ରମାଦେବୀ ବିଶ୍ୱବିଦ୍ୟାଳୟର ଦ୍ୱିତୀୟ ସମାବର୍ତ୍ତନ ଉତ୍ସବରେ ଭାବବିହ୍ବଳ ହେଲେ ରାଷ୍ଟ୍ରପତି

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ):  ସଂସଦର ଉଭୟ ଗୃହରେ ଅଧିକାଂଶ ମହିଳା ମାନଙ୍କ ପ୍ରତିନିଧିତ୍ୱ ଗଣତନ୍ତ୍ରର ସ୍ୱର୍ଣ୍ଣିମ ଭବିଷ୍ୟତ ପାଇଁ ଶୁଭ ସୂଚନା ବୋଲି ଶୁକ୍ରବାର ଭୁବନେଶ୍ୱର ଠାରେ ଓଡ଼ିଶାର ପ୍ରଥମ ମହିଳା ବିଶ୍ୱବିଦ୍ୟାଳୟ ରମାଦେବୀ ବିଶ୍ୱବିଦ୍ୟାଳୟର ଦ୍ୱିତୀୟ ସମାବର୍ତ୍ତନ ଉତ୍ସବରେ ଯୋଗଦେଇ  ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ କହିଛନ୍ତି ।

ସେ କହିଛନ୍ତି ଯେ ଭାରତ ହେଉଛି ପୃଥିବୀର ସର୍ବବୃହତ ଗଣତନ୍ତ୍ର ଏବଂ ପ୍ରତିନିଧିତ୍ୱ ହେଉଛି ଏହାର ଆଧାର । ବର୍ତ୍ତମାନ ପଞ୍ଚାୟତରୁ ପାର୍ଲ୍ୟାମେଣ୍ଟ ପର୍ଯ୍ୟନ୍ତ ସବୁ ଗଣତାନ୍ତ୍ରିକ ସଂସ୍ଥାରେ ମହିଳା ମାନଙ୍କ ପ୍ରତିନିଧିତ୍ୱ ବଢିଚାଲିଛି । ପ୍ରଥମ ଥର ପାଇଁ ମହିଳା ସାଂସଦଙ୍କ ସଂଖ୍ୟା ୧୦୦ ଟିପିଛି । ପାର୍ଲ୍ୟାମେଣ୍ଟର ଉଭୟ ଗୃହରେ ଅଧୁନା ୧୧୫ ଜଣ ମହିଳା ସାଂସଦ ଅଛନ୍ତି । ଏହା ଆମ ଗଣତନ୍ତ୍ରର ବଡ ଉପଲବ୍ଧି । ଏହା ମଧ୍ୟ ଆମ ଗଣତନ୍ତ୍ରର ସ୍ୱର୍ଣ୍ଣିମ ଭବିଷ୍ୟତ ପାଇଁ ଶୁଭ ସୂଚନା ବୋଲି ରାଷ୍ଟ୍ରପତି କହିଛନ୍ତି ।

ଏହି ସମାବର୍ତ୍ତନ ସମାରୋହରେ କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରମାଦେବୀ ବିଶ୍ୱ ବିଦ୍ୟାଳୟକୁ ଏକକ ଓ ବହୁମୁଖୀ ବିଶ୍ୱବିଦ୍ୟାଳୟରେ ରୂପାନ୍ତରିତ କରିବା ପାଇଁ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଛନ୍ତି । ସେ କହିଛନ୍ତି ଏଥିପାଇଁ କେନ୍ଦ୍ର ସରକାର ସବୁପ୍ରକାର ସହଯୋଗ ପ୍ରଦାନ କରିବେ । ରମାଦେବୀ ବିଶ୍ୱବିଦ୍ୟାଳୟ ଓଡ଼ିଶାର ପ୍ରଥମ ମହିଳା ବିଶ୍ୱବିଦ୍ୟାଳୟ । ତେଣୁ ପ୍ରାଥମିକତା ଭିତ୍ତିରେ ୟୁଜି ଓ ପିଜି କ୍ୟାମ୍ପସକୁ ବ୍ୟାପକ କରିବା ପାଇଁ ସାମୂହିକ ଉଦ୍ୟମ ହେବା ଦରକାର ।

ଶ୍ରୀ ପ୍ରଧାନ କହିଛନ୍ତି ଯେ, ରାଜନୀତିରେ ଦାୟିତ୍ୱରେ ରହି ମଧ୍ୟ ସମାଜ ସୁଧାରକ ଭାବେ ଓଡିଶାର ସାମାଜିକ ଜୀବନକୁ ପ୍ରଭାବିତ କରିଥିବା ଉତ୍କଳ ଗୌରବ ମଧୁସୂଦନ ଦାସ, ଗୋପବନ୍ଧୁ ଚୌଧୁରୀ, ନବକୃଷ୍ଣ ଚୌଧୁରୀଙ୍କ ପରିବାର ସହ ଜଡ଼ିତ ରମାଦେବୀ ଚୌଧୁରୀ ଥିଲେ ସମାଜ ଜୀବନର ଅନନ୍ୟ ପ୍ରତିଭାର ଅଧିକାରିଣୀ । ଆମ ଓଡ଼ିଆ ସାମାଜିକ ଜୀବନରେ ମା’ସୁଭଦ୍ରାଙ୍କ ଠାରୁ ଆରମ୍ଭ କରି ସମ୍ମାନନୀୟା ଦ୍ରୌପଦୀ ମୁର୍ମୁ, ନାରୀନେତ୍ରୀ ଓ ମା’ ମାନଙ୍କର ବିଶେଷ ସ୍ଥାନ ଅଛି । ରମାଦେବୀ, ମାଳତୀ ଦେବୀଙ୍କ ଭଳି ଓଡିଆ ନେତ୍ରୀମାନେ ସୁଖ, ସ୍ୱାଚ୍ଛନ୍ଦ୍ୟ ଛାଡି ଘରର ଚଉକାଠରୁ ବାହାରି ଦେଶ ସେବା ପାଇଁ ବାହାରିଥିଲେ । ଏ ଦୁର୍ମୂଲ୍ୟ ବାର୍ତ୍ତା ବର୍ତ୍ତମାନର ଯୁବପିଢିଙ୍କ ପାଖରେ ପହଞ୍ଚାଇବା ଆମ କର୍ତ୍ତବ୍ୟ ହେବା ଉଚିତ୍ ।

ଅପରପକ୍ଷରେ ଦେଶରେ ଉଚ୍ଚ ଶିକ୍ଷା କ୍ଷେତ୍ରରେ ଛାତ୍ରୀ ମାନଙ୍କ ସଂଖ୍ୟା ତୁଳନାତ୍ମକ ଭାବେ ଅଧିକ ହୋଇଛି । ତୁର୍କିରେ ଭୂମିକମ୍ପରେ ପ୍ରଭାବିତଙ୍କୁ ସାହାଯ୍ୟ କରିବାକୁ ଯାଇଥିବା ଭାରତୀୟ ମହିଳା ଯବାନ ମାନଙ୍କୁ ସେଠାକାର ମାଆ ସ୍ନେହ ଆଦର କରୁଛନ୍ତି । ଆମର ନାରୀ ଶକ୍ତି ବିଶ୍ୱର ସେବା କରିବା ପାଇଁ ଆଗେଇ ଆସିଲେଣି ।

ଚଳିତବର୍ଷ ଭାରତ ଜି-୨୦ର ଅଧ୍ୟକ୍ଷତା କରୁଥିବା ବେଳେ ଆସନ୍ତା ଏପ୍ରିଲ ମାସରେ ଓଡ଼ିଶାରେ ଜାତୀୟ ସ୍ତରର ଶିକ୍ଷାନୁଷ୍ଠାନକୁ ନେଇ ଭବିଷ୍ୟତ କାର୍ଯ୍ୟ ଉପରେ ବୈଠକ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି । ଏହି ସମୟରେ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ ବିଶେଷ ଭାବରେ ଗୃହ ବିଜ୍ଞାନ ବିଭାଗର ଛାତ୍ରୀମାନେ ରାଜ୍ୟକୁ ଆସୁଥିବା ଅତିଥି ମାନଙ୍କୁ ମାଣ୍ଡିଆ ଜାଉ ପରଷିବାର ଦାୟିତ୍ୱ ନିଅନ୍ତୁ ।

ଆଜି ସମାବର୍ତ୍ତନ ସମାରୋହରେ ସମ୍ମାନସୂଚକ ଉପାଧି, ସ୍ୱର୍ଣ୍ଣ ପଦକ ଏବଂ ପିଏଚଡି ଉପାଧି ଗ୍ରହଣ କରିଥିବା ଛାତ୍ରଛାତ୍ରୀଙ୍କୁ ଅଭିନନ୍ଦନ ଜଣାଇ ଶ୍ରୀ ପ୍ରଧାନ କହିଛନ୍ତି ଯେ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବ ହେଉଛି ଖୁସି ଏବଂ ଉଲ୍ଲାସର ଦିନରୁ ଦାୟିତ୍ୱ ନେବାର ଅବସର । ଆଜି ଉପାଧି ଗ୍ରହଣ କରିଥିବା ଛାତ୍ରୀଛାତ୍ରୀମାନେ ଏକବିଂଶ ଶତାବ୍ଦୀରେ ମାନବତାର ମର୍ଯ୍ୟାଦାକୁ ବଢାଇବେ ବୋଲି କେନ୍ଦ୍ରମନ୍ତ୍ରୀ ଆଶାବ୍ୟକ୍ତ କରିଛନ୍ତି ।

ଏହି ଅନୁଷ୍ଠାନର ପୂର୍ବତନ ଛାତ୍ରୀ, ଆମ ସମସ୍ତଙ୍କ ପାଇଁ ଗୌରବ ଆଣିଥିବା ଜନଜାତି ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କ ଏଠାକୁ ଆସିବା ନେଇ ମନରେ ବହୁତ ଉତ୍କଣ୍ଠା ଓ ଆଗ୍ରହ ଥିଲା । ଛାତ୍ରଛାତ୍ରୀଙ୍କୁ ମାର୍ଗଦର୍ଶନ କରିଥିବାରୁ ରାଷ୍ଟ୍ରପତିଙ୍କୁ କେନ୍ଦ୍ରମନ୍ତ୍ରୀ ଧନ୍ୟବାଦ ଜଣାଇଥିଲେ ।

Leave A Reply

Your email address will not be published.