ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଅଲ୍ କାଏଦା ଆତଙ୍କବାଦୀ କାର୍ଯ୍ୟକଳାପରେ ଗିରଫ ମହମ୍ମଦ ଅବଦୁର ରେହମାନ ଦୋଷୀ । କଟକ ଜଗତପୁର ପଶ୍ଚିମକଛ ଗାଁରୁ ଗିରଫ ଅବଦୁର ରେହମାନ୍ ଦେଶଦ୍ରୋହ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛି । ତାସହ ଆଉ ୩ ଜଣ ଆତଙ୍କୀ ଦୋଷୀ ସାବ୍ୟସ୍ତ କରିଛନ୍ତି ଦିଲ୍ଲୀର ପଟିଆଲା ହାଉସ୍ କୋର୍ଟ । ରେହମାନ ସହ ଦୋଷୀ ସାବ୍ୟସ୍ତ ହୋଇଥିବା ଅଭିଯୁକ୍ତ ହେଲେ ମହମ୍ମଦ ଆସିଫ୍, ଜାଫର ମାସୁଦ ଓ ଅବଦୁଲ ସାମି । ଏମାନଙ୍କ ବିରୋଧରେ ଅନ୍ଲଫୁଲ୍ ଆକ୍ଟିଭିଟିଜ୍ ପ୍ରିଭେନସନ୍ ଆକ୍ଟର ଧାରା ୧୮, ୧୮-ବିରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ଆସନ୍ତା ୧୪ ତାରିଖରେ ଦଣ୍ଡ ଘୋଷଣା କରିବେ କୋର୍ଟ । ଯେଉଁ ଦଫାରେ ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ କରାଯାଇଛି ସେଥିରେ ଆଜୀବନ କାରାଦଣ୍ଡାଦେଶ ହେବାର ସମ୍ଭାବନା ରହିଛି ।
ସନ୍ଦିଗ୍ଧ ଅଲ୍-କାଏଦା ଆତଙ୍କବାଦୀ ଲିଙ୍କରେ ଗିରଫ ହୋଇଥିଲା ଅବଦୁର ରେହମାନ । ୨୦୧୫ ମସିହା ଡିସେମ୍ବର ୧୬ ତାରିଖରେ ଜଗତପୁର ପଶ୍ଚିମକଛ ଗାଁରୁ କମିଶନରେଟ ପୋଲିସ ସହାୟତାରେ ଗିରଫ କରିଥିଲା ଦିଲ୍ଲୀ ପୋଲିସ । ତଦନ୍ତ ବେଳେ ଅବଦୁର ରେହମାନର ଅନ୍ତର୍ଜାତୀୟ ଆତଙ୍କବାଦ ଲିଙ୍କ ନେଇ ସୁରାକ ମିଳିଥିଲା । ଦିଲ୍ଲୀ ପୋଲିସ ଚାର୍ଜସିଟରେ ଦର୍ଶାଇଥିଲା ଅବଦୁର ରେହମାନ ପାକିସ୍ତାନ ଯାଇଥିଲା । ସେଠାରେ ୨୬/୧୧ ମୁମ୍ବାଇ ଆକ୍ରମଣର ମୋଷ୍ଟ ଓ୍ଵାଣ୍ଟେଡ୍ ଜାକି-ଉର-ରେହମାନ ଓ ସାଜିଦକୁ ଭେଟିଥିଲା ରେହମାନ । ଏମିତିକି ସେଠାରେ ଥିବା ଅଲକାଏଦା ଆତଙ୍କବାଦୀ ସଙ୍ଗଠନ ମିଶି ଟ୍ରେନିଂ ନେଇଥିବା ଜଣାପଡିଥିଲା । ବେଆଇନ ମଦ୍ରାସା ଚଳାଇବା, ଅସ୍ତ୍ରଶସ୍ତ୍ର ତାଲିମ ଦେବା ଓ ଉତ୍ତେଜନା ପ୍ରବଣ ଭାଷଣ ଦେବା ଆଦିର ପ୍ରମାଣ NIA ହାତରେ ଲାଗିଥିଲା । ରେହମାନକୁ ରିମାଣ୍ଡରେ ନେଇ ମାମଲାର ଟିକିନିଖି ତଦନ୍ତ କରିଥିଲା ଦିଲ୍ଲୀ ପୋଲିସ । ଏଥିସହ ଏନଆଇଏ ଏବଂ ଓଡ଼ିଶା କ୍ରାଇମବ୍ରାଞ୍ଚ ମଧ୍ୟ ତଦନ୍ତ କରିଥିଲା ।