଉତ୍ସବ ସମ୍ପନ୍ନ ହୋଇଛି । ଏହାର ବିକାଶ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବିଭିନ୍ନ ଯୋଜନା କରାଯାଇଛି ଏବଂ ସେଗୁଡିକୁ ପର୍ଯ୍ୟାୟ କ୍ରମେ କାର୍ଯ୍ୟକାରୀ କରାଯିବ ବୋଲି କହିଛନ୍ତି ଖୋର୍ଦ୍ଧା ଜିଲ୍ଲାପାଳ। ଶାନ୍ତିସ୍ତୁପର ସ୍ବର୍ଣ୍ଣ ଜୟନ୍ତି ପାଳନ ପରେ ଦେଶବିଦେଶରୁ ଆସିଥିବା ସମସ୍ତ ବୌଦ୍ଧ ସନ୍ୟାସୀ ଓ ଭିକ୍ଷୁ ସ୍ବତନ୍ତ୍ର ବସ୍ ଯୋଗେ ଶ୍ରୀକ୍ଷେତ୍ର ପୁରୀ ଗସ୍ତରେ ଯାଇଥିଲେ।