ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଅସହ୍ୟ ତାତିରେ ଆଉଟୁପାଉଟୁ ଓଡ଼ିଶା। ଆକାଶରୁ ଅଗ୍ନିବର୍ଷା। ୪୩ ଡିଗ୍ରୀ ତାପମାତ୍ରା ସହ ଝାରସୁଗୁଡ଼ା ରାଜ୍ୟର ସବୁଠାରୁ ଉତ୍ତପ୍ତ ସହର ପାଲଟିଛି। ୪୦ ଡିଗ୍ରୀ ଉପରେ ୧୪ ସହରର ତାପମାତ୍ରା ରେକର୍ଡ ହୋଇଛି। ବାରିପଦାରେ ୪୨.୫ ଡିଗ୍ରୀ ସେଲସିୟସ ରେକର୍ଡ ହୋଇଥିବା ବେଳେ ବେଳେ ସମ୍ବଲରୁରରେ ୪୨, ବୌଦ୍ଧ ଓ ତାଳଚେରରେ ୪୧.୬, ବଲାଙ୍ଗିର ଓ ଟିଟିଲାଗଡ଼ରେ ୪୧.୨, ଅନୁଗୁଳରେ ୪୧. ଡିଗ୍ରୀ ସେଲୟସିୟ ରେକର୍ଡ ହୋଇଛି। ଭଦ୍ରକ, ସୁନ୍ଦରଗଡ଼ ଓ ସୋନପୁରରେ ତାପମାତ୍ରା ୪୧ ଡିଗ୍ରୀ ରହିଛି। ହୀରାକୁଦରେ ତାପମାତ୍ରା ୪୦.୭, ରାଉରକେଲାରେ ୪୦.୬ ଓ ଚାନ୍ଦବାଲିରେ ୪୦.୩ ଡିଗ୍ରୀ ଛୁଇଁଛି ପାରଦ। ଆଗାମୀ ତିନିଦିନ ପାଇଁ ହିଟ୍ୱେଭ ୱାର୍ଣ୍ଣିଂ ଜାରି ହୋଇଛି। ଦିନର ତାପମାତ୍ରା ସ୍ୱାଭାବିକ ଠାରୁ ୪ରୁ ୫ଡିଗ୍ରୀ ଅଧିକ ରହିବ। ୧୬ ତାରିଖରୁ ପାଗରେ ପରିବର୍ତ୍ତନ ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି।
ଉପରମୁହାଁ ପାରଦ । ଆକାଶରୁ ବର୍ଷୁଛି ଅଗ୍ନି ପିଣ୍ଡୁଳା । ମୁଣ୍ଡ ଉପରେ ଟାଇଁ ଟାଇଁ ଖରା । ଅସହ୍ୟ ତାତି ଓ ଖରାରେ ଅସ୍ତବ୍ୟସ୍ତ ସାରା ଓଡ଼ିଶା। ଉପକୂଳରୁ ଉପାନ୍ତ ସବୁଠି ଗ୍ରୀଷ୍ମର ପ୍ରକୋପ। ସକାଳ ୮ଟା ପରଠାରୁ ବଢୁଛି ଖରାର ତେଜ। ମଧ୍ୟାହ୍ନ ଓ ଅପରାହ୍ଣରେ ଅସହ୍ୟ ତାତି । ଆଜି ଦିନ ସାଢେ ୨ଟା ସୁଦ୍ଧା ଝାରସୁଗୁଡ଼ା ପାଲଟିଥିଲା ସବୁଠାରୁ ଉତ୍ତପ୍ତ ସହର। ପାରା ୪୨.୪ ଡିଗ୍ରୀ ସେଲସିୟସ ପାର କରିଥିଲା। ସମ୍ବଲପୁରରେ ୪୧.୮, ହୀରାକୁଦରେ ୪୦.୪ ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ ହୋଇଛି। କାଲିଠାରୁ ୧୫ ତାରିଖ ଯାଏ କିଛି ଜିଲ୍ଲାକୁ ହିଟ୍ ୱେଭ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଦିନର ତାପମାତ୍ରା ସ୍ୱାଭାବିକ ଠାରୁ ୪ରୁ୫ ଡିଗ୍ରୀ ପର୍ଯ୍ୟନ୍ତ ବଢିବ। କାଲି ପାଇଁ ୪ଜିଲ୍ଲା, ୧୪ ଓ ୧୫ ତାରିଖରେ ୮ଟି ଲେଖାଏଁ ଜିଲ୍ଲାକୁ ହିଟ୍ ୱେଭ ୱାର୍ଣ୍ଣିଂ ଜାରି ହୋଇଛି।
କାଲିଠାରୁ ୧୫ ତାରିଖ ଯାଏ କଲବଲ କରିବ ତାତି । ୧୬ ତାରିଖରୁ ପାଗରେ ହେବ ପରିବର୍ତ୍ତନ। ଉତ୍ତର ପଶ୍ଚିମ ଦିଗରୁ ପ୍ରବାହିତ ହେଉଥିବା ଶୁଷ୍କ ବାୟୁ ଦିଗ ବଦଳାଇବ। ବଙ୍ଗୋପସାଗରରୁ ରାଜ୍ୟ ମଧ୍ୟକୁ ପ୍ରବେଶ କରୁଥିବା ଜଳୀୟବାଷ୍ପ ପ୍ରଭାବରେ ୧୬ ତାରିଖରେ ଉତ୍ତର ଉପକୂଳ, ଦକ୍ଷିଣ ଓ ଆଭ୍ୟନ୍ତରୀଣ ଓଡ଼ିଶାର କିଛି ଜିଲ୍ଲାରେ ବିଜୁଳି ଓ ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ମଧ୍ୟ ରହିଛି। ଦିନ ବଢିବା ସହ ବଢୁଛି ତାତି। ଖରାର ପ୍ରକୋପରେ ଆଉଟୁ ପାଉଟୁ ଲୋକେ। ଦିନ ୧୦ଟା ପରେ ଘରୁ ବାହାରିବା କଷ୍ଟକର ହୋଇପଡ଼ିଲାଣି। ତାତିରୁ ରକ୍ଷା ପାଇବାକୁ ଯୋଗୁଁ ଛତା, ମୁଣ୍ଡରେ ଟୋପି ପିନ୍ଧି ବାହାରକୁ ଲୋକେ ବାହାରୁଥିବା ଦେଖିବାକୁ ମିଳିଛି। ଅପରାହ୍ମ ୫ଟା ଯାଏ ଖାଁ ଖାଁ ରହୁଛି ରାସ୍ତାଘାଟ। ଥଣ୍ଡାପାନୀୟ, ଆଖୁରସ, ତରଭୁଜ ଆଦି ଦୋକାନରେ ଭିଡ଼ ଦେଖିବାକୁ ମିଳୁଛି। ଉତ୍ତର ପଶ୍ଚିମ ଦିଗରୁ ରାଜ୍ୟ ମଧ୍ୟକୁ ପ୍ରବାହିତ ଶୁଷ୍କ ବାୟୁ ସୂର୍ଯ୍ୟକିରଣ ପ୍ରଭାବରେ ଉତ୍ତପ୍ତ ହେଉଛି ବାୟୁମଣ୍ଡଳ। ଫଳରେ ତାପମାତ୍ରା ବୃଦ୍ଧି ପାଉଥିବା ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି।