ଭୁବନେଶ୍ୱର ପ୍ରତିଷ୍ଠା ଦିବସରେ ଅପରାଜିତାଙ୍କୁ ନଡାକିବା ପ୍ରସଙ୍ଗ, ମନ୍ତ୍ରୀ ଅଶୋକ ପଣ୍ଡା କହିଲେ ସବୁଥିରେ ଦୋଷତ୍ରୁଟି ଖୋଜିବା କାମଳତାର ପରିଚୟ
ଓଡ଼ିଆ ନ୍ୟୁଜ (ବ୍ୟୁ୍ରୋ) : ଆଜି ଭୁବନେଶ୍ୱର ପ୍ରତିଷ୍ଠା ଦିବସ । ଆଜି ୭୫ ବର୍ଷରେ ପାଦ ଥାପିଛି ରାଜଧାନୀ ଭୁବନେଶ୍ୱର । ୧୯୪୮ ମସିହା ଆଜିର ଦିନରେ ଆମ ଭୁବନେଶ୍ୱର ପ୍ରତିଷ୍ଠା ହୋଇଥିଲା । ଏହି ଅବସରରେ ରାଜଧାନୀରେ ବିଭିନ୍ନ କାର୍ଯ୍ୟକ୍ରମ ମାନ କରାଯାଉଛି । ତେବେ ପ୍ରତିଷ୍ଠା ଦିବସକୁ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀକୁ ନିମନ୍ତ୍ରଣ କରାଯାଇନି । ଯାହାକୁ ନେଇ କ୍ଷୋଭ ପ୍ରକାଶ କରି ଟ୍ୱିଟ୍ କରିଛନ୍ତି ସାଂସଦ ଅପରାଜିତା ଷଡଙ୍ଗୀ । ସେ କହିଛନ୍ତି, ରାଜ୍ୟ ସରକାର ଓ ଭୁବନେଶ୍ୱର ମହାନଗର ନିଗମ୭୫ ତମ ରାଜଧାନୀ ପ୍ରତିଷ୍ଠା ଦିବସ ପାଳନ କରୁଛନ୍ତି । କିନ୍ତୁ ଦୁର୍ଭାଗ୍ୟର ବିଷୟ ସରକାରୀ କାର୍ଯ୍ୟକ୍ରମ ହୋଇଥିଲେ ବି ମୋ ନାମ ନିମନ୍ତ୍ରଣ କାର୍ଡରେ ନାହିଁ । ଏହା କେତେଦୂର ଯୁକ୍ତିସଙ୍ଗତ ବୋଲି ପ୍ରଶ୍ନ କରିଛନ୍ତି ସାଂସଦ । ସେ ଆହୁରି କହିଛନ୍ତି ଗତବର୍ଷ ମଧ୍ୟ ମଧ୍ୟ ତାଙ୍କୁ ପ୍ରତିଷ୍ଠା ଦିବସକୁ ଡକାଯାଇନଥିଲା । ଏହା ଭୁଲ ବୋଲି ମାନିଥିଲେ ।
କିନ୍ତୁ ଏ ବର୍ଷ ମଧ୍ୟ ସେହି ଘଟଣାର ପୁନରାବୃତ୍ତି ଘଟିଛି । ଦୁଇ ଦୁଇଥର ଏଭଳି କରିବା ପଛରେ କାରଣ କ’ଣ ବୋଲି ଅପରାଜିତା ପ୍ରଶ୍ନ କରିଛନ୍ତି । ସେ ଆହୁରି କହିଛନ୍ତି, ଯେ ରାଜ୍ୟ ସରକାର ଭୁଲି ନ ଯିବା ଦରକାର ଯେ, ରାଜଧାନୀ ପ୍ରତିଷ୍ଠା ଦିବସ କୌଣସି ଦଳୀୟ କାର୍ଯ୍ୟକ୍ରମ ନୁହେଁ । ଏହା ସଂସଦୀୟ କ୍ଷେତ୍ରର ଜନସାଧାରଣଙ୍କ ସମ୍ମାନ ଓ ସ୍ୱାଭିମାନକୁ କୁଠାରଘାତ ନୁହେଁ କି ବୋଲି ସେ ପ୍ରଶ୍ନ କରିଛନ୍ତି । ସେପଟେ ଅପରାଜିତାଙ୍କ ଟ୍ୱିଟ୍ ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ମନ୍ତ୍ରୀ ଅଶୋକ ପଣ୍ଡା।
ସେ କହିଛନ୍ତି ମୁଁ ତ କ୍ଷମା ମାଗିନଥିଲି । ମୁଁ ଗତଥର ପ୍ରତିଷ୍ଠା ଦିବସର ଆୟୋଜକ କି ସଂଯୋଜକ ନଥିଲି । ମିଡିଆକୁ ବିଭ୍ରାନ୍ତ କରିବା ପାଇଁ ସାଂସଦ ଏହିସବୁ କଥା କହିଛନ୍ତି । ସାଂସଦଙ୍କ ନାଁ କୁ ନେଇ ମତେ କାଇଁ ପ୍ରଶ୍ନ କରାଯାଉଛି । ଆଇଗିଣିଆ ଛକରେ ଅଶୋକ ପଣ୍ଡାଙ୍କ ଅଂଚଳ ହେଲେ ମଧ୍ୟ ମୋ’ ନାଁ କେଉଁଠି ମଧ୍ୟ ନାଁ ନାହିଁ । ସାଂସଦ ନିଜର ବୋର୍ଡଟିଏ ଲୁଚେଇକି ମାରିଦେଇଛନ୍ତି । ମୁଁ କହିବାକୁ ଗଲେ ବହୁତ କଥା ବାହାରିବ । ମତେ ପ୍ରୋଭୋକ୍ କରନ୍ତୁ ନାହିଁ । ବିକାଶକୁ ସ୍ୱାଗତ କରନ୍ତୁ ସାଂସଦ । ସବୁଥିରେ ଦୋଷତ୍ରୁଟି ଖୋଜିବା କାମଳାତାର ପରିଚୟ ବୋଲି ସେ କହିଛନ୍ତି । ଅନ୍ୟପଟେ ଅପରାଜିତାଙ୍କୁ ନଡାକିଥିବାରୁ ବିଭିନ୍ନ ମହଲରେ ନିନ୍ଦା କରାଯାଉଛି ।