ଚାକିରିରୁ ଅବସର ନେଲେ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ମଧୁସୂଦନ ପାଢୀ, ଦିଆଗଲା ବିଦାୟକାଳୀନ ସମ୍ବର୍ଦ୍ଧନା

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ):  ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ମଧୁସୂଦନ ପାଢୀ ଆଜି ସରକାରୀ ଚାକିରିରୁ ଅବସରଗ୍ରହଣ କରିଛନ୍ତି । ଏହି ପରିପ୍ରେକ୍ଷୀରେ ଆଜି ପୂର୍ବାହ୍ଣରେ ଲୋକସେବା ଭବନସ୍ଥିତ ବିଭାଗର ସମ୍ମିଳନୀ କକ୍ଷରେ ଏକ ଅବସରକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ବିଭାଗର ଅତିରିକ୍ତ ଶାସନ ସଚିବ ମନସ୍ୱିନୀ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ବିଭାଗର ଅଧିକାରୀ ଓ କର୍ମଚାରୀମାନେ ଯୋଗଦେଇ ଅବସରଗ୍ରହଣ କରୁଥିବା ବରିଷ୍ଠ ପ୍ରଶାସକ ମଧୁସୂଦନ ପାଢୀଙ୍କ କର୍ମମୟ ଜୀବନ ସଂପର୍କରେ ଆଲୋକପାତ କରିବା ସହ ତାଙ୍କର ଅବସରକାଳୀନ ଦୀର୍ଘ ଓ ନିରାମୟ ଜୀବନ କାମନା କରିଥିଲେ।

ସମ୍ବର୍ଦ୍ଧନା ଗ୍ରହଣ ପରିପ୍ରେକ୍ଷୀରେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ମଧୁସୂଦନ ପାଢୀ ତାଙ୍କର ଚାକିରୀ ଜୀବନର ଅନୁଭୂତି ଓ ଅଭିଜ୍ଞତା ସଂପର୍କରେ ପ୍ରକାଶ କରିଥିଲେ । ଭୁବନେଶ୍ୱର ସୈନିକ ସ୍କୁଲରୁ ଦ୍ୱାଦଶରେ ପାଶ୍ କରିବା ପରେ ଆର୍.ଇ.ସି., ରାଉରକେଲାରୁ ଇଂଜିନିୟରିଂରେ ସ୍ନାତକରେ ଉତ୍ତୀର୍ଣ୍ଣ ହେବା ଏବଂ ଭାରତୀୟ ପ୍ରଶାସନିକ ସେବାରେ କୃତକାର୍ଯ୍ୟ ହୋଇ ସରକାରୀ ଚାକିରିରେ ଯୋଗଦେବାଠାରୁ ଆରମ୍ଭ କରି ଅବସରଗ୍ରହଣ ପର୍ଯ୍ୟନ୍ତ ସେ ବିଭିନ୍ନ ଜିଲ୍ଲାରେ ଜିଲ୍ଲାପାଳ, ଉତ୍ତରାଂଚଳ ରାଜସ୍ୱ ଆୟୁକ୍ତ ଏବଂ ରାଜ୍ୟ ସରକାରଙ୍କ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ବିଭାଗର ଶାସନ ସଚିବ ଭାବେ ନିଷ୍ଠାର ସହ କାର୍ଯ୍ୟ ସମ୍ପାଦନ ସମ୍ପର୍କରେ ବର୍ଣ୍ଣନା କରିଥିଲେ । ପ୍ରକାଶ ଥାଉକି , ମଧୁସୂଦନ ପାଢୀ ମଧ୍ୟ ରାଜ୍ୟପାଳଙ୍କ ପ୍ରମୁଖ ଶାସନ ସଚିବ, ସୂଚନା ଓ ଲୋକସମ୍ପର୍କ, ବାଣିଜ୍ୟ ଓ ପରିବହନ, ଖାଦ୍ୟ, ଯୋଗାଣ ଓ ଖାଉଟି କଲ୍ୟାଣ ଆଦି ବିଭିନ୍ନ ବିଭାଗରେ ଶାସନ ସଚିବ ଭାବେ ସୁଚାରୁରୂପେ କାର୍ଯ୍ୟ ସମ୍ପାଦନ କରି ସବୁଠି ଉଲ୍ଲେଖନୀୟ ଛାପ ଛାଡ଼ିଛନ୍ତି l ସଂପ୍ରତି ବୈଷୟିକ ଜ୍ଞାନର ଉପଯୋଗ କରି କିପରି ସହଜ ଓ ସରଳ ଭାବେ କାର୍ଯ୍ୟ କରାଯାଇପାରେ, ସେ ସଂପର୍କରେ  ମଧୁସୂଦନ ପାଢୀକହିଥିଲେ ।

ବିଭିନ୍ନ କାର୍ଯ୍ୟକ୍ରମ ଓ ଯୋଜନା ପ୍ରସ୍ତୁତି ବେଳେ କିପରି ବହୁଲୋକ ଉପକୃତ ହେବେ, ତାହାକୁ ଦୃଷ୍ଟିରେ ରଖି କାର୍ଯ୍ୟ କରିବା ଆବଶ୍ୟକ ବୋଲି ମଧୁସୂଦନ ପାଢୀ କହିଥିଲେ, ଯାହାକୁ ସେ କାର୍ଯ୍ୟରେ ପ୍ରତିଫଳିତ କରୁଥିଲେ l ଅବସରଗ୍ରହଣ କରିଥିବା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ପାଢୀଙ୍କର ସଂସ୍କୃତି ବିଭାଗରେ ସାଂସ୍କୃତିକ ଦଳ ପରିଚାଳନା ବ୍ୟବସ୍ଥା (ସି.ଟି.ଏମ୍.ଏସ୍), ବିଭାଗରେ ପ୍ରକଳ୍ପ ପରିଚାଳନା ବ୍ୟବସ୍ଥା(ପି.ଏମ୍.ୟୁ.) ଏବଂ ବିଭାଗର ୱେବ୍ ସାଇଟ୍ ସୁପରିଚାଳନାରେ ଆଦିରେ ପ୍ରମୁଖ ଭୂମିକା ରହିଥିଲା । ଅବସରକାଳୀନ ସଂବର୍ଦ୍ଧନା ସଭାରେ ଅଧିକାରୀ ଓ କର୍ମଚାରୀମାନେ ଶ୍ରୀ ପାଢୀଙ୍କୁ ଜଣେ ସରଳ ମେଳାପୀ, ମାନବବାଦୀ ଚିନ୍ତାଧାରର ବ୍ୟକ୍ତି ଭାବେ ଅଭିହିତ କରିବା ସହିତ ଏକ ନୀତିନିଷ୍ଠ ପ୍ରଶାସକ ଭାବେ ତାଙ୍କର କର୍ତ୍ତବ୍ୟପରାୟଣତା ଓ କାର୍ଯ୍ୟକରିବାର ଶୈଳୀ ସବୁବେଳେ ସମସ୍ତଙ୍କୁ ଅନୁପ୍ରାଣିତ କରୁଥିବ ବୋଲି କହିଥିଲେ ।ବୈଠକରେ ବିଭାଗର ଯୁଗ୍ମ ଶାସନ ସଚିବ ଅତସୀ ଦାସ, ଉପ ଶାସନ ସଚିବ   ଅମୂଲ୍ୟ ନାୟକ,   ସଂଜୟ କୁମାର ମିଶ୍ର, ଅର୍ଥ ପରାମର୍ଶଦାତା ପଦ୍ମଜ୍ୟୋତି ସାହୁ, ଅନୁ ଶାସନ ସଚିବ ମାଥିୟାସ ତିର୍କୀ, ଶୁଭଶ୍ରୀ ପ୍ରଧାନ,ସ୍ୱତନ୍ତ୍ର ଅଧିକାରୀ ହଳଧର ନାୟକ, ଅନୁ ଶାସନ ସଚିବ  ଲଷ୍ମୀଧର ବେହେରା

ପ୍ରମୁଖ ଯୋଗଦେଇ ବିଦାୟ ନେଉଥିବା ଅତିରିକ୍ତ ମୁଖ୍ୟ ଶାସନ ସଚିବ ମଧୁସୂଦନ ପାଢୀଙ୍କୁ ପୁଷ୍ପଗୁଚ୍ଛ ଏବଂ ଉତ୍ତରୀୟ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରିଥିଲେ । ମଧୁସୂଦନ ପାଢୀଙ୍କର ସ୍ନେହ, ଶ୍ରଦ୍ଧାକୁ ପାଥେୟ କରି ସଂସ୍କୃତି ବିଭାଗ ଆଗକୁ ଭଲକାମ କରିବା ସହିତ ବିଭାଗୀୟ କାର୍ଯ୍ୟରେ ସେ ଯେଉଁ ରୂପାନ୍ତରଣ ଆଣିଥିଲେ , ତାହାକୁ ଜାରି ରଖିବା ଓ ତାଙ୍କର ସ୍ୱପ୍ନର ଅଧୁରା କାର୍ଯ୍ୟକୁ ସମ୍ପୂର୍ଣ୍ଣ କରିବା ପାଇଁ ପ୍ରଚେଷ୍ଠା ଜାରି ରଖିବାକୁ କହିଥିଲେ । ଏହି ଅବସରରେ ବିଭାଗର ସାଂସ୍କୃତିକ ପରିଷଦ ତରଫରୁ ପୂର୍ବରୁ ଅନୁଷ୍ଠିତ ସାଂସ୍କୃତିକ କାର୍ଯ୍ୟକ୍ରମର ଅଂଶଗ୍ରହଣକାରୀମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।

Leave A Reply

Your email address will not be published.