ମହା କାଙ୍ଗାଳ ପାକିସ୍ତାନ, ଘୋର ଖାଦ୍ୟାଭାବ

0

ଓଡ଼ିଆ ନ୍ୟୁଜ (ବ୍ୟୁରୋ ) : ପାକିସ୍ତାନରେ ଆର୍ଥିକ ସଙ୍କଟ ଲାଗି ରହିଛି । ଦରଦାମ ଏତେ ମାତ୍ରାରେ ବଢୁଛି ଯେ, ଚାରିଆଡେ ଖାଦ୍ୟ ସଙ୍କଟ ଉପୁଜିଛି। ପାକିସ୍ତାନରେ ମୁଦ୍ରାସ୍ଫୀତି ୫ ଦଶକ ମଧ୍ୟରେ ସର୍ବାଧିକ ସ୍ତରରେ ପହଞ୍ଚତ୍ଛି। ମାର୍ଚ୍ଚରେ ମୁଦ୍ରାସ୍ଫୀତି ୩୫.୩୭ ପ୍ରତିଶତ ରହିଥିଲା। ଏହା ସାଙ୍ଗକୁ ଅନ୍ତର୍ଜାତୀୟ ମୁଦ୍ରାପାଣ୍ଠି (ଆଇଏମ୍‌ଏଫ୍‌)ରୁ ଋଣ ପାଇବା ପାଇଁ ଇସ୍‌ଲାମାବାଦ ଏହାର କେତେକ କଡ଼ା ସର୍ତ୍ତ ମାନିନେବାକୁ ବାଧ୍ୟ ହୋଇଛି।

ଫଳରେ ଦରଦାମ୍‌ ଆକାଶଛୁଆଁ ହୋଇଥିବାରୁ ସାଧାରଣ ଲୋକଙ୍କ ପକ୍ଷେ ଖାଦ୍ୟସାମଗ୍ରୀ ଓ ଅତ୍ୟାବଶ୍ୟକ ଦ୍ରବ୍ୟ କିଣିବା କଷ୍ଟକର ହୋଇପଡ଼ିଛି। ପାକିସ୍ତାନରେ ଏବେ ଦୁର୍ଭିକ୍ଷ ସ୍ଥିତି ସୃଷ୍ଟି ହୋଇଥିବା ବିଶେଷଜ୍ଞମାନେ ମତ ଦେଇଛନ୍ତି। ଦେଶରେ ଆର୍ଥତ୍କ ସଙ୍କଟର ଗମ୍ଭୀର ପ୍ରଭାବ ଗରିବ ପାକିସ୍ତାନୀଙ୍କ ଉପରେ ସର୍ବାଧିକ ପଡ଼ିଛି।

ରମଜାନ ମାସରେ ମାଗଣା ଖାଦ୍ୟସାମଗ୍ରୀ ବଣ୍ଟନ ହେଉଥିବା ସ୍ଥାନରେ ଏତେ ଗହଳି ହେଉଛି ଯେ ଦଳାଚକଟାରେ ଇତିମଧ୍ୟରେ ୨୦ ଜଣଙ୍କ ଜୀବନ ଗଲାଣି। ପାକିସ୍ତାନରେ ବହୁବର୍ଷର ଆର୍ଥତ୍କ ପରିଚାଳନାଗତ ତ୍ରୁଟି ଏବଂ ରାଜନୈତିକ ଅସ୍ଥିରତା ଯୋଗୁ ସେଠାର ଅର୍ଥନୀତି ଏକପ୍ରକାର ଭୁଶୁଡ଼ି ପଡ଼ିଛି। ବୈଶ୍ୱିକ ଶକ୍ତି ସଙ୍କଟ ଏବଂ ୨୦୨୨ର ପ୍ରଳୟଙ୍କରୀ ବନ୍ୟା ପାକିସ୍ତାନର ଅର୍ଥନୀତିକୁ ବହୁ ପଛକୁ ନେଇଯାଇଛି।

ବିଦେଶ ବିନିମୟ ଭଣ୍ଡାର ବହୁପରିମାଣରେ ହ୍ରାସ ପାଇଥିବାରୁ ଅତ୍ୟାବଶ୍ୟକ ସାମଗ୍ରୀ ଆମଦାନୀ କରିବାକୁ ପାକିସ୍ତାନ ଅସମର୍ଥ। ଦେଶର ମୁଦ୍ରାର ବିନିମୟ ମୂଲ୍ୟ ଯଥେଷ୍ଟ ହ୍ରାସ ପାଇଛି। ମୁଦ୍ରାସ୍ଫୀତି ବୃଦ୍ଧି ଯୋଗୁ ଦୁର୍ଭିକ୍ଷ ଭଳି ସ୍ଥିତି ସୃଷ୍ଟି ହୋଇଥିବା କରାଚୀ ବିଶେଷଜ୍ଞ ଶାହିଦା ଓ୍ବିଜାରତ୍‌ କହିଛନ୍ତି। ଶୁକ୍ରବାର କରାଚୀ ସହରରେ ରମଜାନ ଉପଲକ୍ଷେ ମାଗଣା ରାଶନ ବଣ୍ଟନ ହେଉଥିବାବେଳେ ପ୍ରବଳ ଗହଳି ଯୋଗୁ ଦଳାଚକଟାରେ ୧୨ ଜଣଙ୍କ ମୃତ୍ୟୁ ଘଟିଥିଲା।

୨୨ କୋଟିରୁ ଊର୍ଦ୍ଧ୍ୱ ଜନସଂଖ୍ୟା ବିଶିଷ୍ଟ ଏହି ଦେଶ ଋଣ ବୋଝରେ ଏଭଳି ବୁଡ଼ିଛି ଯେ ଆଇଏମ୍‌ଏଫ୍‌ରୁ ଆଉ ୬.୫ ବିଲିୟନ ଡଲାର ଆର୍ଥତ୍କ ସହାୟତା ପାଇବା ପାଇଁ ଇସ୍‌ଲାମାବାଦକୁ କଠୋର ଟିକସ ସଂସ୍କାର ଆପଣାଇବା ସହ ବିଭିନ୍ନ ଦ୍ରବ୍ୟ ଓ ସେବା ମୂଲ୍ୟ ବଢ଼ାଇବାକୁ ପଡ଼ିବ। ତେଣୁ ଆଗାମୀ ଦିନରେ ପାକିସ୍ତାନର ସ୍ଥିତି ଆହୁରି ଖରାପ ହେବାର ଅନୁମାନ କରାଯାଉଛି ।

Leave A Reply

Your email address will not be published.