ଆପକୁ ମିଳିଲା ଜାତୀୟ ଦଳ ମାନ୍ୟତା
ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଆପକୁ ମିଳିଲା ଜାତୀୟ ଦଳ ମାନ୍ୟତା। ଏନେଇ ଆଜି ନିର୍ବାଚନ ଆୟୋଗ ନିଷ୍ପତ୍ତି ଶୁଣାଇଛନ୍ତି। ଆପକୁ ଜାତୀୟ ଦଳ ମାନ୍ୟତା ଦେଇ ଏନସିପି, ଟିଏମସି ଓ ସିପିଆଇ ଭଳି ଦଳଠାରୁ ନିର୍ବାଚନ ଆୟୋଗ ଜାତୀୟ ଦଳ ମାନ୍ୟତା ପ୍ରତ୍ୟାହାର କରି ନେଇଥିବା ଜଣାପଡ଼ିଛି।ଏହା ବ୍ୟତୀତ ନିର୍ବାଚନ ଆୟୋଗ ଆଞ୍ଚଳିକ ଦଳ ଭାରତ ରାଷ୍ଟ୍ର ସମିତି (ବିଆରଏସ) ଏବଂ ରାଷ୍ଟ୍ରୀୟ ଲୋକ ଦଳ (ଆରଏଲଡି)ଠାରୁ ଆଞ୍ଚଳିକ ଦଳର ମାନ୍ୟତା ପ୍ରତ୍ୟାହାର କରି ନେଇଛନ୍ତି। ନିର୍ବାଚନ ଆୟୋଗଙ୍କ ଅନୁଯାୟୀ ଏହି ଦଳମାନଙ୍କୁ ଜାତୀୟ ଦଳର ମାନ୍ୟତା ଦିଆଯାଇଥିଲା, କିନ୍ତୁ ଏହି ଦଳଗୁଡିକ ନିର୍ବାଚନରେ ଭଲ ପ୍ରଦର୍ଶନ କରିପାରିଲେ ନାହିଁ। ତେଣୁ ଏହି ମାନ୍ୟତା ପ୍ରତ୍ୟାହାର କରି ନିଆଯାଇଛି। ସେମାନଙ୍କୁ ୨ଟି ବିଧାନସଭା ନିର୍ବାଚନ ଏବଂ ୨୧ଟି ରାଜ୍ୟସଭା ନିର୍ବାଚନରେ ପର୍ଯ୍ୟାପ୍ତ ସୁଯୋଗ ଦିଆଯାଇଥିଲା। ଏବେ ଦଳର ପ୍ରଦର୍ଶନ ସମୀକ୍ଷା କରାଯାଇ ଜାତୀୟ ଦଳର ମାନ୍ୟତା ପ୍ରତ୍ୟାହାର କରାଯାଇଛି। ତେବେ ପରବର୍ତ୍ତୀ ନିର୍ବାଚନରେ ପ୍ରଦର୍ଶନ ଭଲ ରହିଲେ ଏହି ଦଳଗୁଡିକ ଜାତୀୟ ଦଳ ହେବାର ମାନ୍ୟତା ପାଇପାରିବେ।
ସୂଚନା ଯୋଗ୍ୟ ଯେ, ଆମ ଆଦମୀ ପାର୍ଟି ୨୦୧୨ ରେ ଲୋକପାଳ ଆନ୍ଦୋଳନ ପରେ ପ୍ରତିଷ୍ଠା ହୋଇଥିଲା। ଏହାପରେ ୨୦୧୩ ଦିଲ୍ଲୀ ବିଧାନସଭା ନିର୍ବାଚନରେ ଆପ ଦ୍ଵିତୀୟ ବୃହତ୍ତମ ଦଳ ରୂପେ ଉଭା ହୋଇଥିଲା ଓ କଂଗ୍ରେସ ସମର୍ଥନରେ ୪୯ ଦିନ ପାଇଁ ଦିଲ୍ଲୀରେ ସରକାର ଚଳାଇଥିଲା। କଂଗ୍ରେସ-ଆପ ସରକାର ଦିଲ୍ଲୀରେ ଭାଙ୍ଗିବା ପାରେ ପୁଣି ୨୦୧୫ ଦିଲ୍ଲୀ ବିଧାନସଭା ନିର୍ବାଚନରେ ସର୍ବବୃହତ ଦଳ ରୂପେ ନିର୍ବାଚିତ ହୋଇ ଏକାକୀ ସରକାର ଗଠନ କରିଥିଲା ଆପ। ଏହାପରେ ଦିଲ୍ଲୀରେ ଦୁଇ ଦୁଇ ଥର ସରକାର ଗଠନ କରି ସାରିଲାଣି ଦଳ। ଇତି ମଧ୍ୟରେ ପଞ୍ଜାବରେ କଂଗ୍ରେସକୁ ହରାଇ ସେଠାରେ ମଧ୍ୟ ସରକାର ଗଠନ କରିଛି ଆପ। ତେବେ ଆମ ଆଦମୀ ପାର୍ଟି ର ନଜର ଏବେ ରହିଛି ହିମାଚଳ ପ୍ରଦେଶ ଓ ଗୁଜୁରାଟ ନିର୍ବାଚନ ଉପରେ। ନିର୍ବାଚନ କମିଶନଙ୍କ ନିୟମ ଅନୁସାରେ ଆଉ ଗୋଟିଏ ରାଜ୍ୟରେ ଆପ ଆଞ୍ଚଳିକ ଦଳର ମାନ୍ୟତା ପାଇଲେ ଏହା ଏକ ଜାତୀୟ ଦଳରେ ଗଣା ହେବ। ଉଲ୍ଲେଖ ଯୋଗ୍ୟ ଯେ, ଯେ କୌଣସି ୪ ଟି ରାଜ୍ୟରେ ଗତ ବିଧାନସଭା ନିର୍ବାଚନରେ ୬ ପ୍ରତିଶତ ଭୋଟ୍ ସହିତ ଗତ ଲୋକସଭା ନିର୍ବାଚନରେ ୪ ଟି ସିଟ୍ ବିଜୟୀ ହେଲେ କିମ୍ବା ସମସ୍ତ ଲୋକସଭା ଆସନର ୨% ଆସନ ସହିତ ଅତି କମରେ ୩ ଟି ରାଜ୍ୟରୁ ସାଂସଦ ନିର୍ବାଚିତ ହୋଇଥିଲେ ନଚେତ୍ ଅତି କମରେ ୪ଟି ରାଜ୍ୟରେ ଏକ ଆଞ୍ଚଳିକ ଦଳ ଭାବରେ ସ୍ୱୀକୃତି ପାଇଥିଲେ ଏକ ରାଜନୈତିକ ଦଳ ଭାରତରେ ଜାତୀୟ ଦଳ ରୂପେ ସ୍ବୀକୃତି ପାଇଥାଏ। ଏହି ନିୟମ କୁ ନଜରକୁ ନେଲେ ଆପ ବର୍ତ୍ତମାନ ୩ଟି ରାଜ୍ୟରେ ଆଞ୍ଚଳିକ ଦଳର ମାନ୍ୟତା ହାସଲ କରି ସାରିଛି।