ଅନୁଗୁଳ : ଓଡ଼ିଶାର ଗର୍ବ ଓ ଗୌରବ ନବକୃଷ୍ଣ ଚୌଧୁରୀ ଏକାଧାରରେ ଜଣେ ରାଜନେତା, ସ୍ୱାଧୀନତା ସଂଗ୍ରାମୀ ଓ ଲେଖକ । ସେ ୧୨ ମଇ ୧୯୫୦ଠାରୁ ୧୯ ଅକ୍ଟୋବର ୧୯୫୬ ଯାଏଁ ସେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବରେ ଦାୟିତ୍ୱ ତୁଲାଇଥିଲେ ।
ବର୍ତ୍ତମାନ ତାଙ୍କ ପ୍ରତିମୂର୍ତ୍ତିକୁ ନେଇ ବିବାଦ ଉପୁଜିଛି । ଅନୁଗୁଳରେ ସାର୍ଟ ପ୍ୟାଣ୍ଟ ପିନ୍ଧା ନବକୃଷ୍ଣ ଚୌଧୁରୀଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରାଯାଇଛି । ଏହା ପରେ ତାଙ୍କ ଝିଅଙ୍କ ସହ ସାଧାରଣ ଲୋକମାନେ ଏହାକୁ କଡା ନିନ୍ଦା କରିଛନ୍ତି । ସେମାନେ କହିଛନ୍ତି ନବକଷ୍ଣ ଚୌଧୁରୀ ଧୋତି କୁର୍ତ୍ତା ପିନ୍ଧୁଥିଲେ । ସେ ଗାନ୍ଧିବାଦୀ ନୀତି ଆପଣାଉଥିଲେ । ସରଳ ନିରାଡମ୍ବର ଜୀବନଯାପନ କରୁଥିଲେ ।ଏଭଳି ସାର୍ଟ ପ୍ୟାଣ୍ଟ ପିନ୍ଧା ପ୍ରତିମୂର୍ତ୍ତି ତାଙ୍କ ପ୍ରତି ଅସମ୍ମାନ , ତେଣୁ ତ୍ରୁଟି ସୁଧାରିବାକୁ ସାଧାରଣରେ ଦାବି ହୋଇଛି ।ନବକୃଷ୍ଣଙ୍କ ଝିଅ କହିଛନ୍ତି, ସେ ମୁଖ୍ୟମନ୍ତ୍ରୀ ଥିବାବେଳେ ମଧ୍ୟ ଧୋତି ଓ ଗଞ୍ଜି ପିନ୍ଧୁଥିଲେ । ତେବେ ପ୍ରତିମୂର୍ତ୍ତିରେ ସାର୍ଟ ପ୍ୟାଣ୍ଟ ପିନ୍ଧାଇବା କେଉଁ ପ୍ରକାର ସମ୍ମାନ ବୋଲି ସେ ପ୍ରଶ୍ନ କରିଛନ୍ତି ।
ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ପରେ ହେଇଥିବା ନିର୍ବାଚନରେ ସେ ତିର୍ତ୍ତୋଲ-ଏରସମା ଆସନରୁ ଲଢି ବିଜୟୀ ହୋଇଥିଲେ । ସେହିପରି ଭାରତ ସ୍ୱାଧୀନତା ପରେ କେନ୍ଦ୍ରାପଡା ଆସନରୁ ବିଜୟୀ ହୋଇ ରାଜସ୍ୱ ମନ୍ତ୍ରୀ ହୋଇଥିଲେ । ନବକୃଷ୍ଣଙ୍କ ଶାସନ କାଳରେ ହୀରାକୁଦ ବନ୍ଧ ଓଡିଶା କୃଷି ଓ ପଶୁ ଚିକିତ୍ସା ମହାବିଦ୍ୟାଳୟ ଏବଂ ବୁର୍ଲା ବୈଷୟିକ ମହାବିଦ୍ୟାଳୟ ଆଦି ସ୍ଥାପିତ ହୋଇଥିଲା । ବହୁ ବିରୋଧ ସତ୍ତ୍ୱେ ତାଙ୍କ ଉଦ୍ୟମରେ ଓଡ଼ିଆ ଭାଷା ସରକାରୀ ଭାଷାରେ ପରିଣତ ହୋଇଥିଲା ।