ଓଡ଼ିଆ ନ୍ୟୁଜ (ବ୍ୟୁ୍ରୋ) : ପ୍ରଚଣ୍ଡ ତାତିରେ ହନ୍ତସନ୍ତ ହେଉଛନ୍ତି ରାଜ୍ୟବାସୀ । ଏତେ ଗରମ ହେଉଛି ଯେ, ନା ବାହାରକୁ ବାହାରି ହେଉଛି, ନା ଘରେ ରହି ହେଉଛି । ସକାଳ ନହେଉଣୁ ବାଘ ଭଳିଆ ମାଡି ଆସୁଛି ଖରା । ଉପକୂଳଠୁ ଆରମ୍ଭ କରି ଆଭ୍ୟନ୍ତରୀଣ ଓଡ଼ିଶାରେ ତାତି ବଢ଼ିଚାଲିଛି । ଦିନ ୯ଟା ବେଳକୁ ଘରୁ ବାହାରିବା ଅସମ୍ଭବ ହୋଇପଡ଼ିଛି । ତେବେ ଆଜି ରାଜଧାନୀ ଭୁବନେଶ୍ୱରରେ ତାପମାତ୍ରା ୪୦.୪ ଡିଗ୍ରୀ ରହିଛି । ଫଳରେ ଲୋକେ ଅସହ୍ୟ ତାତିରେ ଆଉଟପାଉଟ ହୋଇଛନ୍ତି । ପ୍ରଚଣ୍ଡ ତାତିକୁ ଦୃଷ୍ଟିରେ ରଖି ପୂର୍ବାହ୍ନ ୧୧ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ଜରୁରୀ କାମ ନ ଥିଲେ ଘରୁ ନ ବାହାରିବା ପାଇଁ ପରାମର୍ଶ ଦେଇଛନ୍ତି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ ।
ସୂଚନାଥାଉକି, ଆଜି ସକାଳ ୮ଟା ୩୦ ସୁଦ୍ଧା ୩୦ ଡିଗ୍ରୀ ଟପିଛି ୬ଟି ସହର ତାପମାତ୍ରା । ସକାଳ ୮ଟା ୩୦ ସୁଦ୍ଧା ବାଲେଶ୍ୱର ସହରରେ ସର୍ବାଧିକ ତାପମାତ୍ରା ୩୩ ଡିଗ୍ରୀ ରେକର୍ଡ କରାଯାଇଥିଲା । ଭୁବନେଶ୍ୱର ଆଂଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ମିଳିଥିଲା । ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ, ପୁରୀରେ ୩୨.୨ ଡ଼ିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଥିବା ବେଳେ ଭୁବନେଶ୍ୱରରେ ୩୧.୬ ଡ଼ିଗ୍ରୀ, ଝାରସୁଗୁଡା ୩୧ ଡ଼ିଗ୍ରୀ ଚାନ୍ଦବାଲି ୩୦.୮ ଡ଼ିଗ୍ରୀ, କେନ୍ଦୁଝର୩୦.୪ ଡ଼ିଗ୍ରୀ, ପାରାଦୀପ ୨୯.୮ ଡ଼ିଗ୍ରୀ, ସମ୍ବଲପୁର ୨୯.୨ ଡ଼ିଗ୍ରୀ, ଗୋପାଳପୁର ୨୮.୬ ଡ଼ିଗ୍ରୀ ଓ ହୀରାକୁଦରେ ୨୮ଡ଼ିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ପଶ୍ଚିମ ଦିଗରୁ ଶୁଷ୍କ ବାୟୁ ପ୍ରବାହ କାରଣରୁ ବାୟୁମଣ୍ଡଳ ଉତ୍ତପ୍ତ ରହିଛି । ତେଣୁ ଆଗାମୀଦୁଇ ଦିନ ଯାଏଁ ତାପମାତ୍ରା ସ୍ୱାଭାବିକଠାରୁ ୨-୩ ଡିଗ୍ରୀ ଅଧିକ ରହିବା ନେଇ ପୂର୍ବାନୁମାନକରିଛି ପାଣିପାଗ କେନ୍ଦ୍ର । ଏହାସହ କିଛି ଜିଲ୍ଲାରେ ହିଟ୍ ୱେଭ୍ ଆଲର୍ଟ ବି ଜାରି କରାଯାଇଛି । ତେବେ ୧୬ ତାରିଖ ପରେ ସାମୁଦ୍ରିକ ଜଳୀୟବାଷ୍ପ ପ୍ରଭାବରେ ବର୍ଷା ହେବା ସମ୍ଭାବନା ରହିଛି । ତେଣୁ ତାତିରୁ ଟିକେ ଆଶ୍ୱସ୍ତି ମିଳିପାରେ ବୋଲି ଅନୁମାନ କରାଯାଉଛି ।