ଓଡ଼ିଆ ନ୍ୟୁଜ (ବ୍ୟୁ୍ରୋ): ରାଜ୍ୟରେ ପ୍ରବଳ ଖରାରେ ହନ୍ତସନ୍ତ ହେଉଛନ୍ତି ରାଜ୍ୟବାସୀ। ଏମିତି ଗରମ ହେଉଛି ଯେ, ନା ଘରେ ରହି ହେଉଛି ନା ବାହାରେ ରହି ହେଉଛି। ଝାଂଜି ପବନ ସାଙ୍ଗକୁ ଟାଣ ଖରାରେ ଦରସିଝା ହୋଇଗଲାଣି ରାଜ୍ୟ। ଗ୍ରୀଷ୍ମପ୍ରବାହ ନେଇ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି ଏସଆରସି ସତ୍ୟବ୍ରତ ସାହୁ । ଅତି ଖରାରେ କାମ ନକରିବାକୁ ଶ୍ରମିକମାନଙ୍କୁ ସେ ପରାମର୍ଶ ଦେଇଛନ୍ତି । ଅତି ଆବଶ୍ୟକ ନପଡ଼ିଲେ ଘରୁ ନବାହାରିବାକୁ ଲୋକମାନଙ୍କୁ ପରାମର୍ଶ ଦେଇଛନ୍ତି ।
ତେବେ ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମଲହରୀ ଗତ ୩ ଦିନ ଧରି ଅବ୍ୟାହତ ରହିଛି । ଗତକାଲି ୨୫ଟି ସହରର ତାପମାତ୍ରା ୪୦ଡିଗ୍ରୀ ଗୁରୁବାର ଦିନ ରାଜ୍ୟର ୨୫ଟି ସହରରେ ତାପମାତ୍ରା ୪୦ ଡିଗ୍ରିରୁ ଅଧିକ ରେକର୍ଡ ହୋଇଥିବା ବେଳେ ୮ ସହରର ପାରଦ ୪୨ ଡିଗ୍ରି ପାର୍ କରିଛି। ୪୩.୫ ଡିଗ୍ରି ତାପମାତ୍ରା ସହ ବାରିପଦା ରାଜ୍ୟର ଉତ୍ତପ୍ତ ସହର ତାଲିକାର ସର୍ବାଗ୍ରେ ରହିଛି। ଆଜି ବି ରାଜ୍ୟବାସୀଙ୍କୁ ତାତିରୁ ତ୍ରାହି ନାହିଁ। ଫଳରେ ପ୍ରଚଣ୍ଡ ଖରା ଓ ଗରମରେ ଆଉଟୁ ପାଉଟୁ ହେବେ ରାଜ୍ୟବାସୀ। ଏଣୁ ଆସନ୍ତା ୨ ଦିନ ପାଇଁ ହିଟ୍ ୱେଭ୍ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ।
ଆଜି ଝାରସୁଗୁଡ଼ା, ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ବର, ସମ୍ବଲପୁର, ଦେବଗଡ଼ ଓ ଅନୁଗୁଳ ଆଦି ୮ ଜିଲ୍ଲାରେ ଗ୍ରୀଷ୍ମ ପ୍ରବାହକୁ ନେଇ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ମୁତାବକ, ଆସନ୍ତା ୨ ଦିନ ଯାଏ ରାଜ୍ୟର ଅନେକ ସ୍ଥାନରେ ଦିନ ତାପମାତ୍ରା ସ୍ବାଭାବିକ ଠାରୁ ୩ରୁ ୫ ଡିଗ୍ରି ଯାଏ ବଢ଼ିବାର ସମ୍ଭାବନା ରହିଛି। ଦିନ ୧୧ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ପିକ୍ ଆଓ୍ବାର ଘୋଷଣା କରିଛି ପାଣିପାଗ କେନ୍ଦ୍ର । ଜରୁରୀ କାମ ନ ଥିଲେ ଘରୁ ନ ବାହାରିବାକୁ ପରାମର୍ଶ ଦିଆଯାଇଛି ।