ଝାରସୁଗୁଡା ଉପନିର୍ବାଚନ ପାଇଁ କଂଗ୍ରେସ ପ୍ରାର୍ଥୀ ହେଲେ ତରୁଣ ପାଣ୍ଡେ

0

ଓଡ଼ିଆ ନ୍ୟୁଜ (ବ୍ୟୁ୍ରୋ) : ଖରା ତାତି ସାଙ୍ଗକୁ ରାଜନୈତିକ ଉଷ୍ମତା। ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ତାରିଖ ଘୋଷଣା ପରଠାରୁ ସମଗ୍ର ନିର୍ବାଚନ ମଣ୍ଡଳୀରେ ରାଜନୈତିକ ଗତିବିଧି ସରଗରମ ହେବାରେ ଲାଗିଛି। ମେ ୧୦ ତାରିଖରେ ହେବାକୁ ଥିବା ଏହି ଉପନିର୍ବାଚନ ପାଇଁ ଆସନ୍ତା ୧୩ ତାରିଖରେ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇବ। ଏହା ପରେ ନାମାଙ୍କନ ଦାଖଲ ପ୍ରକ୍ରିୟା ଆରମ୍ଭ ହେବାକୁ ଥିବାବେଳେ ଆଜି କଂଗ୍ରେସ ପକ୍ଷରୁ ତରୁଣ ପାଣ୍ଡେଙ୍କୁ ପ୍ରାର୍ଥୀ ଭାବେ ଘୋଷଣା କରାଯାଇଛି |

 ପ୍ରଦେଶ କଂଗ୍ରେସ କମିଟିର ୫ ଜଣିଆ ଟିମ୍‌ ଝାରସୁଗୁଡ଼ା ଗସ୍ତ କରି ଦଳୀୟ ପ୍ରାର୍ଥିତ୍ବ ନେଇ କର୍ମୀ ଓ ନେତାଙ୍କ ସହ ବିଚାରବିମର୍ଶ କରିଥିଲେ। ଟିମ୍‌ ୬ ଜଣିଆ ତାଲିକା ପ୍ରସ୍ତୁତ କରି ଦଳର ରାଜ୍ୟ କମିଟିକୁ ହସ୍ତାନ୍ତର କରିଥିଲା। ତେବେ ଏଆଇସିସି ତରୁଣଙ୍କ ନାମ ଉପରେ ମୋହର ଲଗାଇଛି | ତରୁଣ ହେଉଛନ୍ତି ୩ ଥରର ବିଧାୟକ ବୀରେନ୍‌ ପାଣ୍ଡେଙ୍କ ପୁଅ | ନିକଟରେ ବୀରେନ୍‌ ପାଣ୍ଡେଙ୍କ ଦେହାନ୍ତ ହୋଇଥିବାରୁ ତରୁଣଙ୍କୁ ଟିକଟ ଦେଇ ଅନୁକମ୍ପା ଭୋଟ୍‌ ହାତେଇବାକୁ କଂଗ୍ରେସ ଯୋଜନା କରୁଥିବା ଚର୍ଚ୍ଚା ହେଉଛି। ତରୁଣ କୌଣସି ସାଧାରଣ ନିର୍ବାଚନରେ ପୂର୍ବରୁ ପ୍ରତିଦ୍ବନ୍ଦିତା କରିନଥିବା ବେଳେ ପ୍ରଥମ ଥର ପାଇଁ ଦଳ ତାଙ୍କୁ ଉପ ନିର୍ବାଚନ ମଇଦାନରେ ଓହ୍ଳାଇଛି |

ତେବେ ୨୦୦୦ ମସିହାରୁ ନିର୍ବାଚନ ପ୍ରକ୍ରିୟା ସହ ଜଡିତ ଥିବା ବେଳେ ସେହି ଅଭିଜ୍ଞତା ଆଧାରରେ ଏହି ନିର୍ବାଚନରେ ବାଜିମାତ କରିବେ ବୋଲି ଶ୍ରୀ ପାଣ୍ଡେ କହିଛନ୍ତି | ଉଲ୍ଲେଖ ଥାଉ କି ବିଜେଡି ପକ୍ଷରୁ ଦିବଂଗତ ମନ୍ତ୍ରୀ ନବକିଶୋର ଦାସଙ୍କ ଝିଅ ଦୀପାଳି ଦାସଙ୍କୁ ପ୍ରାର୍ଥୀ ଭାବେ ଘୋଷଣା କରାଯାଇଥିବାବେଳେ ବିଜେପି ପକ୍ଷରୁ ଟଙ୍କଧର ତ୍ରିପାଠୀଙ୍କ ନାମ ଘୋଷଣା ହୋଇପାରେ ବୋଲି ସୂଚନା ମିଳିଛି ¿|

Leave A Reply

Your email address will not be published.