ଓଡ଼ିଶାର ଏହି ଗାଁ’ରେ ନାହିଁ କବାଟ, ଜାଣନ୍ତୁ କାହିଁକି

0

ଓଡ଼ିଆ ନ୍ୟୁଜ (ବ୍ୟୁରୋ ) : କଥାରେ ଅଛି ବିଶ୍ୱାସେ ମିଳଇ ହରି, ତର୍କେ ବହୁ ଦୂର । ଏଇ ବିଶ୍ୱାସ ଉପରେ ଛିଡା ହୋଇଛି ସାରା ସଂସାର । କିନ୍ତୁ ଅନେକ ସମୟରେ ଧନ ରତ୍ନ, ଟଙ୍କା ପଇସା ପାଇଁ ଆମେ କାହାକୁ ବିଶ୍ୱାସ କରିପାରେ ନାହିଁ । ଧନକୁ ସାଇତି ରଖିବା ପାଇଁ ଚାବି ଉପରେ ଚାବି, ସିସିଟିଭି, ବ୍ୟାଙ୍କ ଲକର ଏମିତି କେତେ କ’ଣ ବ୍ୟବହାର କରିଥାଉ । ତଥାପି ଚୋରି ହୋଇଯାଏ ।ଚିନ୍ତୁ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ, କେନ୍ଦ୍ରାପଡା ଜିଲ୍ଲା ରାଜକନିକା ବ୍ଲକରେ ଏମିତି ଏକ ଗାଁ ଅଛି ଯେଉଁ ଗାଁରେ କାହା ଘରେ ବି କବାଟ ଲାଗିନାହିଁ । କାହିଁଁ କେବେଠାରୁ ସେ ଗାଁରେ କବାଟ ନାହିଁ ।

ଏହି ଗାଁ’ଟି କଟକ-ଚାନ୍ଦବାଲି ରାସ୍ତାର ପୂର୍ବ ଦିଗରେ ୩ କିଲୋମିଟର ଗଲେ ପଡେ । ଏହାର ନାଁ’ ସିଆଳିଆ । ଏଠାରେ ଥିବା ଲୋକଙ୍କ ଭିତରେ ଏତେ ବିଶ୍ୱାସ, ଏତେ ଭଲ ପାଇବା ଯେ, ସାରା ବିଶ୍ୱର ବିରଳ । ଏହି ଗାଁ ‘ରେ କେଉଁ କାଳରୁ ଅଧିଷ୍ଠିତ ଗ୍ରାମଦେବୀ ମାଆ ଖରାଖାଇ । ଏହି ଗାଁ’ର ଉତ୍ତର ଦିଗକୁ ଶେଷମୁଣ୍ଡରେ ବିଜେ ମାଆ ଖରାଖାଇ । ମାଆଙ୍କ ଆସ୍ଥାନ ଉପରେ ଛାତ ନାହିଁ । ଖୋଲା ଆକାଶ ତଳେ ବିରାଜମାନ କରିଛନ୍ତି । ସେଥିପାଇଁ କାଳେ ମାଆଙ୍କ ନାମ ଖରାଖାଇ ହୋଇଛି । ସିଆଳିଆ ଗାଁରେ ରହନ୍ତି ୪୦ ପରିବାର । ଧାଡିଧାଡି ହୋଇ ରହିଛି ଘର । କାହା ଘରେ କବାଟ ଲାଗିନି । ମାଆଙ୍କ ଉପରେ ଭରସା ଯୋଗୁ କାହିଁ କେଉଁ କାଳରୁ ଏମାନଙ୍କ ଘର ଦ୍ୱାର ମୁକୁଳା ପଡିଛି । ଧନୀ କି ଗରିବ କାହା ଘରେ କବାଟ ଲାଗିନି । ସେମାନଙ୍କ ବିଶ୍ୱାସ ଯେଉଁଠି ମାଆ ସେମାନଙ୍କ ଘର ଜଗିଛନ୍ତି ସେଠି ଚୋରଡାକୁ ଭୟ କ’ଣ ପାଇଁ ।

କାଳେ କୁକୁର ବିଲେଇ ପଶିଯିବେ ସେଥିପାଇଁ ସବୁ ଘର ଆଗରେ ତାଟିଟିଏ ଡେରା ହୋଇଥାଏ । କବାଟ ନ ଥିଲେ ବି ଦିନେ କାଳେ ଏଠାରୁ ଚୋରି ହୋଇନାହିଁ । ସୁନାରୁୁପା ସବୁ ସେମିତି ଥାଏ । କେହି ବାକ୍ସରେ ଚାବି ପକାନ୍ତି ନାହିଁ । କେବେ କିଛି ଅସୁବିଧା ହୋଇ ନ ଥିବା ଗାଁ ଲୋକେ କହନ୍ତି । ଆଉ ଗୋଟିଏ ବିଶେଷ କଥା ହେଉଛି ଏହି ଗାଁରେ ବାଦବିବାଦ କିମ୍ୱା କଳହ ଦେଖା ଦେଲେ ତାହା ସେହି ଗ୍ରାମରେ ହିଁ ତୁଟିଯାଏ । ଥାନା ପର୍ଯ୍ୟନ୍ତ କଥା ଯାଏନି । ପୁଲିସ କେବେ ଗାଁକୁ ଆସିନାହିଁ ବୋଲି ଲୋକେ କୁହନ୍ତି । ଏ ପର୍ଯ୍ୟନ୍ତ କୋର୍ଟ କଚେରୀକୁ ମଧ୍ୟ ଗାଁର କୌଣସି ମାମଲା ଯାଇନାହିଁ । ପ୍ରତି ମଙ୍ଗଳବାର ଓ ଶନିବାର ମା’ଙ୍କ ନିକଟରେ ପ୍ରବଳ ଭିଡ ହୁଏ । ମା’ଙ୍କ ପାଦୁକା ପାନ କରି ଲୋକମାନେ ବିଭିନ୍ନ ପ୍ରକାର ରୋଗରୁ ମୁକ୍ତି ପାଉଥିବା ବିଶ୍ୱାସ ରହିଛି । ଏହା ସହିତ ମା’ଙ୍କ ପାଖରେ ମାନସିକ କଲେ ନିଶ୍ଚୟ ପୂରଣ ହେଉଥିବା ଲୋକମାନେ କହୁଛନ୍ତି । ସେଥିଲାଗି ମାନସିକ ପୂରଣ ପରେ ମା’ଙ୍କ ନିକଟରେ ମାଟି ଘୋଡା ଦାନ ଦେଇ ଭୋଗ କରିଥାନ୍ତି । ଏଭଳି ବିଶ୍ୱାସ ପାଇଁ ଏହି ଗାଁ’ ସବୁଠି ଚର୍ଚ୍ଚାରେ ଥାଏ ।

Leave A Reply

Your email address will not be published.