ପ୍ରାର୍ଥୀ ଭାବେ ନାମ ଘୋଷଣା ପରେ ନବୀନଙ୍କୁ ଭେଟି ଆଶିର୍ବାଦ ନେଲେ ଦୀପାଳି, ଝାରସୁଗୁଡା ଜୋର ଧରିଲାଣି ବିଗ୍ ପଲିଟିକାଲ ଫାଇଟ୍
ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଝାରସୁଗୁଡା ଜୋର ଧରିଲାଣି ବିଗ୍ ପଲିଟିକାଲ ଫାଇଟ୍। ବିଜେଡିରୁ ଦୀପାଳି ଦାସ ପ୍ରାର୍ଥୀ ହେବା ହେବା ପରେ ବିଜେପି ଓ କଂଗ୍ରେସରୁ କିଏ କିଏ ପ୍ରାର୍ଥୀ ହେବେ ତାହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ସେପଟେ ପଦ୍ମପୁର ଉପ ନିର୍ବାଚନ ଭଳି ଝାରସୁଗୁଡାରେ ବିଜେଡିର ନୂଆ ଷ୍ଟ୍ରାଟେଜି। ପଞ୍ଚାୟତିୱାରୀ ନେତାଙ୍କୁ ମିଳିବ ଦାୟିତ୍ୱ। କେଉଁ ନେତା, ମନ୍ତ୍ରୀ କେଉଁ ପଞ୍ଚାୟତ ରହିବେ। ବ୍ଲକ ଓ ମ୍ୟୁନିସପାଲିଟିରେ କେଉଁ ନେତା ନିର୍ବାଚନୀ ପରିଚାଳନା ଦାୟିତ୍ୱ ରହିବେ ତାହାର ତାଲିକା ପ୍ରସ୍ତୁତ କରିଛି ଦଳ।
ସଙ୍ଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ପ୍ରସନ୍ନ ଆଚାର୍ଯ୍ୟ, ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ, ସେହାଙ୍ଗିନୀ ଛୁରିଆ, ପୁଷ୍ପେନ୍ଦ୍ର ସିଂହଦେଓ ପ୍ରମୁଖଙ୍କ ଉପରେ ଗୁରୁ ଦାୟିତ୍ୱ ରହିବ। ଦଳ ବିପୁଳ ଭୋଟରେ ବିଜୟୀ ହେବ ଏବଂ ଝାରସୁଗୁଡ଼ାରେ ଐତିହାସିକ ସଫଳତା ମିଳିବ ବୋଲି କହିଛନ୍ତି ବରିଷ୍ଠ ବିଜେଡି ନେତା ପ୍ରସନ୍ନ ଆଚାର୍ଯ୍ୟ।
ବିଜେପିରୁ ଟଙ୍କଧର ତ୍ରିପାଠୀ ପ୍ରାର୍ଥୀ ହେବା ସମ୍ଭାବନା ଅଧିକ ଥିବା ବେଳେ କଂଗ୍ରେସ ପ୍ରାର୍ଥୀତ୍ୱ ନେଇ ଏବେ ସୁଦ୍ଧା ଚିତ୍ର ଅସ୍ପଷ୍ଟ ରହିଛି। ୨୦୧୯ ସାଧାରଣ ନିର୍ବାଚନରେ ବିଜେପି ପକ୍ଷରୁ ଟିକେଟ ପାଇ ପ୍ରାୟ ୫୨ହଜାର ଭୋଟ ଆଣିଥିବା ଦିନେଶ ଜୈନକୁ ଭରସା କରିବ କି ଦଳ? ନା ନୂତନ ଯୁବ ଚେହେରା ଭାବେ ଆଗକୁ ଆସିଥିବା ଟଙ୍କଧରଙ୍କୁ ଟିକେଟ ଦେବ ଦଳ, ତାକୁ ନେଇ ଦ୍ୱନ୍ଦ୍ୱ ରହିଛି। ବିଜେପିରୁ ରାଜ୍ୟ ସଭାପତି ମନମୋହନ ସାମଲ, ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର ଓ ସାଂସଦ ସୁରେଶ ପୂଜାରୀଙ୍କ ଭୂମିକା ନିର୍ବାଚନରେ ଗୁରୁତ୍ୱପୂର୍ଣ୍ଣ ରହିବ।
ଅନ୍ୟପକ୍ଷରେ କଂଗ୍ରେସ ପକ୍ଷରୁ ଆଶାୟୀ ତାଲିକା ବହୁତ ବଡ଼ ରହିଛି। ୨୦୧୯ ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ଥିବା ମହେନ୍ଦ୍ର ନାଏକ, ପୂର୍ବତନ ବିଧାୟକ ସ୍ୱର୍ଗତ ବୀରେନ୍ଦ୍ର ପାଣ୍ଡେଙ୍କ ପୁଅ ତରୁଣ ପାଣ୍ଡେ ଓ ଜିଲ୍ଲା ସଭାପତି ଅଶୋକ ମିଶ୍ରଙ୍କ ନାଁକୁ ନେଇ ଚର୍ଚ୍ଚା ହେଉଥିଲେ। ସେହି ତାଳିକା ଭିତରେ ଏବେ ଆଉ ଏକ ନୂଆ ନାଁ ଆସିଛି। କଂଗ୍ରେସ ମହିଳା କାର୍ଡ ଖେଳି ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ଵାଳଙ୍କ ଝିଅ ଅମିତା ବିଶ୍ଵାଳଙ୍କୁ ଟିକେଟ ଦେଇପାରେ ବୋଲି ଚର୍ଚ୍ଚା ହେଉଛି। ପିସିସି ସଭାପତି ଶରତ ପଟ୍ଟନାୟକ, କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କ ନେତୃତ୍ୱରେ କଂଗ୍ରେସ ନିର୍ବାଚନୀ ମଇଦାନକୁ ଓହ୍ଲାଇବ।
୨୦୧୯ ସାଧାରଣ ନିର୍ବାଚନରେ ସ୍ୱର୍ଗତ ନବ କିଶୋର ଦାସ ୪୫ ହଜାରରୁ ଅଧିକ ଭୋଟ୍ ବ୍ୟବଧାନରେ ବିଜୟୀ ହୋଇଥିଲେ। ଏବେ ତାଙ୍କ ଅବର୍ତ୍ତମାନରେ ବିଜେଡି ତାଙ୍କ ଝିଅ ଦିପାଳି ଦାସଙ୍କୁ ପ୍ରାର୍ଥୀ କରିଛି। ଯଦି ଦୀପାଳି ୫୦ ହଜାରରୁ ଅଧିକ ଭୋଟ୍ରେ ଜିତନ୍ତି ତାହାହେଲେ ୨୦୨୪ ପାଇଁ ବିଜେଡିର ନେତା ଓ କର୍ମୀ ବେଶ ଉତ୍ସାହିତ ହେବେ। ଅପରପକ୍ଷରେ ବିରୋଧୀ ଦଳଗୁଡ଼ିକ ହତୋତ୍ସାହିତ ହେବେ। ୨୦୧୯ ପରେ ବରଗଡ ଲୋକସଭା ନିର୍ବାଚନମଣ୍ଡଳୀରେ ତିନିଟି ଉପ ନିର୍ବାଚନ ହୋଇଛି। ସବୁଥିରେ ବିଜେଡ଼ି ବଡ଼ ବ୍ୟବଧାନରେ ଜିତି ଆସିଛି।