ମୟୁରଭଞ୍ଜ ଜିଲ୍ଲାରେ ଶତାଧିକ ଶିକ୍ଷକ ନକଲି

0

ଓଡ଼ିଆ ନ୍ୟୁଜ (ବ୍ୟୁ୍ରୋ) : ସବୁଆଡେ ଖାଲି ନକଲି । ନକଲି ପ୍ରମାଣପତ୍ର ଦେଇ ମୟୂରଭଞ୍ଜ ଜିଲ୍ଲାରେ ମଧ୍ୟ ଅନେକ ସରକାରୀ ଚାକିରି ହାତେଇଛନ୍ତି। ସେମାନଙ୍କ ମଧ୍ୟରେ ଅଛନ୍ତି ଶତାଧିକ ଶିକ୍ଷକ, ଶିକ୍ଷୟିତ୍ରୀ, ଫରେଷ୍ଟର, ଫରେଷ୍ଟ ଗାର୍ଡ ଓ ପୁଲିସ କନେଷ୍ଟବଳ। ତଦନ୍ତ ପ‌ରେ ଏକାଧିକ ଅଭିଯୋଗର ସତ୍ୟତା ଜଣାପଡ଼ିଥିଲେ ମଧ୍ୟ ରାଜନୈତିକ ଚାପରେ ଆଜି ପର୍ଯ୍ୟନ୍ତ କାହା ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇନାହିଁ।ମୟୂରଭଞ୍ଜ ଜିଲ୍ଲାର ବିଭିନ୍ନ ପ୍ରାଥମିକ, ଉଚ୍ଚ ପ୍ରାଥମିକ ଓ ହାଇସ୍କୁଲରେ ଜାଲ୍‌ ପ୍ରମାଣପତ୍ର ଦେଇ ୨୧୩ ଜଣ ଶିକ୍ଷକ, ଶିକ୍ଷୟିତ୍ରୀ ଚାକିରି କରିଛନ୍ତି।

ଗଲା ୫ ବର୍ଷ ମଧ୍ୟରେ ଏ ନେଇ ବିଭିନ୍ନ ମହଲରୁ ଅଭିଯୋଗ ଆସିବା ପରେ ପ୍ରଶାସନିକ ତଦନ୍ତ ନିର୍ଦ୍ଦେଶ ଦିଆଯାଇଥିଲା। ଆଳୁ ଖୋଳୁ ଖୋଳୁ ମହାଦେବ ବାହାରିବା ଭଳି ଖୋଳତାଡ଼ ସମୟରେ ୧୪୨ ଜଣ ନକଲି ଶିକ୍ଷକ, ଶିକ୍ଷୟିତ୍ରୀ ଚିହ୍ନଟ ହୋଇଥିଲେ। ତେବେ, ସେଥିମଧ୍ୟରୁ ମାତ୍ର ୧୮ ଜଣଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇଥିବା ବେଳେ ଅବଶିଷ୍ଟ ୧୨୪ ଜଣଙ୍କର ତଦନ୍ତ ଚାଲିଥିବା ଦର୍ଶାଇ ଶିକ୍ଷା ବିଭାଗ ଦିନ ଗଡ଼ାଇ ଚାଲିଛି। ବୋର୍ଡ, କାଉନ୍‌ସିଲ ଓ ବିଶ୍ବବିଦ୍ୟାଳୟକୁ ଯାଞ୍ଚ୍‌ ପାଇଁ ପଠାଯାଇଛି। ବାହାର ରାଜ୍ୟରୁ ଦିଆଯାଇଥିବା ବିଇଡି ପ୍ରମାଣପତ୍ର ବି ଯାଞ୍ଚ ପାଇଁ ପଠାଯାଇଛି। ରିପୋର୍ଟ ଆସିଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହୁଛି ପ୍ରଶାସନ। ପ୍ରକୃତରେ ପ୍ରମାଣପତ୍ର ଯାଞ୍ଚ୍‌ ପାଇଁ ପଠାଯାଇଛି ନା ଜାଲି କର୍ମଚାରୀଙ୍କୁ ସୁରକ୍ଷା ଦେବା ଲାଗି ମିଛ କୁହାଯାଉଛି, ସେ ସଂପର୍କରେ ଅଧିକ ଅନୁସନ୍ଧାନର ଆବଶ୍ୟକତା ରହିଛି ବୋଲି କହିଛନ୍ତି ଶିକ୍ଷାବିତ୍‌ କୁଞ୍ଜବିହାରୀ ମହାନ୍ତ। ଯଦି ଉଚ୍ଚସ୍ତରୀୟ ତଦନ୍ତ ହୁଏ ତେବେ ଜିଲ୍ଲାରେ ଜାଲ ଶିକ୍ଷକ, ଶିକ୍ଷୟିତ୍ରୀଙ୍କ ସଂଖ୍ୟା ୧୦୦୦ରୁ କମ୍ ହେବନି ବୋଲି ସେ କହିଛନ୍ତି। ଶିକ୍ଷା ବିଭାଗ ବ୍ୟତୀତ ବନ ଓ ପୁଲିସ ବିଭାଗରେ ଅଧିକାଂଶ ଜାଲ ପ୍ରମାଣପତ୍ର ଦେଇ ଚାକିରି କରିଛନ୍ତି।

ଏମାନଙ୍କ ମଧ୍ୟରେ ଫରେଷ୍ଟର, ଫରେଷ୍ଟ ଗାର୍ଡ ଓ ପୁଲିସ କନେଷ୍ଟବଳ ଅଛନ୍ତି ବୋଲି ବିଶେଷ ସୂତ୍ରରୁ ଜଣାପଡ଼ିଛି। ରାଜ୍ୟସ୍ତରରେ ଏହାକୁ ନେଇ ତନାଘନା ହେବା ପରେ ଜିଲ୍ଲାରେ ବହୁ କର୍ମଚାରୀ ଛାନିଆ ହୋଇ ପଡ଼ିଛନ୍ତି। ତେବେ ସେମାନଙ୍କ ପ୍ରତି ଆଗକୁ କେଉଁ କାର୍ଯ୍ୟାନୁଷ୍ଠାନ ନିଆଯାଉଛି, ତାହା ଦେଖିବାକୁ ବାକି ରହିଲା ।

Leave A Reply

Your email address will not be published.