ଓଡିଶା ଫାର୍ମାସିଷ୍ଟ ସେବା ସଂଘ ସରକାରଙ୍କ ପାଖରେ ରଖିଲେ ଦାବି, ପୂରଣ ନହେଲେ ଏପ୍ରିଲ ୧୭ରେ ସମୂହ ଛୁଟି ନେଇ ଗଣଧାରଣା ଦେବେ
ଓଡିଆ ନ୍ୟୁଜ୍(ବ୍ୟୁରୋ): ଓଡିଶା ଫାର୍ମାସିଷ୍ଟ ସେବା ସଂଘ , କଟକ ଶାଖା ପକ୍ଷରୁ ସାମ୍ବାଦିକ ସମ୍ମିଳନୀ।ଦାବି ପୂରଣ ନହେଲେ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ କାର୍ଯ୍ୟବନ୍ଦ କରିବା ସହ ଗଣଧାରଣା ଦେବ ଓଡ଼ିଶା ଫାର୍ମାସିଷ୍ଟ ସଂଘ। ଆସନ୍ତା ଏପ୍ରିଲ ୧୫ ତାରିଖ ସୁଦ୍ଧା ସଂଘର ଦାବି ଉପରେ ସରକାର ଯଦି କୌଣସି ନିଷ୍ପତ୍ତି ନ ନିଅନ୍ତି ତା ହେଲେ ଆଗାମୀ ଏପ୍ରିଲ ୧୭ ତାରିଖରେ ରାଜ୍ୟର ସମସ୍ତ ଫାର୍ମାସିଷ୍ଟ ସମୂହ ଛୁଟି ନେଇ ରାଜଧାନୀରେ ଅନିର୍ଦ୍ଧିଷ୍ଟ କାଳ ପାଇଁ ଗଣଧାରଣା ଦେବେ।।
କଟକରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଚେତାବନୀ ଦେଲା ଓଡ଼ିଶା ଫାର୍ମାସିଷ୍ଟ ସଂଘ ର କଟକ ଶାଖା। ଫାର୍ମାସିଷ୍ଟ ମାନଙ୍କର ମୂଳ ଦରମା ୨୪୦୦ ଟଙ୍କା ପରିବର୍ତ୍ତେ ୨୮୦୦ ଟଙ୍କାକୁ ବୃଦ୍ଧି କରିବା, ୨୦ ଏପ୍ରିଲ ୨୦୨୨ ର ସଂଶୋଧିତ ଫାର୍ମାସିଷ୍ଟ କ୍ୟାଡର ରୁଲକୁ ଜାନୁଆରୀ ୦୧,୨୦୧୬ ପରିବର୍ତ୍ତେ ୨୪ ଅଗଷ୍ଟ ୨୦୧୩ ଠାରୁ କାର୍ଯ୍ୟକାରୀ କରିବା, ସରକାରୀ ଫାର୍ମାସିଷ୍ଟ ପଦବୀକୁ ସରକାରୀ ଫାର୍ମାସିଷ୍ଟ ଅଫିସର ପଦବୀ ନାମରେ ଘୋଷଣା କରିବା, ଠିକାରେ ନିଯୁକ୍ତ ସମସ୍ତ ଫାର୍ମାସିଷ୍ଟଙ୍କ ପ୍ରପ୍ର୍ୟା ଅର୍ଥରାଶି ସୁନିଶ୍ଚିତ କରିବା ଏବଂ ରାଜ୍ୟ ସରକାରଙ୍କ ଭ୍ରାମ୍ୟମାଣ ସ୍ୱାସ୍ଥ୍ୟକେନ୍ଦ୍ର, ରାଷ୍ଟ୍ରୀୟ ବାଳ ସ୍ବାସ୍ଥ୍ୟ କାର୍ଯ୍ୟକ୍ରମରେ ଥିବା ଖାଲି ସ୍ଥାନରେ ଫାର୍ମାସିଷ୍ଟଙ୍କୁ ଅବସ୍ଥାପିତ କରି ନିୟମିତ କରିବାକୁ ଦାବି କରାଯାଇଛି ସଂଘ ପକ୍ଷରୁ। ବର୍ତ୍ତମାନ ରାଜ୍ୟରେ ୩୩୦୦ ଫାର୍ମାସିଷ୍ଟ କାର୍ଯ୍ୟରତ ଅଛନ୍ତି। ଯେଉଁମାନେ ରାଜ୍ୟର ସମସ୍ତ ସରକାରୀ ମେଡ଼ିକାଲରେ କାର୍ଯ୍ୟ କରୁଛନ୍ତି।