ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଓଡ଼ିଶାରେ ପ୍ରତିଷ୍ଠା ହେବ ରାଜ୍ୟରେ ପ୍ରଥମ ଆଦିବାସୀ ବିଶ୍ୱବିଦ୍ୟାଳୟ । ମୟୂରଭଂଜ ଜିଲ୍ଲାରେ ଏହି ବିଶ୍ବବିଦ୍ୟାଳୟ ପ୍ରତିଷ୍ଠା ହେବା ନାଇ ଆଜି ସର୍ଭେ କରିଛନ୍ତି କେନ୍ଦ୍ରୀୟ ଟିମ୍ । ଏଥି ପାଇଁ କେନ୍ଦ୍ରମନ୍ତ୍ରୀଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ପ୍ରତିନିଧି ଦଳଙ୍କ ସହିତ ମୟୂରଭଞ୍ଜ ଜିଲାର ଚାରୋଟି ତହସିଲ ଅଞ୍ଚଳରେ ସର୍ଭେକ୍ଷଣ କରାଯାଇଛି । ଦେଶର ଏକମାତ୍ର ଟ୍ରାଇବାଲ ୟୁନିଭରସିଟିର ଶାଖା ମୟୂରଭଞ୍ଜ ଜିଲ୍ଲାରେ ଖୋଲାଯିବା ନେଇ ପ୍ରସ୍ତାବ ରହିଛି । ଏନେଇ କେନ୍ଦ୍ରମନ୍ତ୍ରୀ ବିଶ୍ବେଶ୍ବର ଟୁଡୁ ନିଜେ ପ୍ରତିନିଧିଙ୍କ ସହିତ ସର୍ବେକ୍ଷଣ କରିଛନ୍ତି । ତେବେ ମଧ୍ୟପ୍ରଦେଶର ଅମରକଣ୍ଟକଠାରେ ଦେଶର ଏକମାତ୍ର ଟ୍ରାଇବାଲ ୟୁନିଭରସିଟି ‘ଇନ୍ଦିରା ଗାନ୍ଧି ନ୍ୟାସନାଲ ଟ୍ରାଇବାଲ ୟୁନିଭରସିଟି’ର ଶାଖା ମୟୂରଭଂଜରେ ପ୍ରତିଷ୍ଠା ହେବ । ଏହି ବିଶ୍ବବିଦ୍ୟାଳୟର ଏକ ଶାଖା ମଣିପୁରରେ ଖୋଲିଥିବା ବେଳେ ଆଉ ଗୋଟିଏ ଶାଖା ଆସାମର କାଜିରଙ୍ଗା ଠାରେ ଖୋଲିବା ନେଇ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଘୋଷଣା କରିଛନ୍ତି ।
ସବୁଠୁ ବଡ଼ କଥା ହେଉଛି, ଇନ୍ଦିରା ଗାନ୍ଧୀ ନ୍ୟାସନାଲ ଟ୍ରାଇବାଲ ୟୁନିଭରସିଟିର ଏକ ଶାଖା ମୟୂରଭଞ୍ଜ ଜିଲ୍ଲାରେ କରାଯିବାର ନିଷ୍ପତ୍ତି ହୋଇଥିବା ଜଣାଯାଇଛି । ଆଦିବାସୀ ବିଶ୍ୱବିଦ୍ୟାଳୟ ପାଇଁ କେନ୍ଦ୍ରମନ୍ତ୍ରୀ ଇଂ ବିଶ୍ବେଶ୍ବର ଟୁଡୁଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଇନ୍ଦିରା ଗାନ୍ଧି ନ୍ୟାସନାଲ ଆଦିବାସୀ ବିଶ୍ୱବିଦ୍ୟାଳୟର ମୁଖ୍ୟ ପ୍ରଫେସରମାନେ ଆସି ସର୍ବେକ୍ଷଣ କରି ଫେରିଛନ୍ତି । ଏହି ବିଶ୍ବବିଦ୍ୟାଳୟଟିକୁ ଦକ୍ଷତା ବିଶ୍ବବିଦ୍ୟାଳୟ କରିବେ ବୋଲି ଇଚ୍ଛା ପ୍ରକଟ କରିଛନ୍ତି କେନ୍ଦ୍ରମନ୍ତ୍ରୀ । ସେଥିପାଇଁ ଶ୍ରୀ ଟୁଡୁଙ୍କ ତତ୍ତ୍ଵାବଧାନରେ ଏକ କେନ୍ଦ୍ରୀୟ ଟିମ୍ ମୟୂରଭଞ୍ଜ ଜିଲ୍ଲାର ଜାମଶୋଳା, ବିଶୋଇ ଓ ବହଳଦା ବ୍ଲକର କାଦୁଆଣୀ ଠାରେ ଥିବା ଜମିକୁ ସର୍ବେକ୍ଷଣ କରାଯାଇଛି । ଉପଯୁକ୍ତ ଜାଗା ଚିହ୍ନଟ ପରେ କେନ୍ଦ୍ର ସରକାରଙ୍କ ନିକଟରେ ସୁପାରିଶ କରାଯିବ । ଉକ୍ତ ଆଦିବାସୀ ବିଶ୍ୱବିଦ୍ୟାଳୟ ନିମନ୍ତେ ଅତିକମରେ ୫୦ ଏକର ଜମି ଦରକାର । ଉକ୍ତ ଜମିକୁ ବିନା ମୂଲ୍ୟରେ ରାଜ୍ୟ ସରକାର ଯୋଗାଇବାପରେ କାର୍ଯ୍ୟ ଆରମ୍ଭ ହେବ ବୋଲି ସୂଚନା ମିଳିଛି ।
ସୂଚନାଯୋଗ୍ୟ ଯେ, ଓଡ଼ିଶାର ସର୍ବାଧିକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ହେଉଛି ମୟୂରଭଞ୍ଜ। ଏଠାରେ ଅଲଚିକି, ହୋ ଭାଷା, ଭୂମିଜ, ସାନ୍ତାଳୀ ସମେତ ବିଭିନ୍ନ ଆଦିବାସୀ ଭାଷାଭାଷୀ ଲୋକେ ବାସବାସ କରନ୍ତି। ଉକ୍ତ ବିଶ୍ୱବିଦ୍ୟାଳୟରେ ବୈଷୟିକ, ଧନ୍ଦାମୂଳକ, ପର୍ଯ୍ୟଟନ, ମତ୍ସ୍ୟଚାଷ, ଜଙ୍ଗଲ ସର୍ବେକ୍ଷଣ, କମ୍ପ୍ୟୁଟର ଭଳି ବିଭିନ୍ନ ବିଷୟରେ ପାଠ ପଢ଼ାଯିବ ବୋଲି ସୂଚନା ମିଳିଛି । ମୟୁରଭଞ୍ଜ ଜିଲ୍ଲାରେ ଆଦିବାସୀ ବିଶ୍ୱବିଦ୍ୟାଳୟ ହେବ ବୋଲି ଜାଣିବା ପରେ ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଛି। କେନ୍ଦ୍ରମନ୍ତ୍ରୀ ବିଶ୍ବେଶ୍ବର ଟୁଡୁ ନିଜେ ମୟୁରଭଞ୍ଜ ଜିଲ୍ଲାର ହୋଇଥିବାରୁ ମୟୁରଭଞ୍ଜବାସୀ ମନ୍ତ୍ରୀ ବିଶେଷ ଧନ୍ବାଦ ଦେଇଛନ୍ତି