ଆକାଶରୁ ଖସିଲା ବେଲୁନ ଓ ଝୁଲା ଯାଇଥିବା ଯନ୍ତ୍ରାଂଶ: ଗ୍ରାମବାସୀ ଭୟଭୀତ, ପୋଲିସର ତଦନ୍ତ ଆରମ୍ଭ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଆକାଶରୁ ଖସିଲା ବେଲୁନ ଓ ସେଥିରେ ଝୁଲା ଯାଇଥିବା ଯନ୍ତ୍ରାଂଶ । ପୂର୍ବରୁ ଏପରି ଜିନିଷ କେବେ ଦେଖି ନ ଥିବା କେନ୍ଦୁଝର ଜିଲ୍କା ଯୋଡ଼ା ବ୍ଲକ, ବିରିକଳା ଗାଁର ନିରୀହ ଆଦିବାସୀମାନେ ଏହାକୁ ଦେଖି ଭୟଭୀତ ହୋଇପଡ଼ିଛନ୍ତି। ଅନ୍ୟପକ୍ଷରେ କିଏ ଓ କେଉଁ ଉଦ୍ଦେଶ୍ୟ ରଖି ଏପରି ବେଲୁନ ଆକାଶରେ ଉଡ଼ାଉଥିଲା ଓ ଏଥିରେ କୌଣସି ସନ୍ଦିଗ୍ଧ ମେସିନ ଖଞ୍ଜାଯାଇନାହିଁ ତ ସେନେଇ ସନ୍ଦେହ ସୃଷ୍ଟି ହୋଇଛି ।
ସୂଚନା ଅନୁଯାୟୀ, ଆଜି ସକାଳୁ ଗ୍ରାମର କିଛି ମହିଳା ଓ ଶିଶୁ ମହୁଲ ଗୋଟାଇବାକୁ ଯାଇଥିବା ବେଳେ, ଏକ ଆମ୍ବ ଗଛରେ ସନ୍ଦିଗ୍ଧ ଅବସ୍ଥାରେ ଝୁଲୁଥିବା ଏହି ମେସିନ (ଯନ୍ତ୍ର) ଓ ତଳେ ଗୋଟିଏ ବିରାଟ ବେଲୁନ ଫାଟି ପଡିଥିବାର ଦେଖିଥିଲେ । ଏନେଇ ଜାଣିବାପରେ ବେଲୁନଟିକୁ ଦେଖିବା ପାଇଁ ଗ୍ରାମବାସୀଙ୍କ ଭିଡ଼ ଜମିଥିଲା। ବେଲୁନଟି ଗଛରେ ପିଟିହୋଇ ଫାଟିଯିବା ଫଳରେ ସେଥିରେ ଖଞ୍ଜା ଯାଇଥିବା ଯନ୍ତ୍ର ଆମ୍ବ ଗଛରେ ଝୁଲିପଡ଼ିଥିବା ଅନୁମାନ କରାଯାଉଛି ।

 

ଝୁଲୁଥିବା ଏହି ଯନ୍ତ୍ରର ଇଣ୍ଡିକେଶନ ଲାଇଟ୍ ଗୁଡ଼ିକ ବ୍ଲିଙ୍କ କରୁଥିବା ଦେଖିବାକୁ ମିଳିଛି । ଏନେଇ ଗାଁ ଲୋକଙ୍କ ଠାରୁ ଖବର ପାଇବାପରେ ଯୋଡ଼ା ପୋଲିସ୍ ଘଟଣାସ୍ଥଳରେ ପହଞ୍ଚିଛି । ଅଧିକ ତଦନ୍ତ ପାଇଁ ସାଇଣ୍ଟିଫିକ୍ ଟିମର ସାହାଯ୍ୟ ନିଆଯିବ ବୋଲି ପୋଲିସ ସୂଚନା ଦେଇଛି । ତେବେ ଏହି ସନ୍ଦିଗ୍ଧ ବେଲୁନ ଏକ ଗୁପ୍ତଚର ବେଲୁନ ନୁହେଁ ତ । ଏହା କେଉଁଠାରୁ ଆସିଲା ତାହା ଜଣାପଡ଼ିନଥିବା ବେଳେ ଏଭଳି ଏକ ସନ୍ଦିଗ୍ଧ ବେଲୁନ ଖସିବାକୁ ନେଇ ବିରିକଳା ଗାଁରେ ଭୟର ବାତାବରଣ ସୃଷ୍ଟି ହୋଇଛି ।

Leave A Reply

Your email address will not be published.