ଭୁବନେଶ୍ୱର :ଆଜି ପବିତ୍ର ଉତ୍କଳ ଦିବସ। ୧୯୩୬ ଏପ୍ରିଲ ୧ରେଏହି ପବିତ୍ର ଭୂଖଣ୍ଡ ସ୍ବତନ୍ତ୍ର ରାଜ୍ୟର ମାନ୍ୟତା ପାଇଥିଲା। ସେବେଠାରୁ ଏହି ଦିବସକୁ ଉତ୍କଳ ଦିବସ, ଆଉ ଏବେ ଓଡ଼ିଶା ଦିବସ ଭାବେ ପାଳନ କରାଯାଉଛି। ୮୮ବର୍ଷ ଧରି ଓଡ଼ିଶାର ଜନ୍ମଦିନ ପାଳନ କରି ସ୍ବତନ୍ତ୍ରତାକୁ ମନେ ପକାଉଛୁ।
ଉତ୍କଳୀୟ ସଂସ୍କୃତି ହେଉ କି ପରମ୍ପରା, ସବୁଥିରେ ଭରି ରହିଛି ନିଆରାପଣ। ଆମ ଭାଷା ସବୁଠୁ ମିଠା , ଆମର ନୃତ୍ୟ ଓ ସଙ୍ଗୀତ ସବୁରି ମନ କିଣେ, ବିଭିନ୍ନ ଭାଷାଭାଷୀ, ଧର୍ମ ଓ ବର୍ଗର ଲୋକଙ୍କୁ ମୁଣ୍ଡ ଗୁଞ୍ଜିବାକୁ ସ୍ଥାନ ଦେଇଥିବା ଏହି ପବିତ୍ର ମାଟିର ଆଜି ପ୍ରତିଷ୍ଠା ଦିବସ। ଉତ୍କଳ ଅବସରରେ ସମସ୍ତଙ୍କ ମୁହଁରେ ଗୋଟିଏ କଥା ‘ବନ୍ଦେ ଉତ୍କଳ ଜନନୀ’। ଉତ୍କଳ ଦିବସ ଆମ ସମସ୍ତଙ୍କ ପାଇଁ ଏକ ପବିତ୍ର ଦିବସ। ୧୯୩୬ ଏପ୍ରିଲ ୧ରେ ଭାଷା ଭିତ୍ତିରେ ଆମ ଓଡ଼ିଶା ରାଜ୍ୟ ପ୍ରତିଷ୍ଠା ହୋଇଥିଲା। ଏହି ଦିବସକୁ ମନପ୍ରାଣରେ ସ୍ମରଣ କରିବା ସହ ଏହାର ତାତ୍ପର୍ଯ୍ୟ ବୁଝିବା ଆବଶ୍ୟକ। ଓଡ଼ିଆ ଭାଷାର ଉନ୍ନତି ନେଇ ଚିନ୍ତା କରିବା ଉଚିତ୍। କୋଟି କୋଟି ଜନମୁଖର ଭାଷା ଓଡ଼ିଆର କେବେ ବିଲୋପ ନାହିଁ।ଆମ ଭାଷା ପାଇଁ ଆମେ ଚିନ୍ତା କରିବା ଆବଶ୍ୟକ।ସ୍ବାଧୀନତା ପୂର୍ବରୁ ଭାଷାଭିତ୍ତିକ ରାଜ୍ୟ ଭାବେ ଓଡ଼ିଶା ଗଠିତ ହୋଇଥିଲା। ଓଡ଼ିଆ ଭାଷା ଷଷ୍ଠ ଶାସ୍ତ୍ରୀୟ ଭାଷା ଭାବେ ମାନ୍ୟତା ମଧ୍ୟ ପାଇଛି।
ତେଣୁ ଉତ୍କଳ ଦିବସରେ ସଭା ଓ ସମାରୋହରେ ସୀମିତ ନ ରହି ଆମେ ଆମ ଭାଷା ପାଇଁ ଚିନ୍ତା କରିବା ଆବଶ୍ୟକ। ଅଧିକ ବ୍ୟବହାର ହେଲେ ଭାଷା ତିଷ୍ଠି ରହିପାରିବ। ତେଣୁ ସରକାରୀ ଓ ବେସରକାରୀ ସବୁ କ୍ଷେତ୍ରରେ ଓଡ଼ିଆ ଭାଷାର କିଭଳି ବହୁଳ ବ୍ୟବହାର ହେବ ତାହା ଏହି ଦିବସର ଅନୁଚିନ୍ତା ରହିବା ନିହାତି ଆବଶ୍ୟକ ।