ହାଇ ସିକ୍ୟୁରିଟ ନମ୍ବର ପ୍ଲେଟ ପାଇଁ ପୁଣି ଏକ ମାସର ମହଲତ ଦେଲେ ରାଜ୍ୟ ପରିଵହନ କମିଶନର

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଏଚଏସଆରପି ବା ହାଇ ସିକ୍ୟୁରିଟ ନମ୍ବର ପ୍ଲେଟ ଲଗାଇବା ପାଇଁ ପୁଣି ଏକ ମାସର ମହଲତ ଦେଲେ ରାଜ୍ୟ ପରିଵହନ କମିଶନର। ଆଜି ଏସଟିଏ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ ଗାଡି ନମ୍ବର ଶେଷରେ ୧,୨,୩,୪ ଥିଲେ ଆସନ୍ତା ନଭେମ୍ବର ୩୦ ତାରିଖରେ ଶେଷ ହେଉଛି ଏଚଏସଆରପି ଲଗାଇବାର ଅବଧି ସମୟ। ଗତ ସେପ୍ଟେମ୍ବର ୩୦ ତାରିଖରେ ହାଇକୋର୍ଟରେ ମାମଲାର ଶୁଣାଣି ବେଳେ ଧାର୍ଯ୍ୟ କରାଯାଇଥିବା ସମୟ ସୀମା ୧ ମାସ ବଢିବ ବୋଲି ଏସଟିଏ ପକ୍ଷରୁ ହାଇକୋର୍ଟଙ୍କୁ ଅବଗତ କରାଯାଇଥିଲା। ସେହି ନିଷ୍ପତ୍ତି ଅନୁଯାୟୀ ସେପ୍ଟେମ୍ବର ୩୦ ରେ ପୂର୍ବରୁ ମଧ୍ୟ ଏକ ମାସ ଅବଧି ବୃଦ୍ଧି ପାଇଥିଲା। ଦେଶରେ ୨୦୧୯ ଏପ୍ରିଲ ୧ ରୁ ବିଭିନ୍ନ ଯାନବାହାନରେ ହାଇ ସିକୁରିଟ ନମ୍ବର ପ୍ଲେଟ ବା ଏଚଏସଆରପି ଲାଗୁ କରାଯାଇଛି। ତା ପୂର୍ବରୁ ଥିବା ଯାନ ଗୁଡିକରେ ମଧ୍ୟ ହାଇ ସିକୁରିଟ ନମ୍ବର ପ୍ଲେଟ ବା ଏଚଏସଆରପି ଫିଟମେଣ୍ଟ କରାଇବାକୁ କେନ୍ଦ୍ର ସରକାରଙ୍କ ପରିଵହନ ମନ୍ତ୍ରଣାଳୟ ନିର୍ଦ୍ଦେଶ ଦେଇଛନ୍ତି।

ଓଡିଶାରେ ଏହାକୁ ଲାଗୁ କରିବା ପାଇଁ ରାଜ୍ୟ ପରିବହନ ନିଗମ ମେ ୨୬ ତାରିଖରେ ବିଜ୍ଞପ୍ତି ଜାରି କରିଥିଲେ। ନିଜ ଗାଡି ନମ୍ବରର ଶେଷରେ ୧ ଓ ୨ ଥିଲେ ଅଗଷ୍ଟ ୩୧ ଏଚଏସଆରପି ଫିଟମେଣ୍ଟ ପାଇଁ ଶେଷ ତାରିଖ ଥିଲା। କିନ୍ତୁ ରାଜ୍ୟରେ ବନ୍ୟା ପରିସ୍ଥିତି ପାଇଁ ତାହାକୁ ଆଉ ଏକମାସ ବୃଦ୍ଧି କରାଯାଇ ସେପ୍ଟେମ୍ବର ୩୦ କୁ ବୃଦ୍ଧି ହୋଇଥିଲା। ସେପ୍ଟେମ୍ବର ୩୦ ର ହାଇକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ପୁଣି ଏକ ବିଜ୍ଞପ୍ତି ପ୍ରକାଶିତ ହୋଇ ଆଉ ଏକ ମାସ ବୃଦ୍ଧି ହୋଇଥିଲା। ଏବେ ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ ୧,୨,୩,୪ ନମ୍ବର ପାଇଁ ନଭେମ୍ବର ୩୦, ଗାଡି ନମ୍ବର ଶେଷରେ ୫ ଓ ୬ ଥିଲେ ଡିସେମ୍ବର ୩୧, ୭ ଓ ୮ ଥିଲେ ୨୦୨୩ ମସିହା ଜାନୁଆରୀ ୩୧, ଗାଡି ନମ୍ବର ଶେଷରେ ୯ ଓ ୦ ଥିଲେ ୨୦୨୩ ଫେବୃଆରୀ ୨୮କୁ ଶେଷ ତାରିଖ ଭାବେ ଏଚଏସଆରପି ଫିଟମେଣ୍ଟ ପାଇଁ ଧାର୍ଯ୍ୟ କରିଛି ବିଭାଗ। କିନ୍ତୁ ବୁକିଂ କରିବା ଓ ସ୍ଲଟ ପାଇବାରେ ନାହିଁ ନ ଥିବା ଅସୁବିଧା ଏବେ ବି ଭୋଗୁଛନ୍ତି ଜନସାଧାରଣ। ରାଜ୍ୟରେ ପାଖାପାଖି ୫୦ ଲକ୍ଷ ଗାଡ଼ିରେ ଏଚଏସଆରପି ଲାଗିବାର ରହିଛି।

ଏବେ ସୁଦ୍ଧା ୨୯ ଲକ୍ଷରୁ ଉର୍ଦ୍ଧ୍ବ ଗାଡି ଏଚଏସଆରପି ପାଇଁ ଆବେଦନ କରିଛନ୍ତି। ସେଥିମଧ୍ୟରୁ ୧୧ ଲକ୍ଷରୁ ଉର୍ଦ୍ଧ୍ବ ଗାଡ଼ିରେ ଏଚଏସଆରପି ପ୍ଲେଟ ମଧ୍ୟ ଲାଗି ସାରିଛି। ରାଜ୍ୟ ସରକାରଙ୍କ ସହମତି କ୍ରମେ ପରିଵହନ କମିଶନର ପୁଣି ଏକ ମାସର ଅବଧି ବୃଦ୍ଧି କରାଯାଇଛି। ଲୋକଙ୍କ ସୁବିଧା ପାଇଁ ଭିତ୍ତିଭୂମି ବିକାଶ କାମ ବିଭାଗ କରିଛି। ଜନ ସେବା କେନ୍ଦ୍ର, ମୋ ସେବା କେନ୍ଦ୍ରରେ ନମ୍ୱର୍ ପ୍ଲେଟ ବୁକିଂ ହେବାର ବ୍ୟବସ୍ଥା ଗ୍ରହଣ କରାଯାଇଛି। ରାଜ୍ୟର ୩୮ ଆରଟିଓ ଓ ଏଆରଟିଓ ଅଫିସରେ ନମ୍ବର ପ୍ଲେଟ ଆବେଦନ କରିବାର ବ୍ୟବସ୍ଥା ହୋଇଛି। ଯେଉଁ କମ୍ପାନୀ ଗୁଡିକ ବନ୍ଦ ହୋଇ ଯାଇଛି, ସେ ଗାଡି ଗୁଡ଼ିକର ନମ୍ବର ପ୍ଲେଟ ଆରଟିଓ ଅଫିସ ମାଧ୍ୟମରେ ଲଗାଇବାର ଵ୍ୟଵସ୍ଥା ହୋଇଛି। ନମ୍ବର ପ୍ଲେଟ ଭାଙ୍ଗି ଯାଇଥିଲେ ବା ନଷ୍ଟ ହୋଇଗଲେ ଡୁପ୍ଲିକେଟ ନମ୍ବର ପ୍ଲେଟ ଅନଲାଇନରେ ବୁକ କରିବାର ବ୍ୟବସ୍ଥା ହୋଇଛି।

Leave A Reply

Your email address will not be published.