ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ସରଗରମ ହୋଇଗଲାଣି ରାଜନୀତି । ଏହି କ୍ରମରେ ଆଜି ଆଜି ନାମାଙ୍କନ ଭରିବେ ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀ । ନିଜ ସମର୍ଥକ ଓ ବରିଷ୍ଠ ନେତାଙ୍କ ସହ ଶୋଭାଯାତ୍ରାରେ ଯାଇ ଉପଜିଲ୍ଲାପାଳଙ୍କ ନିକଟରେ ନିଜର ପ୍ରାର୍ଥିପତ୍ର ଭରିବେ । ଏହା ପୂର୍ବରୁ ଗତ ୧୫ ତାରିଖରେ କଂଗ୍ରେସ ପ୍ରାର୍ଥୀ ତରୁଣ ପାଣ୍ଡେ ନାମାଙ୍କନ ଦାଖଲ କରିଥିଲେ । ଆସନ୍ତାକାଲି ବିଜେଡି ପ୍ରାର୍ଥିନୀ ଦୀପାଳି ଦାସ ପ୍ରାର୍ଥିପତ୍ର ଦାଖଲ କରିବେ । ନାମାଙ୍କନ ଭରିବାର ପୂର୍ବଦିନ ଅର୍ଥାତ ରବିବାର ବିଜେପି ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ଦୁଇଟି କମିଟି ଗଠନ କରିଛି । ରାଜ୍ୟ ସଭାପତି ମନମୋହନ ସାମଲ ଏହି ଦୁଇଟି କମିଟି ଘୋଷଣା କରିଛନ୍ତି । ସାଂସଦ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମଙ୍କ ଅଧ୍ୟକ୍ଷତାରେ ଗଠିନ ନିର୍ବାଚନ ପରିଚାଳନା କମିଟିରେ ୮ଜଣ ସଦସ୍ୟ ରହିଛନ୍ତି । ସେହିପରି ସାଂସଦ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ ଗଠିନ କମିଟିରେ ରହିଛନ୍ତି ୧୪ଜଣ ସଦସ୍ୟ । ନିର୍ବାଚନ ପରିଚାଳନା କମିଟିରେ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର, ପୂର୍ବତନ ରାଜ୍ୟ ସଭାପତି କେଭି ସିଂହଦେଓ, ସାଂସଦ ସୁରେଶ ପୂଜାରୀ, ବସନ୍ତ ପଣ୍ଡା, ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତି, ରାଜ୍ୟ ସାଧାରଣ ସମ୍ପାଦକ ରବିନାରାୟଣ ନାୟକ ଓ ଗୋଲକ ମହାପାତ୍ର ସଦସ୍ୟ ଅଛନ୍ତି । ସେହିପରି ପ୍ରଚାର କମିଟିରେ ସାଂସଦ ପ୍ରତାପ ଷଡଙ୍ଗୀଙ୍କ ସମେତ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ ଓ ଆଉ କିଛି ବରିଷ୍ଠ ବିଧାୟକ ଓ ନେତା ରହିଛନ୍ତି ।
ସୂଚନାଯୋଗ୍ୟ, ଝାରସୁଗୁଡ଼ା ଉପନିର୍ବାଚନ ପାଇଁ କଂଗ୍ରେସ ପ୍ରାର୍ଥୀ ତରୁଣ ପାଣ୍ଡେ ଗତକାଲି ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ତରୁଣ ହେଉଛନ୍ତି ୩ ଥରର ଝାରସୁଗୁଡ଼ା ବିଧାୟକ ସ୍ବର୍ଗତ ବୀରେନ୍ ପାଣ୍ଡେଙ୍କ ପୁଅ । ଆଜି ସେ ନିଜର ସମର୍ଥକ ଓ ବରିଷ୍ଠ ନେତାଙ୍କ ସହ ଶୋଭାଯାତ୍ରାରେ ଯାଇ ଉପଜିଲ୍ଲାପାଳଙ୍କ ନିକଟରେ ନିଜର ନାମାଙ୍କନ ଭରିଛନ୍ତି । ଏହି ପ୍ରାର୍ଥୀପତ୍ର ଦାଖଲ ସମୟରେ ପିସିସି ସଭାପତି ଶରତ ପଟ୍ଟନାୟକ ଓ ବିଧାୟକ ତାରା ପ୍ରସାଦ ବାହିନୀପତି ପ୍ରମୁଖ ଉପସ୍ଥିତ ଥିଲେ । ଉଲ୍ଲେଖ ଥାଉ କି ପ୍ରଦେଶ କଂଗ୍ରେସ କମିଟିର ୫ ଜଣିଆ ଟିମ୍ ଝାରସୁଗୁଡ଼ା ଗସ୍ତ କରି ଦଳୀୟ ପ୍ରାର୍ଥିତ୍ବ ନେଇ କର୍ମୀ ଓ ନେତାଙ୍କ ସହ ବିଚାରବିମର୍ଶ କରିଥିଲେ । ଟିମ୍ ୬ ଜଣିଆ ତାଲିକା ପ୍ରସ୍ତୁତ କରି ଦଳର ରାଜ୍ୟ କମିଟିକୁ ହସ୍ତାନ୍ତର କରିଥିଲା । ତେବେ ଏଆଇସିସି ତରୁଣଙ୍କ ନାମ ଉପରେ ମୋହର ଲଗାଇଥିଲା। ତରୁଣ କୌଣସି ସାଧାରଣ ନିର୍ବାଚନରେ ପୂର୍ବରୁ ପ୍ରତିଦ୍ବନ୍ଦିତା କରିନଥିବା ବେଳେ ପ୍ରଥମ ଥର ପାଇଁ ଦଳ ତାଙ୍କୁ ଉପ ନିର୍ବାଚନ ମଇଦାନରେ ଠିଆକରେଇଛି । ଝାରସୁଗୁଡାର ବିଧାୟକ ନବ କିଶୋର ଦାସଙ୍କ ମୃତ୍ୟୁ ପରେ ଉକ୍ତ ଆସନ ଖାଲି ପଡ଼ିଥିଲା । ମେ ୧୦ ତାରିଖରେ ଏହି ଉପନିର୍ବାଚନ ଲାଗି ଭୋଟ୍ ଗ୍ରହଣ କରାଯିବ ।