ଚାଲିଛି +୨ ଖାତାଦେଖା

0

ଓଡ଼ିଆ ନ୍ୟୁଜ (ବ୍ୟୁ୍ରୋ) : ଆଜିଠୁ ଯୁକ୍ତ ୨ ପରୀକ୍ଷା ଖାତା ମୂଲ୍ୟାୟନ ଆରମ୍ଭ । ପ୍ରଥମ ପର୍ୟ୍ୟାୟ ସୋମବାରଠୁ ଆରମ୍ଭ ହୋଇ ୨୨ତାରିଖରେ ସରିବ । ଖାତା ମୂଲ୍ୟାୟନ ପାଇଁ ଉଭୟ ଅନ୍‌ଲାଇନ୍‌ ଓ ଅଫଲାଇନ୍‌ ମୂଲ୍ୟାୟନ କେନ୍ଦ୍ରର ବ୍ୟବସ୍ଥା କରାଯାଇଛି । ପ୍ରଥମ ପର୍ୟ୍ୟାୟ ଅନ୍‌ଲାଇନ୍‌ ମୂଲ୍ୟାୟନ ଚଳିତ ମାସ ୨୧ ତାରିଖରେ ସରିବାକୁ ଥିବା ବେଳେ ଅଫଲାଇନ୍‌ ମୂଲ୍ୟାୟନ ୨୨ରେ ସରିବ । ଅଫଲାଇନ୍‌ ମୂଲ୍ୟାୟନ ପାଇଁ ୬୫ଟି କଲେଜକୁ ସେଣ୍ଟର କରାଯାଇଛି ।

ସେହିପରି ଅନ୍‌ଲାଇନ୍‌ ପାଇଁ ୭ଟି କଲେଜକୁ ଚୟନ କରାଯାଇଥିବା ବେଳେ ବାକି ସମସ୍ତ କମ୍ପ୍ୟୁଟର ସେଣ୍ଟରକୁ ଚୟନ କରାଯାଇଛି ।ସୂଚନା ଅନୁଯାୟୀ, ପ୍ରଥମ ପ୍ରର୍ୟ୍ୟାୟ ମୂଲ୍ୟାୟନରେ କଳା ବିଭାଗର ୧୭ଟି, ବିଜ୍ଞାନ ବିଭାଗର ୧୮ଟି ଓ ବାଣିଜ୍ୟ ବିଭାଗର ୧୪ଟି ବିଷୟରେ ମୂଲ୍ୟାୟନ କରାଯିବ । ଦ୍ୱିତୀୟ ପର୍ୟ୍ୟାୟ ଅନ୍‌ଲାଇନ୍‌ ମୂଲ୍ୟାୟନ ୨୭ ତାରିଖରୁ ଆରମ୍ଭ ହୋଇ ମେ ୭ତାରିଖ ପର୍ୟ୍ୟନ୍ତ ଚାଲିବ। ଅଫଲାଇନ୍‌ରେ ୨୩ ଏପ୍ରିଲ୍‌ରୁ ଆରମ୍ଭ ହୋଇ ମେ୪ରେ ଶେଷ ହେବ । ଏହି ସମୟରେ କଳା ସମେତ ଧନ୍ଦାମୂଳକ ଶିକ୍ଷାର ମୂଲ୍ୟାୟନ କରାଯିବ।

ଦ୍ୱିତୀୟ ପର୍ୟ୍ୟାୟ କଳା ବିଭାଗ ମୂଲ୍ୟାୟନ ସମୟରେ ୨୭ଟି ବିଷୟ, ବିଜ୍ଞାନରେ ୨୪ଟି ଓ ବାଣିଜ୍ୟରେ ୧୮ଟି ବିଷୟରେ ମୂଲ୍ୟାୟନ ହେବ ।ଧନ୍ଦାମୂଳକ ଶିକ୍ଷାର ସମସ୍ତ ୧୮ଟି ବିଷୟର ମୂଲ୍ୟାୟନ କରାଯିବ । ସମସ୍ତ ଖାତା ଦେଖା ମେ ୭ତାରିଖ ସୁଦ୍ଧା ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି । ଯୁକ୍ତ ୨ ବିଜ୍ଞାନ ଓ ବାଣିଜ୍ୟର ପରୀକ୍ଷା ଫଳ ମେ ୩୧ ସୁଦ୍ଧା ପ୍ରକାଶିତ ହେବ ବୋଲି ସ୍ଥିର ହୋଇଛି । କଳା ଓ ଧନ୍ଦାମୂଳକ ପରୀକ୍ଷାର ରେଜଲ୍ଟ ଜୁନ୍‌ ପ୍ରଥମ ସପ୍ତାହ ସୁଦ୍ଧା ପ୍ରକାଶ କରିବାକୁ ଲକ୍ଷ୍ୟ ରଖାଯାଇଛି ବୋଲି ଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ସୂଚନା ଦେଇଛନ୍ତି।

Leave A Reply

Your email address will not be published.