ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ରାଜ୍ୟରେ ହାତୀ ମୃତ୍ୟୁରେ ଲାଗୁନି ରୋକ । ଆଜି ଅପରାହ୍ନରେ ଢେଙ୍କାନାଳ ଜିଲ୍ଲା ଓଡ଼ାପଡ଼ା ଅଞ୍ଚଳରେ ଏକ ମାଈହାତୀର ମୃତଦେହ ଠାବ ହୋଇଛି। ବାବନ୍ଧ ପାଳରଗଡି ନିକଟରୁ ଏକ ମାଈହାତୀର ମୃତଦେହ ଉଦ୍ଧାର କରାଇଛି। ଖବର ନେବାରେ ଜଣାଗଲା ଯେ ଗତ କିଛି ଦିନ ଧରି ଉକ୍ତ ହାତୀଟି ସ୍ବାସ୍ଥ୍ୟଗତ କାରଣରୁ ଅସୁସ୍ଥ ଥିବା ଦେଖିବାକୁ ମିଳିଥିଲା। ଗତ କିଛି ଦିନ ତଳେ ଏହି ମାଈହାତୀର ପ୍ରାୟ ଏକ ବର୍ଷର ଗୋଟିଏ ଛୁଆ ମା’ ସହିତ ଥିବା ଦେଖିବାକୁ ମିଳିଥିଲା। ଗତକାଲି ମା’ହାତୀଟି ମୃତ୍ୟୁବରଣ କରିବା ପରେ ଆଜି ଛୁଆହାତୀର କୌଣସି ପତ୍ତା ମିଳୁନଥିବା ଗ୍ରାମବାସୀଙ୍କ ଠାରୁ ପ୍ରକାଶ। ମୃତ୍ୟୁବରଣ କରିଥିବା ହାତୀ ଶରୀରରୁ ପଚା ଗନ୍ଧ ବାହାରୁଛି। ତେଣୁ ଏହା ଦୁଇ ଦିନ ପୂର୍ବରୁ ମୃତ୍ୟୁବରଣ କରିଥିବା ଅନୁମାନ କରାଯାଉଛି। କିନ୍ତୁ ବନ ବିଭାଗ ଏହା ସ୍ବୀକାର କରୁନାହିଁ। ବନ ବିଭାଗ କହିଛି ଗତକାଲି ହାତୀଟିର ମୃତ୍ୟୁ ହୋଇଛି। ଏହି ଘଟଣା ବାବଦ୍ଧ ବହଣ୍ଡେଇ ରାସ୍ତାକଡ଼ରେ ଘଟିଥିବା ବେଳେ ବନ ବିଭାଗ ବିଳମ୍ବରେ ଜାଣିବା ସେମାନଙ୍କ କାର୍ଯ୍ୟ ଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରି । ଏହାର ତଦନ୍ତ କରାଯିବା ସହିତ ହାତୀ ଛୁଆ କେଉଁ ଆଡେ ଗଲା ବନ ବିଭାଗ ଖୋଜି ନ ପାଇବା ମୁଣ୍ଡବିନ୍ଧାର କାରଣ ପାଲଟିଛି।
ରାଜ୍ୟରେ ହାତୀ ମୃତ୍ୟୁକୁ ନେଇ ଗତ ବିଧାନସଭାରେ ଶାସକ ଦଳକୁ ପ୍ରଶ୍ନ ପଚାରିଥିଲେ ବିଜେପି ବିଧାୟିକା କୁସୁମ ଟେଟେ । ପ୍ରତିଉତ୍ତରରେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ କହିଛନ୍ତି ୨୦୧୭ – ୧୮ରୁ ୨୦୨୧-୨୨ ମସିହା ପର୍ୟ୍ୟନ୍ତ ୫ ବର୍ଷ ମଧ୍ୟରେ ରାଜ୍ୟର ୩୯ଟି ଜଙ୍ଗଲ ଡିଭିଜନରେ ବିଭିନ୍ନ କାରଣରୁ ୪୧୬ ଟି ହାତୀଙ୍କ ମୃତ୍ୟୁବରଣ ହୋଇଛି । ପ୍ରାକୃତିକ କାରଣରୁ ୪୪ଟି ହାତୀଙ୍କର ମୃତ୍ୟୁ ହୋଇଛି ହୋଇଥିବା ବେଳେ ଶିକାରୀ ମାନଙ୍କ ୧୦ ଟି ହାତୀଙ୍କର ଶିକାର ହୋଇଛି । ସେହିପରି ବିଷ ପ୍ରୟୋଗ ଦ୍ୱାରା କେବଳ ରାଉରକେଲା ଡିଭିଜନରେ ୧ଟି ହାତୀର ମୃତ୍ୟୁ ହୋଇଛି । ବିଭିନ୍ନ ସ୍ଥାନ ମାନଙ୍କରେ ବିଦ୍ୟୁତ ଆଘାତରେ ଆକସ୍ମିକ ଭାବେ ମୃତ୍ୟୁବରଣ କରିଛନ୍ତି ୨୬ଟି ହାତୀ । ବିଦ୍ୟୁତ ଆଘାତରେ ସୁଚିନ୍ତିତ ଭାବେ ମୃତ୍ୟୁବରଣ କରିଛନ୍ତି ୩୫ଟି ହାତୀ । ସେହିପରି ରେଳ ଲାଇନ ପାର ହେବା ବେଳେ ରେଳ ଦୁର୍ଘଟଣାରେ ୧୭ଟି ହାତୀଙ୍କର ମୃତ୍ୟୁ ହୋଇଛି । ସଡକ ଦୁର୍ଘଟଣାରେ ୪ଟି ହାତୀ ମୃତ୍ୟୁ ହୋଇଛି । ଅନ୍ୟାନ୍ୟ ଦୁର୍ଘଟଣା କାରଣରୁ ୮୫ଟି ହାତୀ ମୃତ୍ୟୁବରଣ କରିଛନ୍ତି । ଗତ ୫ ବର୍ଷ ମଧ୍ୟରେ ଆନ୍ଥରାକ୍ସ ରୋଗରେ ପଡ଼ି ୨୪ଟି ହାତୀଙ୍କର ମୃତ୍ୟୁ ହୋଇଥିବା ବେଳେ ହରପିସ୍ ରୋଗରେ ପଡ଼ି ୧୦ ଟି ହାତୀ ମୃତ୍ୟୁବରଣ ହୋଇଛି । ଅନ୍ୟାନ୍ୟ ରୋଗ ଯୋଗୁଁ ୧୨୪ଟି ହାତୀ ମୃତ୍ୟୁବରଣ କରିଛନ୍ତି । ତେବେ ୩୬ଟି ହାତୀଙ୍କର ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି ବୋଲି କହିଛନ୍ତି ଜଙ୍ଗଲ ପରିବେଶ ଓ ଜଳବାୟୁ ମନ୍ତ୍ରୀ ପ୍ରଦୀପ ଅମାତ ।