ଆଦିବାସୀ ଓ ପରିବେଶ ବିରୋଧୀ ଜଙ୍ଗଲ ନିୟମାବଳୀ ୨୦୨୨ ପ୍ରତ୍ୟାହାର କର କରିବାକୁ ଦାବି, ସି.ଏସ୍.ଡି ଓଡ଼ିଶା ତରଫରୁ ଏକ ପ୍ରତିବାଦ ଓ ଗଣଧାରଣା ପ୍ରଦର୍ଶନ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ):  ଗତ ଜୁନ୍ ୨୮ ତାରିଖରେ କେନ୍ଦ୍ର ସରକାରଙ୍କ ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ ଦ୍ୱାରା ବିଜ୍ଞପ୍ତି କରାଯାଇଥିବା ଆଦିବାସୀ ଓ ପରିବେଶ ବିରୋଧୀ ଜଙ୍ଗଲ (ସଂରକ୍ଷଣ) ନିୟମାବଳୀ ୨୦୨୨କୁ ବିରୋଧ କରି ଆଜି ଗାନ୍ଧୀମାର୍ଗ ବିଧାନସଭା ସମୁଖରେ, ଆଦିବାସୀ ଏବଂ ଜଙ୍ଗଲବାସୀଙ୍କ ଅଧିକାର ପାଇଁ କାର୍ଯ୍ୟ କରୁଥିବା ମିଳିତ ମଞ୍ଚ ମର୍ଯ୍ୟାଦାର ସହ ବଞ୍ଚିବାର ଅଭିଯାନ (ସି.ଏସ୍.ଡି) ଓଡ଼ିଶା ତରଫରୁ ଏକ ପ୍ରତିବାଦ ଓ ଗଣଧାରଣା ପ୍ରଦର୍ଶନ କରଯାଇଥିଲା।

ଏହି ଗଣ ଧାରଣାରେ ରାଜ୍ୟର ୨୦ଟି ଜିଲ୍ଲାରୁ ଜଙ୍ଗଲ ଅଧିବାସୀମାନେ ଯୋଗଦେଇ ଥିଲେ। ପରିବେଶ ମନ୍ତ୍ରଣାଳୟ ଦ୍ୱାରା ଜାରି କରାଯାଇଥିବା ଏହି ଜଙ୍ଗଲ (ସଂରକ୍ଷଣ) ନିୟମାବଳୀ ୨୦୨୨ ଆଦିବାସୀ ଏବଂ ଜଙ୍ଗଲବାସିନ୍ଦାଙ୍କ ଅଧିକାର ପ୍ରତି ବିପଦ ସୃଷ୍ଟି କରୁଥିବାରୁ ଏହାର ତୁରନ୍ତ ପ୍ରତ୍ୟାହାର କରିବାକୁ ସେମାନେ ଦୃଢ ଦାବି କରିଛନ୍ତି। ଓଡିଶାର ମାନ୍ୟବର ରାଜ୍ୟପାଳ, ମୁଖ୍ୟ ଶାସନ ସଚିବ ଓ ଆଦିବାସୀ ବିଭାଗର ସଚିବଙ୍କୁ ଏହି ନିୟମର ପ୍ରତ୍ୟାହାର ପାଇଁ କେନ୍ଦ୍ର ସରକାରଙ୍କ ନିକଟରେ ଦାବିକରିବାକୁ ସ୍ମାରକପତ୍ର ପ୍ରଦାନ କରାଯାଇଛି। ଏଥିସହିତ ମାନ୍ୟବର ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ, କେନ୍ଦ୍ର ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଓ କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀଙ୍କ ନିକଟକୁ ମଧ୍ୟ ସ୍ମାରକପତ୍ର ପଠାଯାଇ ଏହି ଜଙ୍ଗଲ ସଂରକ୍ଷଣ ନିଯମାବଳୀ ୨୦୨୨ର ତୁରନ୍ତ ପ୍ରତାହାର ପାଇଁ ଦାବି କରାଯାଇଛି।
ସି.ଏସ୍.ଡି ଓଡ଼ିଶା ତରଫରୁ କୁହାଯାଇଛି ଯେ ସରକାର ଓ କର୍ପୋରେଟ ସଂସ୍ଥା ମାନଙ୍କ ସ୍ଵାର୍ଥରେ ଜଙ୍ଗଲ ଜମି ଅଧିଗ୍ରହଣକୁ ସୁଗମ କରିବା ଉଦ୍ଦେଶ୍ୟରେ ଏହି ନୂତନ ଜଙ୍ଗଲ ସଂରକ୍ଷଣ ନିୟମାବଳୀ ୨୦୨୨କୁ ବିଜ୍ଞାପିତ କରାଯାଇଛି, ଯାହା ଆଦିବାସୀ ଏବଂ ଜଙ୍ଗଲ ବାସିନ୍ଦାଙ୍କ ଅଧିକାରକୁ ଛଡାଇ ନେବାର ଏକ ସୁପରିକଳ୍ପିତ ଯୋଜନା।

ଏହି ନିୟମାବଳୀ ୨୦୨୨, କ୍ଷତିପୂରକ ବନୀକରଣ ପାଇଁ ରାଜ୍ୟ ସରକାର ମାନଙ୍କୁ ଭୂମି ବ୍ୟାଙ୍କ ଗଠନ କରିବାକୁ ଅନୁମତି ଦେଉଛି, ଯଦ୍ୱାରା ଜଙ୍ଗଲ ଜମିକୁ ତୁରନ୍ତ ଅଣ ଜଙ୍ଗଲ କିସମରେ ପରିବର୍ତ୍ତନ କରାଯିବ। ଏହିପରି ଭୂମି ବ୍ୟାଙ୍କର ସୃଷ୍ଟି ଅନୁସୂଚିତ ଅଂଚଳ ପାଇଁ ଥିବା ପେଶା ଆଇନ-୧୯୯୬କୁ ଉଲଂଘନ କରିବା ସହିତ ଜମି ଓ ପ୍ରାକୃତିକ ସମ୍ବଳ ଉପରେ ଥିବା ଆଦିବାସୀ ଏବଂ ଜଙ୍ଗଲ ବାସିନ୍ଦାଙ୍କ ଅଧିକାରକୁ ଉଲ୍ଲଂଘନ କରୁଛି। ଏହି ନିୟମ ଆଦିବାସୀ ଓ ଅନ୍ୟାନ୍ୟ ପାରମ୍ପରିକ ଜଙ୍ଗଲବାସୀ ମାନଙ୍କର ଜଙ୍ଗଲ ଅଧିକାର ସ୍ଵିକୃତି ଆଇନ-୨୦୦୬କୁ ସମ୍ପୂର୍ଣ୍ତ ଉଲଂଘନ କରୁଥିବା ବେଳେ ଏହା ସମ୍ବିଧାନର ଧାରା ୨୪୪(୧) ଅନୁଯାୟୀ ଅନୁସୂଚିତ ଅଞ୍ଚଳରେ ଦିଆଯାଇଥିବା ସ୍ଵତନ୍ତ୍ର କ୍ଷମତା ଅନୁଯାୟୀ କାର୍ଯ୍ୟକାରୀ ହେଉଥିବା ପେସା ଆଇନ ୧୯୯୬କୁ ମଧ୍ୟ ସମ୍ପୂର୍ଣ୍ତ ଉଲଂଘନ କରୁଛି।

ବିଜ୍ଞାପିତ ହୋଇଥିବା ଏହି ନିୟମାବଳୀରେ ଦର୍ଶାଯାଇଛି ଯେ ରାଜ୍ୟ ସରକାରମାନେ ବ୍ୟବହାରକାରୀ ସଂସ୍ଥା (User Agency) ଜଙ୍ଗଲ ଜମି ହସ୍ତାନ୍ତର (ଆଂଶିକ କିମ୍ବା ସପୁର୍ଣ) କରିବା ପରେ ଜଙ୍ଗଲ ଅଧିକାର ଆଇନ -୨୦୦୬ର ଅନୁପାଳନ ହୋଇଛି ନା ନାହିଁ ତାକୁ ପ୍ରତ୍ୟକ୍ଷ ଭାବେ ଯାଞ୍ଚ କରିବେ। କିନ୍ତୁ ଏହାର କିଛି ଅର୍ଥ ନାହିଁ, କାରଣ କେନ୍ଦ୍ର ସରକାରଙ୍କ ଆଂଶିକ ଜଙ୍ଗଲ ମଞ୍ଜୁରୀ ମିଳିବା ପରେ ପରେ ସମ୍ପୃକ୍ତ ପ୍ରକଳ୍ପ କର୍ତ୍ତୃପକ୍ଷଙ୍କ ଦ୍ଵାରା ସମସ୍ତ ଗଛ କଟା ହୋଇ ଜଙ୍ଗଲ ସଫା ହୋଇ ସାରିଥିବ ।

ଜଙ୍ଗଲ ଜମିର କିସମ ପରିବର୍ତନ ଏବଂ ଜଙ୍ଗଲ ଅନୁମତି ଦେବା ପୂର୍ବରୁ ଜଙ୍ଗଲ ଅଧିକାର ଆଇନକୁ କଡାକଡି ଲାଗୁ କରିବା ସହିତ ଗ୍ରାମସଭାର ଲିଖିତ ସହମତିକୁ ସୁନିଶ୍ଚିତ କରିବା ସିଏସଡ଼ି ତରଫରୁ ଦାବି କରାଯାଇଛି। ଆଜିର ଏହି ଗଣଧାରଣା ତଥା ପ୍ରତିବାଦ ସଭାରେ ସି.ଏସ୍.ଡି ର ରାଜ୍ୟ ଆବାହକ ଗୋପୀନାଥ ମାଝୀ, ଆବାହକ ମଣ୍ଡଳୀ ସଦସ୍ୟ ପ୍ରଦୀପ ସାହୁ, ଡଃ ଶ୍ରୀଚରଣ ବେହେରା, ନରେନ୍ଦ୍ର ମହାନ୍ତି, ବିଜୟ ସ୍ୱାଇଁ, ମାନବାଧିକାର କର୍ମୀ ବିଶ୍ୱପ୍ରିୟ କାନୁନଗୋ, ବିଶିଷ୍ଟ ପରିବେଶବିତ୍ ପ୍ରଫୁଲ୍ଲ ସାମନ୍ତରା, ଭୀଷ୍ମ ପାଙ୍ଗୀ, ଗୈାତମ ପାତ୍ର, ଜିଶାୟ ଶବର, ମଞ୍ଜୁ ଶବର, ଗୁରୁବାରୀ ଶବର, ସୀମାଞ୍ଚଳ ନାହାକ, ମଙ୍ଗୁଳି ଶବର ପ୍ରମୁଖ ଉଦବୋଧନ ଦେଇଥିଲେ ।।

Leave A Reply

Your email address will not be published.