ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଆଜି ବୈଶାଖ ମାସ କୃଷ୍ଣପକ୍ଷ ଦଶମୀ ତିଥି ସୋମବାର ଅବସରରେ ଶ୍ରୀମନ୍ଦିର ଶ୍ରୀବିଗ୍ରହମାନଙ୍କର ପଇତାଲାଗି ନୀତି ଅନୁଷ୍ଠିତ ହେବ । ମହାପ୍ରଭୁଙ୍କ ଗୁପ୍ତନୀତି ମଧ୍ୟରେ ଏହି ନୀତି ପ୍ରମୁଖ । ମହାପ୍ରଭୁଙ୍କ ଶ୍ରୀଅଙ୍ଗକୁ ସୁରକ୍ଷା ଦେବା ନିମନ୍ତେ ଏହି ନୀତି ଅନୁଷ୍ଠିତ ହୋଇଥାଏ । ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦ୍ୱିତୀୟ ଭୋଗମଣ୍ଡପ ସମ୍ପନ୍ନ ହେବା ପରେ ମଇଲମ କରାଯିବା ପରେ ଲକ୍ଷ୍ମୀ ଏବଂ ସରସ୍ବତୀ ଖଟଶେଯ ଘରକୁ ବିଜେ କରିବେ। ପରେ ଜୟବିଜୟ ଦ୍ୱାର ବନ୍ଦ କରାଯିବ ।
ଶ୍ରୀବିଗ୍ରହଙ୍କ ପଇତାଲାଗି ନୀତି ନିମନ୍ତେ ଦଇତାପତି ସେବାୟତମାନେ ଶ୍ରୀମନ୍ଦିର ଗର୍ଭଗୃହକୁ ପ୍ରବେଶ କରିବେ । ପାଟ ଡୋରିରେ ନିର୍ମିତ ହୋଇଥିବା ଜାଲିଯୁକ୍ତ ବତ୍ସକୁ ମହାପ୍ରଭୁଙ୍କୁ ଲାଗି କରାଯିବ। ଯାହାକୁ ପଇତାଲାଗି ବୋଲି କୁହାଯାଇଥାଏ । ବର୍ଷକରେ ଦୁଇଥର ପଇତାଲାଗି ନୀତି ଅନୁଷ୍ଠିତ ହୋଇଥାଏ। ଚନ୍ଦନଯାତ୍ରା ପୂର୍ବରୁ ଏବଂ ମହାପ୍ରଭୁଙ୍କ ଘୋଡଲାଗି ପୂର୍ବରୁ ମହାପ୍ରଭୁଙ୍କ ଏହି ନୀତି ଅନୁଷ୍ଠିତ ହୋଇଥାଏ । ତେଣୁ ଦ୍ବିତୀୟ ଭୋଗମଣ୍ଡପ ପରେ ଆପତତଃ ସନ୍ଧ୍ୟା ୬ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି ।