ଓଡ଼ିଆ ନ୍ୟୁଜ (ବ୍ୟୁ୍ରୋ) : ଶିକ୍ଷକଙ୍କ ପାଇଁ ଖୁସି ଖବର। ବସରେ କୌଣସି ସ୍ଥାନକୁ ଯାଉଥିଲେ ତାଙ୍କୁ ବସ ଭଡା ଦେବାକୁ ପଡିବ ନାହିଁ । କିନ୍ତୁ ମାଗଣା ଯାତ୍ରା ପାଇଁ କିଛି ସର୍ତ୍ତ ମାନିବାକୁ ପଡିବ। ଉତ୍ତରପ୍ରଦେଶର ଯୋଗୀ ସରକାର ଖୁବ ଶୀଘ୍ର ଏଭଳି ଏକ ବ୍ୟବସ୍ଥା ଆରମ୍ଭ କରିବାକୁ ଯାଉଛନ୍ତି । ତେବେ ମାଗଣା ଯାତ୍ରା ପାଇଁ ୨ଟି ସର୍ତ୍ତ ମଧ୍ୟ ରହିଛି ।
ପ୍ରଥମ ସର୍ତ୍ତଟି ହେଉଛି ଯେ ସେହି ଶିକ୍ଷକମାନେ ମାଗଣାରେ ଯାତ୍ରା କରିପାରିବେ ଯେଉଁମାନେ ଜାତୀୟ କିମ୍ବା ରାଜ୍ୟ ପୁରସ୍କାର ପାଇଥିବେ ।ଦ୍ଵିତୀୟ ସର୍ତ୍ତଟି ହେଉଛି ଯେ, ୟୁପି ରୋଡୱେଜ ବସ୍ (ରାଜ୍ୟ ସରକାରଙ୍କ ପକ୍ଷରୁ ଚାଲୁଥିବା ବସ) ରେ ହିଁ ଏହି ସୁବିଧା ଉପଲବ୍ଧ ହେବ । ପରିବହନ ବିଭାଗ ପକ୍ଷରୁ ଏବାବଦରେ ଶିକ୍ଷା ବିଭାଗ ପାଖକୁ ଏକ ଚିଠି ଲେଖି ପୁରସ୍କାର ପ୍ରାପ୍ତ ଶିକ୍ଷକଙ୍କ ସବିଶେଷ ତଥ୍ୟ ପ୍ରଦାନ କରିବାକୁ କୁହାଯାଇଛି ।
ଏହି ସ୍କିମ ମୁତାବକ ଜାତୀୟ / ରାଜ୍ୟ ପୁରସ୍କାର ଜିତିଥିବା ଶିକ୍ଷକମାନଙ୍କୁ ପରିବହନ ନିଗମର ବସ୍ରେ ମାଗଣା ଯାତ୍ରା ସୁବିଧା ଯୋଗାଇ ଦିଆଯିବ । ସେମାନଙ୍କୁ ଏକ ସ୍ମାର୍ଟକାର୍ଡ ଦିଆଯିବ ଓ ବର୍ଷକୁ ସେମାନେ ୪୦୦୦ କିଲୋମିଟର ପର୍ଯ୍ୟନ୍ତ ଯାତ୍ରା କରିପାରିବେ । ପରିବହନ ନିଗମ ଦ୍ୱାରା ଶିକ୍ଷକମାନଙ୍କୁ ସ୍ୱତନ୍ତ୍ର ସ୍ମାର୍ଟ କାର୍ଡ ଯୋଗାଇ ଦିଆଯିବ ।
ଟିକେଟ୍ ମେସିନରେ ଏହି ସ୍ମାର୍ଟ କାର୍ଡଗୁଡ଼ିକୁ ପୁରାଇଲେ ଏକ ଟିକେଟ୍ ବାହାରିବ, ଯେଉଁଥିରେ କେବଳ ଗନ୍ତବ୍ୟ ସ୍ଥଳ ଲେଖାଯାଇଥିବ କିନ୍ତୁ ଭଡା ବାବଦରେ ଉଲ୍ଲେଖ ନଥିବ । ଏହି କାର୍ଡକୁ ଜଣେ ଶିକ୍ଷକ ୫ ବର୍ଷ ଯାଏଁ ବ୍ୟବହାର କରିପାରିବେ । ଏହା ନିହାତି ଭାବେ ସରକାରଙ୍କ ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ ।