ଶସ୍ତା ହୋଇଯାଉଛି କି ମୃତ୍ୟୁ? ଗୋଟିଏ ସପ୍ତାହ ଭିତରେ ଦୁଇ ସେଲିବ୍ରେଟି କରିଛନ୍ତି ସୁଇସାଇଡ୍

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ):  କଥା କଥାକେ ନିଜେ ନେଉଛନ୍ତି ନିଜ ଜୀବନ । ରାଗରୁଷାରୁ ଝୁଲିପଡ଼ୁଛନ୍ତି ଯୁବପିଢ଼ି । କେଉଁଠି ପ୍ରେମ ତ ଆଉ କେଉଁଠି ପାରିବାରିକ ଅଶାନ୍ତିରୁ ମୃତ୍ୟୁର ବାଟ ବାଛି ନେଉଛନ୍ତି । ପ୍ରେମରେ ଅଧିକ ଜୀବନ ଯାଉଛି । କିଏ ପ୍ରତାରଣା ସହି ନପାରି ସୁଇସାଇଡ୍‌ କରୁଛନ୍ତି ତ କେହି ଏକତରଫା ପ୍ରେମରୁ ମୃତ୍ୟୁର ରାସ୍ତା ବାଛି ନେଉଛନ୍ତି ପ୍ରେମୀ ଯୁଗଳ । ଏମିତିକି ଏଥିରୁ ବାଦ ପଡୁନାହାନ୍ତି ସେଲିବ୍ରିଟି । ଅଦିନରେ ଚାଲିଗଲେ ଆଲବମ ଅଭିନେତ୍ରୀ ରୁଚିସ୍ମିତା । ଆତ୍ମହତ୍ୟାର କାରଣ ଜଣା ପଡିନଥିଲେ ବି ପାରିବାରିକ କଳହରୁ ଚରମ ନିଷ୍ପତ୍ତି ନେଇଥିବା କୁହାଯାଉଛି ।

ହିରୋଇନ ହେବାକୁ ସ୍ୱପ୍ନ ଦେଖିଥିବା ରୁଚିସ୍ମିତା ମାନସିକ ଅବସାଦରେ ଆତ୍ମହତ୍ୟା କରିଥିବା ପରିବାର ଲୋକ କହିଛନ୍ତି । ତେବେ ପ୍ରଶ୍ନ ଉଠୁଛି, ସତରେ କଣ ଏତେ ଭୟଙ୍କର ଥିଲା ପାରିବାରିକ କଳହ । ଏତେ ମାନସିକ ଅବସାଦରେ ଥିଲେ ଆଲବମ ଅଭିନେତ୍ରୀ ରୁଚିସ୍ମିତା । ଏତେ କମ ବୟସରେ କାହିଁକି ବାଛିନେଲେ ଆତ୍ମହତ୍ୟା ରାସ୍ତାକୁ । ଝିଅ ର ଆତ୍ମହତ୍ୟାକୁ ସହଜରେ ଗ୍ରହଣ କରିପାରୁ ନାହାନ୍ତି ପରିବାର ଲୋକ । ରୁଚିସ୍ମିତା ଅନେକ ସମ୍ବଲପୁରୀ ଆଲବମରେ ଅଭିନୟ କରିଛନ୍ତି । ‘ରଙ୍ଗବତୀ ଏଗେନ’ରେ ଏବେ ଅଭିନୟ କରି ବେଶ ଲୋକପ୍ରିୟ ଥିଲେ । ଏପଟେ ରୁଚିସ୍ମିତାଙ୍କ ମୃତ୍ୟୁ ପରେ ତାଙ୍କ ଆଖିରେ ଆଉ ଜଣେ ଦେଖିବ ଦୁନିଆ । ରୁଚିସ୍ମିତାଙ୍କ ଉଭୟ ଆଖିକୁ ଦାନ କରିଛନ୍ତି ପରିବାର ଲୋକ ।

ହୋଟେଲ ଭିତରେ ଦୁର୍ଗା ପ୍ରସାଦଙ୍କ ମୃତ୍ୟୁ । ମୃତ୍ୟୁ ପଛର କାରଣ କଣ ? ଦୁର୍ଗା ଆତ୍ମହତ୍ୟା କରିଛନ୍ତି ନା ତାଙ୍କୁ ହତ୍ୟା କରାଯାଇଛି ସେନେଇ ତଦନ୍ତ ଚଳାଇଛି ପୋଲିସ। ଆଜି ପୁଣି ପ୍ରେମିକା ଓ ଦୁଇ ସାଙ୍ଗଙ୍କୁ ପଚରା ଉଚରା କରିଥିଲେ ତଦନ୍ତକାରୀ ଅଧିକାରୀ । ଦୁର୍ଗା, ଗର୍ଲଫ୍ରେଣ୍ଡ ଓ ଦୁଇ ସାଙ୍ଗଙ୍କ ମୋବାଇଲ ଫୋନ ଓ ହୋଟେଲର ହାର୍ଡଡିସ୍କକୁ ଫରେନସିକ୍‌ ଲ୍ୟାବକୁ ପଠାଯାଇଛି । କଲ୍‌ ଡିଟେଲସ୍‌କୁ ଯାଞ୍ଚ କରାଯାଉଛି। ୟୋ ହୋଟେଲରେ ଲାଗିଥିବା ସିସିଟିଭି କ୍ୟାମେରା ଫୁଟେଜକୁ ନେଇଛି ପୋଲିସ । ଦୁର୍ଗାଙ୍କ ପକେଟରୁ ମିଳିଥିବା କାଚ ଖଣ୍ଡ ବଢ଼ାଇଛି ସନ୍ଦେହ। ହତ୍ୟା କି ଆତ୍ମହତ୍ୟା ସେ ନେଇ ତଦନ୍ତ କରୁଛି ପୋଲିସ। ଯଦି ଦୁର୍ଗା ଆତ୍ମହତ୍ୟା କରିଛନ୍ତି କ’ଣ ରହିଛି କାରଣ ? ହୋଟେଲରେ କାହିଁକି ଗର୍ଲଫ୍ରେଣ୍ଡ ସହ ଝଗଡ଼ା ହୋଇଥିଲା ? ଏପରି ଅନେକ ପ୍ରଶ୍ନର ଉତ୍ତର ଖୋଜୁଛି ପୋଲିସ। ଜାଗମରା ଓୟୋ ହୋଟେଲରେ ପ୍ରେମିକାର ଜନ୍ମ ଦିନ ପାଳନ ପାଇଁ ଗର୍ଲଫ୍ରେଣ୍ଡ ଓ ସାଙ୍ଗମାନଙ୍କ ସହ ଆସିଥିଲେ କଟକ ନିଆଳିର ଦୁର୍ଗାପ୍ରସାଦ ମିଶ୍ର। ହୋଟେଲରୁ ତାଙ୍କର ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଥିଲା। ପୋଷ୍ଟ ମର୍ଟମ ସରିଥିବା ବେଳେ ଏବେ ରିପୋର୍ଟକୁ ପୋଲିସ ଅପେକ୍ଷା କରିଛି।

ରାଜ୍ୟରେ ବଢୁଛି ଆତ୍ମହତ୍ୟା ପ୍ରବଣତା । ରିପୋର୍ଟ କହୁଛି ଆତ୍ମହତ୍ୟା କରୁଥିବା ଲୋକଙ୍କ ଭିତରେ ଅଧିକାଂଶ ହେଉଛନ୍ତି ଯୁବପିଢି । ଗତ ୫ବର୍ଷରେ ଓଡ଼ିଶାରେ ଆତ୍ମହତ୍ୟା ହାର ୨୦.୨୦%କୁ ବୃଦ୍ଧି ପାଇଛି । ୨୦୨୧ରେ ଦେଶରେ ଆତ୍ମହତ୍ୟା ହାର ୧୨% ଥିଲା । ଏହି ସମୟରେ ଓଡ଼ିଶାରେ ଆତ୍ମହତ୍ୟା ହାର ରହିଥିଲା ୧୨.୫% । ଜାତୀୟ ହାର ତୁଳନାରେ ଓଡ଼ିଶାରେ ଆତ୍ମହତ୍ୟା ଅଧିକ । ୨୦୨୧ରେ ଓଡ଼ିଶାରେ ମୋଟ୍‌ ୫ହଜାର ୬୫୧ ଜଣ ସୁଇସାଇଡ୍‌ କରିଛନ୍ତି । ଏଥିରୁ ପ୍ରେମ ଜନିତ କାରଣରୁ ୧୩୨ ଜଣ ଓ ପାରିବାରିକ ବିବାଦରୁ ୪ହଜାର ୩୩ ଜଣ ଜୀବନ ହାରିଛନ୍ତି ।

Leave A Reply

Your email address will not be published.